ନଭେମ୍ବର ପାଇଁ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ରାଜ୍ୟ ସରକାର ନଭେମ୍ବର ପାଇଁ ଗାଇଡ୍‌ଲାଇନ ଜାରି କରିଛନ୍ତି। ଗାଇଡ୍‌ଲାଇନ ଅନୁସାରେ କୋଭିଡ-୧୯ ସଂକ୍ରମଣକୁ ରୋକିବା ନେଇ କଣ୍ଟେନମେଣ୍ଟ ଜୋନ୍‌, ଲକ୍‌ଡାଉନ କଟକଣା ବଳବତ୍ତର ରଖିଛନ୍ତି ସରକାର। ହେଲେ ନଭେମ୍ବର ୪ରେ ଦୀପାବଳିରେ ବାଣ ଫୁଟାକୁ ନେଇ ଗାଇଡ୍‌ଲାଇନ୍‌ରେ ସ୍ପଷ୍ଟ କରାଯାଇନାହିଁ। ବାଣ ଫୁଟାଇବା ନେଇ ଅନ୍ୟ ଏକ ଗାଇଡ୍‌ଲାଇନ୍‌ ଜାରି କରାଯିବ ବୋଲି ଜଣାପଡିଛି।

ନଭେମ୍ବର ୧ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ରହିଥିବା ଗାଇଡ୍‌ଲାଇନରେ ସହରାଞ୍ଚଳରେ ପୂର୍ବଭଳି ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ। ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ସମସ୍ତ ପ୍ରକାର ଦୋକାନ ସକାଳ ୫ରୁ ରାତି ୧୦ ଯାଏ ଖୋଲା ରହିବ।

ଗାଇଡ୍‌ଲାଇନରେ ରାଜ୍ୟବ୍ୟାପୀ କେଉଁଠି ସପ୍ତାହାନ୍ତ ଶଟଡାଉନ କଟକଣା ଜାରି କରାଯାଇ ନାହିଁ। ରାଜ୍ୟରେ ସମସ୍ତ ଦୋକାନ, ମଲ୍‌ ଖୋଲା ରହିବ। ସମସ୍ତ ଧାର୍ମିକ ଉତ୍ସବ, ପର୍ବପର୍ବାଣୀ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ପାଳନ କରାଗଲେ ମଧ୍ୟ ସରକାର ପୂର୍ବରୁ ଜାରି କରିଥିବା ଗାଇଡ୍‌ଲାଇନ ପାଳନ କରାଯିବ। କୋଭିଡ-୧୯ ସଂକ୍ରମଣର ସ୍ଥିତିକୁ ଦେଖି ଜିଲା ପ୍ରଶାସନ ଏବଂ ମ୍ୟୁନିସିପାଲ କମିଶନର କଣ୍ଟେନମେଣ୍ଟ ଜୋନ୍‌ ଚିହ୍ନଟ କରିବେ। ଏହି କଣ୍ଟେନମେଣ୍ଟ ଜୋନ୍‌ଗୁଡିକର ସୂଚନା ସମ୍ପୃକ୍ତ ଜିଲାର ଜିଲାପାଳଙ୍କ ୱେବସାଇଟ ଏବଂ ରାଜ୍ୟ ସରକାରଙ୍କ ୱେବସାଇଟରେ ଉଲ୍ଲେଖ ରହିବ।