ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ନିଯୁକ୍ତି ପାଇଥିବା ନୂଆ ସହକାରୀ ପ୍ରାଧ୍ୟାପକମାନଙ୍କ ସଫଳତା ସେମାନଙ୍କ ଦୀର୍ଘ ଅଧ୍ୟବସାୟ, ତ୍ୟାଗ ଓ ଧୈର୍ଯ୍ୟର ପରିଣାମ। କିନ୍ତୁ ଏହା ଯାତ୍ରାର ଶେଷ ନୁହେଁ, ବରଂ ଏକ ନୂତନ ଓ ଗୁରୁଦାୟିତ୍ୱପୂର୍ଣ୍ଣ ଅଧ୍ୟାୟର ଆରମ୍ଭ। ଆପଣମାନେ ଏବେ ଏପରି ଏକ ଅନୁଷ୍ଠାନରେ ପ୍ରବେଶ କରିବେ, ଯାହାକୁ ମାନବ ସମ୍ବଳ ଗଠନର କାରଖାନା କୁହାଯାଇପାରେ। ଏଠାରେ ଗଢ଼ାଯାଏ ଚରିତ୍ର, ଚେତନା, ଦକ୍ଷତା ଓ ଭବିଷ୍ୟତର ନାଗରିକ। ତେଣୁ ଏହି ଦାୟିତ୍ୱ କେବଳ ଏକ ଚାକିରି ନୁହେଁ, ଏକ ସାମାଜିକ ଦାୟବଦ୍ଧତା।
ପ୍ରଥମେ ମନେରଖିବା ଉଚିତ, ଜଣେ ଶିକ୍ଷକଙ୍କ ବ୍ୟକ୍ତିତ୍ୱ ହିଁ ତାଙ୍କର ପ୍ରଥମ ପାଠ୍ୟପୁସ୍ତକ। ତାଙ୍କର ଭାଷା, ଉଚ୍ଚାରଣ, ଆଚରଣ, ପୋଷାକ, ସମୟାନୁବର୍ତ୍ତିତା ଓ ସାମାଜିକ ବ୍ୟବହାରରେ ଶିକ୍ଷକୀୟ ଆଦର୍ଶ ପ୍ରତିଫଳିତ ହେବା ଆବଶ୍ୟକ। ଛାତ୍ରୀଛାତ୍ର କେବଳ ଶ୍ରେଣୀଗୃହରେ ଶିକ୍ଷକଙ୍କଠାରୁ ଶିଖନ୍ତି ନାହିଁ; ତାଙ୍କର ପ୍ରତ୍ୟେକ କାର୍ଯ୍ୟକୁ ଅନୁସରଣ କରନ୍ତି। ଦ୍ୱିତୀୟତଃ, ଶାରୀରିକ ସୁସ୍ଥତା ଓ ମାନସିକ ସଂଯମକୁ ଜୀବନର ଅଂଶ କରନ୍ତୁ। ନୂତନ ଦରମାର ଆକର୍ଷଣରେ ଅସଂଯମୀ ଜୀବନଶୈଳୀରେ ନିଜକୁ ହଜାଇ ଦିଅନ୍ତୁ ନାହିଁ। ବ୍ୟକ୍ତିଗତ ଜୀବନରେ ନୈତିକତା ଓ ପାରିବାରିକ ମୂଲ୍ୟବୋଧର ସୁରକ୍ଷା ଜାରୁରୀ।
ତୃତୀୟତଃ, ନିଯୁକ୍ତିକୁ ଶିକ୍ଷାର ଶେଷ ସୋପାନ ଭାବିବା ଉଚିତ ନୁହେଁ। ଅଧ୍ୟାପନା ସହିତ ଗବେଷଣା ବୃତ୍ତିଗତ ଜୀବନର ଅବିଚ୍ଛେଦ୍ୟ ଅଂଶ ହେବା ଉଚିତ। ଉଚ୍ଚମାନର ଗବେଷଣା ପତ୍ର, ପ୍ରତିଷ୍ଠିତ ଜର୍ନାଲରେ ପ୍ରକାଶନ, ପୁସ୍ତକ ଓ ପୁସ୍ତକ ଅଧ୍ୟାୟ ରଚନା, ଇ-କଣ୍ଟେଣ୍ଟ ନିର୍ମାଣ ଓ ଜାତୀୟ ସମ୍ମିଳନୀରେ ଅଂଶଗ୍ରହଣ ମାଧ୍ୟମରେ ନିଜର ଶୈକ୍ଷିକ ପରିଚୟ ଦୃଢ଼କରିବା ଦରକାର। ପଦୋନ୍ନତି ପାଇଁ ଆବଶ୍ୟକ ଏକାଡେମିକ ଯୋଗ୍ୟତା ଓ ଏପିଆଇ/ସମ୍ପର୍କିତ ନିୟମାବଳୀ ବିଷୟରେ ଆରମ୍ଭରୁ ସଚେତନ ରୁହନ୍ତୁ। ତେବେ ପ୍ରକାଶନ କେବଳ ସଂଖ୍ୟା ବଢ଼ାଇବାର ମାଧ୍ୟମ ନ ହେଉ। ଗବେଷଣାର ମୌଳିକତା, ନୈତିକତା ଓ ସାମାଜିକ ଉପଯୋଗିତାକୁ ପ୍ରାଧାନ୍ୟ ଦିଅନ୍ତୁ। ନକଲି ଜର୍ନାଲ ଓ ଅନୈତିକ ପ୍ରକାଶନର ପ୍ରଲୋଭନରୁ ଦୂରେଇ ରୁହନ୍ତୁ। ନିଜ ଗବେଷଣାକୁ କେବଳ ବିଦେଶୀ ପରିପ୍ରେକ୍ଷୀରେ ସୀମିତ ନ ରଖି ଓଡ଼ିଶାର ଆଞ୍ଚଳିକ, ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ସମସ୍ୟା ସହିତ ଯୋଡ଼ନ୍ତୁ। ଆଦିବାସୀ ସମାଜ, ଗ୍ରାମୀଣ ଅର୍ଥନୀତି, ମହିଳା ସଶକ୍ତୀକରଣ, ଶିକ୍ଷା, ନିଯୁକ୍ତି ଓ ପରିବେଶ ଭଳି ବିଷୟରେ ଗବେଷଣା ରାଜ୍ୟର ବିକାଶକୁ ଦିଗ୍ଦର୍ଶନ ଦେଇପାରିବ। ନିଜ ଯୋଗ୍ୟତା ଅନୁସାରେ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର, ଫେଲୋଶିପ, ଗବେଷଣା ଅନୁଦାନ ଓ ବିଭିନ୍ନ ଏକାଡେମିକ ପ୍ରତିଯୋଗିତା ପାଇଁ ଆବେଦନ କରନ୍ତୁ।
ଚତୁର୍ଥତଃ, ଆଜିର ଶିକ୍ଷାଜଗତ କୃତ୍ରିମ ବୁଦ୍ଧିମତ୍ତା, ଡିଜିଟାଲ ଶିକ୍ଷା, ଅନ୍ଲାଇନ ଗବେଷଣା ଓ ନୂତନ ଶିକ୍ଷଣ ପଦ୍ଧତି ଦ୍ୱାରା ପରିବର୍ତ୍ତିତ ହେଉଛି। ନୂତନ ପ୍ରଯୁକ୍ତିକୁ ଗ୍ରହଣ କରନ୍ତୁ, କିନ୍ତୁ ତାହାର ଅପବ୍ୟବହାର ନ ହେଉ। ଛାତ୍ରୀଛାତ୍ରଙ୍କ ମଧ୍ୟରେ ପ୍ରଶ୍ନ କରିବାର ମନୋଭାବ, ଯୁକ୍ତିଶୀଳ ଚିନ୍ତନ, ଗବେଷଣା ପ୍ରବୃତ୍ତି ଓ ସୃଜନଶୀଳତା ବିକାଶ କରନ୍ତୁ। ଶିକ୍ଷକ ଜ୍ଞାନର ଏକମାତ୍ର ଉତ୍ସ ନୁହନ୍ତି; ସେ ଜ୍ଞାନ ଅନ୍ବେଷଣର ମାର୍ଗଦର୍ଶକ। ପଞ୍ଚମତଃ, ଓଡ଼ିଶା ସର୍ଭିସ କୋଡ, ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ନିୟମାବଳୀ, ଓଡ଼ିଶା ଆର୍ଥିକ ନିୟମାବଳୀ, ଆଟିଆଇ ଆଇନ ଏବଂ ନିଜ ବିଶ୍ୱବିଦ୍ୟାଳୟର ଆଇନ, ନିୟମ ଓ ନିର୍ଦ୍ଦେଶାବଳୀ ଜାଣିବା ଆବଶ୍ୟକ। ସରକାରୀ ଅର୍ଥ, ଛାତ୍ରୀଛାତ୍ରଙ୍କ ତଥ୍ୟ ଓ ଅନୁଷ୍ଠାନର ସମ୍ପତ୍ତି ପରିଚାଳନାରେ ସ୍ବଚ୍ଛତା ଓ ଦାୟିତ୍ୱବୋଧ ରଖନ୍ତୁ। ବରିଷ୍ଠ ଅଧ୍ୟାପକମାନେ ନବାଗତଙ୍କୁ ମାର୍ଗଦର୍ଶନ କରନ୍ତୁ ଓ ସେମାନଙ୍କ ସଫଳତାରେ ଆନନ୍ଦିତ ହୁଅନ୍ତୁ। ଯୁବ ଅଧ୍ୟାପକମାନେ ମଧ୍ୟ ବରିଷ୍ଠଙ୍କ ଅଭିଜ୍ଞତାକୁ ସମ୍ମାନ ଦେଇ ସେମାନଙ୍କଠାରୁ ଶିଖନ୍ତୁ। ଆଜିର ଯୁବଶକ୍ତି ଆସନ୍ତାକାଲି ଅନୁଷ୍ଠାନର ନେତୃତ୍ୱ ନେବ। ତେଣୁ ଅନୁଭବ ଓ ନୂତନ ଚିନ୍ତାଧାରାର ସମନ୍ବୟ ଅତ୍ୟନ୍ତ ଜରୁରୀ।
ଶେଷରେ, ଜାତୀୟ ଏକତା, ସାମାଜିକ ସମାନତା ଓ ମାନବୀୟ ମୂଲ୍ୟବୋଧର ପ୍ରସାରରେ ନିଜକୁ ସାମିଲ କରନ୍ତୁ। ପରିଶେଷରେ ଏତିକି କୁହାଯାଇପାରେ, ଏକ ନିଯୁକ୍ତିପତ୍ର ଆପଣଙ୍କୁ ଅଧ୍ୟାପକର ପରିଚୟ ଦେଇପାରେ, କିନ୍ତୁ ଆପଣଙ୍କ ଜ୍ଞାନ, ଚରିତ୍ର, ଗବେଷଣା ଓ ସାମାଜିକ ଅବଦାନ ଆପଣଙ୍କୁ ଜଣେ ଆଦର୍ଶ ଶିକ୍ଷକର ମର୍ଯ୍ୟାଦା ଦେବ। ଦରମା ନିଅନ୍ତୁ, କିନ୍ତୁ ଦାୟିତ୍ୱ ଭୁଲନ୍ତୁ ନାହିଁ; ପଦୋନ୍ନତି ଲକ୍ଷ୍ୟ ରଖନ୍ତୁ, କିନ୍ତୁ ଜ୍ଞାନର ସାଧନା ତ୍ୟାଗ କରନ୍ତୁ ନାହିଁ। ନିଜକୁ ଏପରି ଗଢ଼ନ୍ତୁ ଯେ ଆପଣଙ୍କ ଅନୁପସ୍ଥିତିରେ ମଧ୍ୟ ଆପଣଙ୍କ କାର୍ଯ୍ୟ, ଚିନ୍ତାଧାରା ଓ ଛାତ୍ରୀଛାତ୍ରଙ୍କ ସଫଳତା ଏକ ପରିଚୟ ବହନ କରୁଥିବ।
ଅରୁଣ କୁମାର ତ୍ରିପାଠୀ
ଜୟପୁର, ମୋ:୯୦୭୮୮୩୮୬୨୭