ଏକାଦଶ ଶ୍ରେଣୀ ପାଇଁ ଆସିଲା ଗାଇଡଲାଇନ୍‌

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ଏକାଦଶ ଶ୍ରେଣୀ ଖୋଲିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ରବିବାର ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁସାରେ, ଦୂରଦୂରାନ୍ତରୁ ଆସୁଥିବା ପିଲାଙ୍କ ପାଇଁ ପ୍ରଥମ ଦିନରେ ଇଣ୍ଡକସନ ସେସନ ରଖାଯିବ। ଇଣ୍ଡକସନ ସେସନରେ ପିଲାଙ୍କ ସହ ଜଣେ ଅଭିଭାବକ ରହିବେ। ଅଧ୍ୟକ୍ଷ କିମ୍ବା ବରିଷ୍ଠ ଅଧ୍ୟାପକ ଏହି ଇଣ୍ଡକସନ କ୍ଲାସ ପରିଚାଳନା କରିବେ। ଏ ନେଇ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଗଣଶିକ୍ଷା ସଚିବ ଚିଠି ଲେଖି ଜଣାଇଛନ୍ତି। ୧୬ ତାରିଖ ବୈଠକରେ ବିସ୍ତୃତ ଆଲୋଚନା ନେଇ ଅବଗତ କରାଇଛନ୍ତି ଗଣଶିକ୍ଷା ସଚିବ। ସେହିପରି ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ୟୁଟ୍ୟୁବ କ୍ଲାସ ବି ହେବ। ଏକାଦଶ ପିଲାଙ୍କୁ ଦଶମ ଶ୍ରେଣୀ ସହ ଲିଙ୍କ ପାଠ ମଧ୍ୟ ପଢ଼ାଇବାକୁ ପରାମର୍ଶ ଦିଆଯାଇଛି। ଗାଇଡଲାଇନ ଅନୁସାରେ ଛାତ୍ରଛାତ୍ରୀମାନେ ନଭେମ୍ବର ୧ ତାରିଖରୁ ସମ୍ପୂର୍ଣ୍ଣ ୟୁନିଫର୍ମ ସହ କ୍ଲାସ ରୁମକୁ ପ୍ରବେଶ କରିବେ।
ସୂଚନାଯୋଗ୍ୟ, କୋଭିଡ ମହାମାରୀ ପାଇଁ ପାଖାପାଖି ଦୁଇ ବର୍ଷ ଧରି ସ୍କୁଲ ବନ୍ଦ ରହିଛି। ରାଜ୍ୟ ସରକାର ଦଶହରା ପରେ ଅଷ୍ଟମ ଓ ଏକାଦଶୀ ଶ୍ରେଣୀ ଖୋଲିବା ନେଇ ଘୋଷଣା କରିଛନ୍ତି।