ବରିଷ୍ଠ ଆଇନଜୀବୀ ଦୁର୍ଗା ପ୍ରସାଦ ମଣିପାତ୍ରଙ୍କ ବିୟୋଗରେ ଗୁଣପୁର ଓକିଲ ସଂଘର ଶୋକସଭା

ଗୁଣପୁର, ୧୬।୧୧ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଓକିଲ ସଂଘର ବରିଷ୍ଠ ଆଇନଜୀବୀ ଦୁର୍ଗା ପ୍ରସାଦ ମଣିପାତ୍ରଙ୍କ ୭୫ ବର୍ଷ ବୟସରେ ଶନିବାର ପରଲୋକ ଘଟିଥିଲା। ତାଙ୍କ ବିୟୋଗରେ ସୋମବାର ଗୁଣପୁର ଓକିଲ ସଂଘ ପକ୍ଷରୁ ଏକ ଶୋକସଭା ଆୟୋଜିତ ହୋଇଥିଲା।

ଓକିଲ ସଂଘର ସଭାପତି ରମେଶ ଚନ୍ଦ୍ର ଲିମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶୋକସଭାରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ ଦେବଦତ୍ତ ପଟ୍ଟନାୟକ, ସିଭିଲ୍‌ ଜଜ୍‌ (ସିନିୟର ଡିଭିଜନ୍‌) ସୁମିତ୍ରା ସାହୁ ଏବଂ ଏସ୍‌ଡିଜେଏମ୍‌ ବିଜୟଲକ୍ଷ୍ମୀ ମହାପାତ୍ରଙ୍କ ସମେତ ବିଚାରପତିମାନେ ଯୋଗଦେଇ ଦିବଙ୍ଗତ ଆଇନଜୀବୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଆଇନ କ୍ଷେତ୍ରରେ ସ୍ୱର୍ଗତ ମଣିପାତ୍ରଙ୍କ ଅବଦାନ ଏବଂ ତାଙ୍କର ଅମାୟିକ ବ୍ୟକ୍ତିତ୍ୱକୁ ଉପସ୍ଥିତ ବିଚାରପତି ଓ ଆଇନଜୀବୀମାନେ ସ୍ମରଣ କରିଥିଲେ।

ଏହି ଶୋକସଭାରେ ଆଇନଜୀବୀ ରାଜେନ୍ଦ୍ର ପାଢ଼ୀ, ଏସ୍‌. ଗଣପତି ରାଓ, ଉମାଚରଣ ପଟ୍ଟନାୟକ, ରାଜେନ୍ଦ୍ର ପ୍ରସାଦ ସାହୁ, ଜ୍ୟୋତ୍ସ୍ନା ଦାଶ, ଅକ୍ଷୟ ଶତପଥୀ, ଗୌରୀଶଙ୍କର ଦାସ, କୃଷ୍ଣ ସେନାପତି, ଭାଗିରଥୀ ବଙ୍ଗାରି, ଇନ୍ଦ୍ରାକ୍ଷୀ ପ୍ରସାଦ ଦାସ ଓ ଗଣେଶ ପଣ୍ଡାଙ୍କ ସମେତ ଓକିଲ ସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ। ସେମାନେ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ସ୍ୱର୍ଗତ ମଣିପାତ୍ରଙ୍କ ସ୍ମୃତିଚାରଣ କରିଥିଲେ।

ସଭାର ପ୍ରାରମ୍ଭରେ ଦିବଙ୍ଗତ ଆତ୍ମାର ସଦ୍‌ଗତି କାମନା କରି ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା। ଏଥିରେ ସଂଘର ବରିଷ୍ଠ ଓ କନିଷ୍ଠ ଆଇନଜୀବୀମାନେ ଯୋଗଦେଇଥିଲେ। ଶୋକସଭା ଅବସରରେ ଆଇନଜୀବୀମାନେ କୋର୍ଟ କାର୍ଯ୍ୟରୁ ବିରତ ରହିଥିଲେ।

Dharitri – Odisha’s No.1 Odia Daily

Share