ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ ହୋଇ ଗୁଣପୁର ପାଇଁ ଗୌରବ ଆଣିଛି।

ଓଡ଼ିଶା ଷ୍ଟେଟ୍ ବ୍ୟାଡମିଣ୍ଟନ୍ ଆସୋସିଏଶନ୍ ପକ୍ଷରୁ ଲେଭେଲ୍-୨ ପ୍ରତିଯୋଗିତା ଗତ ୨୧ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ କଟକଠାରେ ଅନୁଷ୍ଠିତ ହୋଇଥିଲା। ୧୩, ୧୭ ଓ ୧୯ ବର୍ଷରୁ କମ୍ ବୟସ ବର୍ଗର ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲାରୁ ପ୍ରାୟ ୬ ଶହ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ରାୟଗଡ଼ା ଜିଲାରୁ ୧୨ ଜଣ ଖେଳାଳି ଯୋଗଦେଇଥିବା ବେଳେ ଗୁଣପୁରରୁ ୪ ଜଣ ଖେଳାଳି ଭାଗ ନେଇଥିଲେ। ୧୩ ବର୍ଷରୁ କମ୍ ବୟସ ବର୍ଗର ଡବଲ୍ସରେ ଗୁଣପୁରର ଶୁଭମ୍ ଦାସ ଓ ନବରଙ୍ଗପୁରର ସାଇରସ ଦଳବେହେରାଙ୍କ ଯୋଡ଼ି ଫାଇନାଲରେ ମୟୂରଭଞ୍ଜର ବିଶ୍ୱଭବ୍ୟ ବେହେରା ଓ ତେଜସ ବେହେରାଙ୍କ ଯୋଡ଼ିକୁ ୧୫-୧୦ ଓ ୧୫-୬ ପଏଣ୍ଟରେ ପରାସ୍ତ କରି ଚମ୍ପିୟାନ ହୋଇଛନ୍ତି।

ସେହିଭଳି ୧୭ ବର୍ଷରୁ କମ୍ ବୟସ ବର୍ଗରେ ଗୁଣପୁରର ସାଇଶ୍ରୀ ଶତପଥୀ ଓ ଲାଡି ନିର୍ମିତଙ୍କ ଯୋଡ଼ି ବିଜୟୀ ହୋଇଛନ୍ତି। ସେମାନେ ଖୋର୍ଦ୍ଧାର ବିଶ୍ୱଜିତ ହରିଚନ୍ଦନ ଓ ସାଇ ମହାରଣାଙ୍କ ଯୋଡ଼ିକୁ ୬-୧୫, ୧୫-୭ ଓ ୧୫-୬ ପଏଣ୍ଟରେ ପରାସ୍ତ କରି ଚମ୍ପିୟାନ ହୋଇଛନ୍ତି।

ଅନ୍ୟପକ୍ଷରେ, ୧୯ ବର୍ଷରୁ କମ୍ ଡବଲ୍ସ ବର୍ଗରେ ରାୟଗଡ଼ାର ଅଂଶ ସିନା ଉପବିଜେତା ହୋଇଥିବା ବେଳେ ସିଙ୍ଗଲ୍ସରେ ବିଜୟୀ ହୋଇ ଚମ୍ପିୟାନ ହୋଇଛନ୍ତି।ପୁରସ୍କାର ବିତରଣୀ ସମାରୋହରେ ଚଳଚ୍ଚିତ୍ର ତାରକା ଶ୍ରୀତମ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ସିଲ୍ଡ୍ ପ୍ରଦାନ କରିଥିଲେ। ଗୁଣପୁରରେ ପହଞ୍ଚିବା ପରେ ବିଜୟୀ ପ୍ରତିଯୋଗୀମାନଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସୂଚନାଯୋଗ୍ୟ, ଗୁଣପୁର କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଶୁଭମ୍ ଦାସ ପୂର୍ବରୁ ପଞ୍ଜାବରେ ମଧ୍ୟ ୧୩ ବର୍ଷରୁ କମ୍ ବୟସ ବର୍ଗର ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଚମ୍ପିୟାନ ହୋଇଥିଲେ। ଗୁଣପୁର ଷ୍ଟେସନରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

Dharitri – Odisha’s No.1 Odia Daily

Share