ଗୁଣିଆ ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା

ମାଲକାନଗିରି,୯ା୮(ଡି.ଏନ.ଏ/ସ୍ବ.ପ୍ର.)-ମାଲକାନଗିରି ସଦର ଥାନା ତୁମସାପାଲି ଗ୍ରାମରେ ଗୁଣିଆ ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ଶନିବାର ରାତିରେ ହତ୍ୟା କରାଯାଇଛି। ତାଙ୍କ ନାମ ମୁକା ମାଡକାମୀ (୫୫)। ସେ ଘରେ ଶୋଇଥିବା ବେଳେ ଗ୍ରାମର ରାମା ସୋଡି (୬୦) ଏକ ଧାରୁଆ ଅସ୍ତ୍ରରେ ମୁକାଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ୬ ମାସ ତଳେ ରାମାଙ୍କ ପୁଅର ଅଜଣା ରୋଗରେ ମୃତ୍ୟୁ ହୋଇଥିଲା। ମୁକା ଗୁଣି ଗାରେଡ଼ି କରି ତାଙ୍କ ପୁଅକୁ ମାରିଥିବା ରାମା ସନ୍ଦେହ କରିଥିଲେ। ଏ ସମ୍ପର୍କରେ ସେ ପଞ୍ଚାୟତରେ ଜଣାଇବା ପରେ ଗ୍ରାମରେ ଖାପ୍‌ ପଞ୍ଚାୟତ ବସିଥିଲା। ତେବେ ଏଠାରେ କିଛି ସମାଧାନ ହୋଇପାରି ନ ଥିଲା। ଶେଷରେ ରାମା ଏପରି ପଦକ୍ଷେପ ନେଇଥିବା ଜଣାପଡିଛି। ଏନେଇ ମୁକାଙ୍କ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ମାଲକାନଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ୨୮୧/୨୦ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରାମାଙ୍କୁ ଗିରଫ କରିଛି। ତେବେ ତାଙ୍କୁ ପଚରାଉଚରା ବେଳେ ଗୁଣିଗାରେଡି କରି ତାଙ୍କ ପରିବାରକୁ ହଇରାଣ କରିବାରୁ ସେ ମୁକାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି।