୪ ହସ୍ପିଟାଲ ପାଇଁ ଗାଇଡ୍‌ଲାଇନ୍‌

କଟକ ଅଫିସ୍‌,୬ା୭: କଟକ ସହରର ହସ୍ପିଟାଲଗୁଡ଼ିକରେ କରୋନା କାୟା ବିସ୍ତାର କରି ଚାଲିଛି। ବିଶେଷ କରି ଏସ୍‌ସିବି ଓ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ ସ୍ଥିତି ଅଣାୟତ୍ତ ହେବା ପରେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପର ହୋଇପଡ଼ିଛନ୍ତି। ଏହି କ୍ରମରେ ରବିବାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ବସିଛି। କଟକ ସହରରେ ଥିବା ସରକାରୀ ହସ୍ପିଟାଲଗୁଡ଼ିକ ପାଇଁ ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ, ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ, ଶିଶୁଭବନ ଓ ସିଟି ହସ୍ପିଟାଲରେ ଥିବା ସମସ୍ତ ରୋଗୀଙ୍କ କୋଭିଡ୍‌ ଟେଷ୍ଟ କରାଯିବ। ନୂଆ ରୋଗୀ ଆଡ୍‌ମିଶନ ବେଳେ ଓ ହସ୍ପିଟାଲରୁ ରୋଗୀ ଡିସ୍‌ଚାର୍ଜ ହେବା ସମୟରେ ମଧ୍ୟ କୋଭିଡ୍‌ ଟେଷ୍ଟ ହେବ। ସେହିପରି ଏହି ସମସ୍ତ ହସ୍ପିଟାଲଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯିବ। ଚଳିତ ସପ୍ତାହରେ ଏହି ସମସ୍ତ ହସ୍ପିଟାଲଗୁଡ଼ିକ ପାଇଁ ରାପିଡ୍‌ ଆଣ୍ଟିଜେନ ଟେଷ୍ଟ କିଟ୍‌ ପହଞ୍ଚତ୍ବା ସହ ପରୀକ୍ଷା ଆରମ୍ଭ ହେବ। ଫଳରେ ସମସ୍ତ ରୋଗୀଙ୍କ ନାଜାଲ୍‌ ସ୍ବାବ ନେଇ ପରୀକ୍ଷା କରାଯିବା ସହ ମାତ୍ର ୩୦ ସେକେଣ୍ଡରେ କୋଭିଡ ଷ୍ଟାଟସ୍‌ ଜାଣିହେବ ବୋଲି ରାଜ୍ୟ ସରକାରଙ୍କ ବୈଷୟିକ କୋଭିଡ୍‌ ମୁଖପାତ୍ର ଡା. ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ଆସନ୍ତା ୮ ତାରିଖ ଯାଏ କଟକ ସହରକୁ ଶଟ୍‌ଡାଉନ କରାଯାଇଥିବାରୁ ଜରୁରୀ ନ ଥିଲେ ରୋଗୀଙ୍କୁ ହସ୍ପିଟାଲ ଓପିଡି ନ ଆସିବା ପାଇଁ ନିବେଦନ କରାଯାଇଛି। ଏଥିରେ ସହଯୋଗ କଲେ ସଂକ୍ରମଣର ଶୃଙ୍ଖଳକୁ ରୋକାଯାଇପାରିବ। ବୈଠକରେ ଆର୍‌ଡିସି ଅନିଲ ସାମଲ, କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀ, ଡିଏମ୍‌ଇଟି ଡା. ସି.ବି.କେ. ମହାନ୍ତି, ଅତିରିକ୍ତ ଡିଏମ୍‌ଇଟି ଡା. ବି.କେ. ଦାସ, ଏସ୍‌ସିବି ଅଧୀକ୍ଷକ ଡା. ଅନ୍ନଦା ପ୍ରସାଦ ପଟ୍ଟନାୟକ, ଅଧ୍ୟକ୍ଷ ଡା. ଦତ୍ତେଶ୍ୱର ହୋତା, କୋଭିଡ୍‌ ନୋଡାଲ ଅଫିସର ଡା. ଏମ୍‌.ଆର୍‌. ପଟ୍ଟନାୟକ, କୋଭିଡ ଟେଷ୍ଟ ନୋଡାଲ ଅଫିସର ଡା. ନିରୁପମା ଚୟନୀ, ମାନସିକ ରୋଗ ବିଭାଗ ନିର୍ଦ୍ଦେଶକ ଡା. ସାରଦା ପ୍ରସନ୍ନ ସ୍ବାଇଁ, କ୍ୟାନ୍ସର ହସ୍ପିଟାଲ ନିର୍ଦ୍ଦେଶକ ଡା. ଲଲାଟେନ୍ଦୁ ଷଡ଼ଙ୍ଗୀ, ଶିଶୁଭବନ କର୍ତ୍ତୃପକ୍ଷ, ସିଟି ହସ୍ପିଟାଲ ଅଧିକାରୀ ଉପସ୍ଥିତ ଥିଲେ।