ପ୍ରାଥମିକ ସ୍କୁଲ ଖୋଲିବା ନେଇ ଗାଇଡ୍‌ଲାଇନ

ଭୁବନେଶ୍ୱର, ୨୪ା୨(ବ୍ୟୁରୋ): ରାଜ୍ୟରେ ଗତ ୧୪ ତାରିଖରୁ ପ୍ରାଥମିକ ସ୍କୁଲ ଖୋଲିଥିବାବେଳେ ଆସନ୍ତା ୨୮ ତାରିଖରୁ ପିଲାମାନେ ସ୍କୁଲ ଯିବେ। ଦୀର୍ଘ ଦୁଇବର୍ଷ ଧରି ପିଲାମାନେ ସ୍କୁଲ ଯାଇ ନ ଥିବାରୁ ଏବେ ସେମାନଙ୍କ ପାଠପଢ଼ା କିପରି ହେବା ଉଚିତ ସେ ନେଇ ବିଭାଗ ପକ୍ଷରୁ ବୁଧବାର ଗାଇଡ୍‌ଲାଇନ ଜାରି କରାଯାଇଛି।

ପ୍ରଥମ ସପ୍ତାହ ପାଠପଢ଼ା ହେବ ନାହିଁ। ଏହି ସମୟରେ ଷ୍ଟୋରୀ ଟେଲିଂ, ଚିତ୍ରାଙ୍କନ, କ୍ଲେ ମଡେଲିଂ ଭଳି ବିଭିନ୍ନ ଆକ୍ଟିଭିଟିରେ ପିଲାଙ୍କୁ ସାମିଲ କରାଯିବ। ସ୍କୁଲ କର୍ତ୍ତୃପକ୍ଷ ଚାହିଁଲେ ନିଜ ବିଦ୍ୟାଳୟରେ ଏହିଭଳି କିଛି ଆକ୍ଟିଭିଟି କରିପାରିବେ। ସେହିଭଳି ଶିକ୍ଷଣ ସ୍ତର ଜାଣିବା ପାଇଁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ବେସ୍‌ଲାଇନ୍‌ ଆସେସ୍‌ମେଣ୍ଟ କରାଯିବ। ଓଡ଼ିଆ, ଗଣିତ ଓ ଇଂଲିଶ ଆଦି ତିନୋଟି ବିଷୟରେ ପରୀକ୍ଷା ହେବ। ମାର୍ଚ୍ଚ ୯ରୁ ହେବାକୁ ଥିବା ଏହି ପରୀକ୍ଷା ପାଇଁ ଟିଇଆଣ୍ଡ୍‌ଏସ୍‌ସିଇଆର୍‌ଟି ପ୍ରଶ୍ନପତ୍ର ପ୍ରସ୍ତୁତ କରିବ। ପ୍ରଥମ ଦିନ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ, ୧୦ ତାରିଖରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଗଣିତ ଏବଂ ୧୧ ତାରିଖରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପିଲାଙ୍କ ଇଂଲିଶ ବିଷୟରେ ପରୀକ୍ଷା ହେବ। ପିଲାଙ୍କ ଶତ ପ୍ରତିଶତ ଉପସ୍ଥାନ ପାଇଁ ସ୍କୁଲ ଖୋଲିବା ପୂର୍ବରୁ ଗ୍ରାମାଞ୍ଚଳ ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରାଯିବ। ଏଥିରେ ଏସ୍‌ଏମ୍‌ସି ଓ ସିଆର୍‌ସି ସାମିଲ ହେବେ। ସେହିଭଳି ସ୍କୁଲ ଖୋଲିବା ପୂର୍ବରୁ ୨୬ ତାରିଖରେ ଅଭିଭାବକ ଶିକ୍ଷକ ବୈଠକ ଅନୁଷ୍ଠିତ ହେବ।

ସ୍କୁଲ ତରଫରୁ କ’ଣ ପଦକ୍ଷେପ ନିଆଯାଇଛି, କ’ଣ କ’ଣ ଆକ୍ଟିଭିଟି କରାଯିବ, ସେ ନେଇ ସମସ୍ତ ସୂଚନା ଅଭିଭାବକଙ୍କୁ ଦେବା ପାଇଁ କୁହାଯାଇଛି। ଏଥି ସହିତ ପିଲାଙ୍କ ବିକାଶ ପାଇଁ ଅଭିଭାବକଙ୍କ ଭୂମିକା ନେଇ ମଧ୍ୟ ଆଲୋଚନା କରାଯିବ। ପିଲାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରିବା ପାଇଁ ସ୍କୁଲ ପରିସର ସଫାସୁତୁରା କରିବା ସହିତ ସାନିଟାଇଜ କରାଯିବ ଏବଂ ସ୍କୁଲର ପ୍ରବେଶ ଦ୍ୱାରକୁ ବେଲୁନରେ ସଜାଯିବ। ପିଲାଙ୍କ ଉପରେ ଫୁଲ ପକାଇ ସ୍ବାଗତ କରିବାକୁ କୁହାଯାଇଛି। ସ୍କୁଲ ସୁରକ୍ଷା, ସଫା ରଖିବା, ପରିଚାଳନା ଆଦି ବିଭିନ୍ନ ଦିଗକୁ ନେଇ ଆସନ୍ତା ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଏସ୍‌ଏମ୍‌ସିଙ୍କ ଟ୍ରେନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଉକ୍ତ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ କରାଯାଇଛି।