Categories: ଖେଳ

ଶୀର୍ଷରେ ପହଞ୍ଚିଲା ଗୁଜରାଟ

ମୁମ୍ବାଇ, ୧୪ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ୩୭ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏଥିସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଦଳ ବିଜୟ ପଥକୁ ଫେରିଛି। ଲକ୍ଷ୍ନୌ, ଦିଲ୍ଲୀ ଓ ପଞ୍ଜାବକୁ ହରାଇବାପରେ ଗୁଜରାଟ ପୂର୍ବ ମ୍ୟାଚରେ ହାଇଦ୍ରାବାଦଠାରୁ ହାରି ଯାଇଥିଲା। ଏଠାରେ ଗୁଜରାଟ ୨୦ ଓଭରରେ ୪ ଉଇକେଟ ହରାଇ ୧୯୨ ରନ କରିଥିବା ବେଳେ ରାଜସ୍ଥାନ ୨୦ ଓଭରରେ ୯ ଉଇକେଟ ହରାଇ ୧୫୫ ରନ କରିବାକୁ ସକ୍ଷମ ହୋଇଥିଲା। ୫ ମ୍ୟାଚରୁ ୪ର୍ଥ ବିଜୟ ସହ ଗୁଜରାଟ ଟାଇଟାନ୍ସ ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଛି। ଅନ୍ୟପକ୍ଷରେ ୫ ମ୍ୟାଚରୁ ଦ୍ୱିତୀୟ ପରାଜୟ ସହ ରାଜସ୍ଥାନ ତୃତୀୟ ସ୍ଥାନକୁ ଖସିଛି।

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେବା ଧାରା ଆଇପିଏଲରେ ଜାରି ରହିଥିଲା। ସଞ୍ଜୁ ସାମ୍‌ସନ ମଧ୍ୟ କିଛି ଭିନ୍ନ କରି ନ ଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଗୁଜରାଟ ପାଓ୍ବାରପ୍ଲେ ମଧ୍ୟରେ ମାଥ୍ୟୁ ଓ୍ବେଡ୍‌ (୧୨), ବିଜୟ ଶଙ୍କର (୨), ଶୁବମନ ଗିଲ (୧୩)ଙ୍କ ଉଇକେଟ ହରାଇଥିଲା। ଏହାପରେ ଅଭିନବ ମନୋହରଙ୍କ ସହ ମିଶି ଅଧିନାୟକ ହାର୍ଦ୍ଦିକ ଚତୁର୍ଥ ଉଇକେଟରେ ୮୬ ରନ୍‌ ଯୋଡ଼ିଥିଲେ। ମନୋହର ୪ ଚୌକା ଓ ୨ ଛକା ସହାୟତାରେ ୪୩ ରନ୍‌ କରିଥିଲେ। ଅନ୍ତିମ ୪ ଓଭରରେ ହାର୍ଦ୍ଦିକ ଓ ମିଲର ବିସ୍ଫୋରକ ବ୍ୟାଟିଂ କରି ୫୩ ରନ୍‌ ଯୋଡ଼ିଥିଲେ। ଯାହାଫଳରେ ଗୁଜରାଟ ୨୦ ଓଭରରେ ୪ ଉଇକେଟ ହରାଇ ୧୯୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ପାଣ୍ଡ୍ୟାଙ୍କ ୮୭ ରନ୍‌ର ଅପରାଜିତ ଇନିଂସରେ ୮ ଚୌକା ଓ ୪ ଛକା ସାମିଲ ଥିଲା। ସେହିଭଳି ମିଲର ୧୪ ବଲରେ ୫ ଚୌକା ଓ ୧ ଛକା ସହାୟତାରେ ଖେଳିଥିଲେ ୩୧ ରନ୍‌ର ଇନିଂସ। ରାଜସ୍ଥାନ ପକ୍ଷରୁ କୁଲଦୀପ ସେନ, ୟୁଜ୍‌ବେନ୍ଦ୍ର ଚହଲ ଏବଂ ରିୟାନ ପରାଗ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ରାଜସ୍ଥାନ ପକ୍ଷରୁ ଟପ୍‌ ଅର୍ଡରରେ ଜୋଶ୍‌ ବଟଲର ଭଲ ଖେଳିଥିଲେ ହେଁ ଅନ୍ୟମାନଙ୍କ ବିଫଳତା ଯୋଗୁ ଦଳ ବ୍ୟାକ୍‌ଫୁଟକୁ ଚାଲି ଯାଇଥିଲା। ବଟଲର ୨୪ ବଲ୍‌ରୁ ୮ ଚୌକା ଓ ୩ ଛକା ସହାୟତାରେ ସର୍ବାଧିକ ୫୪ ରନ ସ୍କୋର କରିଥିଲେ। ମଧ୍ୟଭାଗରେ ଶିମରନ ହେଟମେର ଦ୍ୱିତୀୟ ସର୍ବାଧିକ ୨୯ ରନ କରିବାକୁ ସକ୍ଷମ ହୋଇଥିଲେ। ଗୁଜରାଟ ବୋଲରଙ୍କ ମଧ୍ୟରେ ୟାଶ୍‌ ଦୟାଲ ଓ ଲୋକି ଫର୍ଗୁସନ ୩ଟି ଲେଖାଏ ଏବଂ ମହମ୍ମଦ ଶାମି ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

Share