Categories: ଖେଳ

ଶେଷ ଓଭରରେ ଜିତିଲା ଗୁଜରାଟ

ମୋହାଲି,୧୩।୪: ମୋହାଲି ପଞ୍ଜାବ କ୍ରିକେଟ ଆସୋସିଏଶନ ଆଇ.ଏସ୍‌. ବିନ୍ଦ୍ରା ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ର ୧୮ତମ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ୬ ଉଇକେଟରେ ବିଜୟୀ ହୋଇଛି। ପଞ୍ଜାବ କିଙ୍ଗ୍ସ ୨୦ ଓଭରରେ ୮ ଉଇକେଟ ହରାଇ ୧୫୩ ରନ୍‌ କରିଥିବା ବେଳେ ଗୁଜରାଟ ୧୯.୫ ଓଭରରେ ୪ ଉଇକେଟ ହରାଇ ମ୍ୟାଚ୍‌ ଜିତି ନେଇଥିଲା।

ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ଶିଖର ଧାୱନଙ୍କ ନେତୃତ୍ୱାଧୀନ ପଞ୍ଜାବ କିଙ୍ଗ୍ସ ପ୍ରାରମ୍ଭରୁ ୨ ଉଇକେଟ ହରାଇ ସଂକଟରେ ପଡ଼ିଥିଲା।  ଦୁଇ ଓପନର ପ୍ରଭସିମରନ୍‌ ସିଂ(୦) ଓ ଶିଖର ଧାଓ୍ବନ୍‌ (୮) ବିଫଳ ହୋଇଥିଲେ। ମାଥ୍ୟୁ ଶର୍ଟ ୩୬ ରନ୍‌ କରି ଇନିଂସ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ହେଲେ ପାଓ୍ବାର ପ୍ଲେ ଓଭର ଶେଷ ହେବାର ଠିକ୍‌ ପରେ ସେ ରଶିଦ୍‌ ଖାନଙ୍କ ଶିକାର ହୋଇଥିଲେ। ଜିତେଶ ଶର୍ମା ୨୩ ବଲ୍‌ରୁ ୨୫ ଓ ଭାନୁକା ରାଜପାକ୍ସେ ୨୬ ବଲ୍‌ରୁ ୨୦ ରନ୍‌ କରିଥିଲେ। ସାମ୍‌ କୁରାନ୍‌ ୨୨ ବଲ୍‌ରୁ ୨୨ ରନ୍‌ ସଂଗ୍ରହ କରି ଆଉଟ ହୋଇଥିଲେ। ଶେଷ ଦୁଇ ଓଭରରେ ଶାହରୁଖ ଖାନ୍‌ ୨୨ ରନ୍‌ କରିବାରୁ ଦଳ ୧୫୦ ରନ୍‌ ପାର କରିଥିଲା। ଶାହରୁଖ ୯ ବଲ୍‌ ଖେଳି ୧ ଚୌକା ଓ ୨ ଛକା ମାରିଥିଲେ। ମୋହିତ ଶର୍ମା ଦୁଇ ଉଇକେଟ ନେଇଥିବା ବେଳେ ଅନ୍ୟ ସମସ୍ତ ବୋଲର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୧୫୪ ରନ୍‌ର ପିଛା କରୁଥିବା ଗୁଜରାଟ ପକ୍ଷରୁ ଶୁବମାନ ଗିଲ୍‌ ୬୭ ରନ୍‌ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରିଦ୍ଧିମାନ ସାହା ୩୦ ଓ ସାଇ ସୁଦର୍ଶନ ୧୯ ରନ୍‌ କରିଥିଲେ। ପଞ୍ଜାବର ହରପ୍ରୀତ ବ୍ରାର, ଅର୍ଶଦୀପ ସିଂ, ସାମ୍‌ କୁରାନ୍‌ ଓ କାଗିସୋ ରବାଡା ଗୋଟିଏ ଲେଖାଏ ଉଇକେଟ ନେବାରେ ସକ୍ଷମ ହୋଇଥିଲେ।

Share