ଏକାଦଶ ଶ୍ରେଣୀ ପାଇଁ ଗାଇଡ୍‌ଲାଇନ

ଭୁବନେଶ୍ୱର, ୧୮।୧୦(ବ୍ୟୁରୋ): ଆସନ୍ତା ୨୧ ତାରିଖରୁ ଏକାଦଶ ଶ୍ରେଣୀ ଖୋଲିବ। ଏଥିପାଇଁ ରବିବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଏ ନେଇ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି। ୧୬ ତାରିଖ ବୈଠକରେ ଏ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଥିବା ସେ ଅବଗତ କରିଛନ୍ତି। ତେବେ ଗାଇଡ୍‌ଲାଇନ୍‌ ଅନୁସାରେ, ପ୍ରଥମ ଦିନରେ ଦୂର ଦୂରାନ୍ତରୁ ଆସୁଥିବା ପିଲାଙ୍କ ପାଇଁ ଇଣ୍ଡକ୍ସନ ସେସନ୍‌ ରଖାଯିବ। ଏହି ସେସନ୍‌ରେ ପିଲାଙ୍କ ସହ ଜଣେ ଅଭିଭାବକ ରହିବେ। ଅଧ୍ୟକ୍ଷ କିମ୍ବା ବରିଷ୍ଠ ଅଧ୍ୟାପକ ଇଣ୍ଡକ୍ସନ କ୍ଲାସ ପରିଚାଳନା କରିବେ। ସେହିପରି ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ୟୁଟ୍ୟୁବ୍‌ କ୍ଲାସ ମଧ୍ୟ ହେବ। ଏକାଦଶ ପିଲାଙ୍କୁ ଦଶମ ଶ୍ରେଣୀ ସହ ଲିଙ୍କ୍‌ ପାଠ ମଧ୍ୟ ପଢ଼ାଇବାକୁ ପରାମର୍ଶ ଦିଆଯାଇଛି। ସେହିପରି ଛାତ୍ରୀଛାତ୍ରମାନେ ନଭେମ୍ବର ୧ରୁ ସମ୍ପୂର୍ଣ୍ଣ ୟୁନିଫର୍ମ ସହ କ୍ଲାସ୍‌ ରୁମ୍‌କୁ ପ୍ରବେଶ କରିବେ।