ବୁରୁଡ଼ି ଗ୍ରାମକୁ ନିର୍ମାଣ ହେବ ସ୍ଥାୟୀ ପକ୍କା ରାସ୍ତା: ସ୍ଥିତି ପରଖିଲେ ବିଡ଼ିଓ, ଖୁସି ପ୍ରକାଶ କଲେ…

ଗୁଡ଼ାରି, ୧୯/୯ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ ଅନ୍ତର୍ଗତ କଦମା ଗ୍ରାମପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ବୁରୁଡ଼ି ଗ୍ରାମବାସୀଙ୍କ ଦୀର୍ଘଦିନର ସମସ୍ୟାର ସମାଧାନ ହେବାକୁ ଯାଉଛି। ଗ୍ରାମକୁ ସ୍ଥାୟୀ ପକ୍କା ରାସ୍ତା ନିର୍ମାଣ ନିମନ୍ତେ ଶନିବାର ଗୁଡ଼ାରି ବିଡ଼ିଓ ଶୁଚିସ୍ମିତା ବେହେରା ବୁରୁଡ଼ି ଗ୍ରାମ ଗସ୍ତ କରି ରାସ୍ତାର ସ୍ଥିତି ଅନୁଧ୍ୟାନ କରିଛନ୍ତି।

ମୁଖ୍ୟ ରାସ୍ତାରୁ ବୁରୁଡ଼ି ଗ୍ରାମକୁ ସଂଯୋଗ କରୁଥିବା ପ୍ରାୟ ୪ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ରାସ୍ତା ଅତ୍ୟନ୍ତ ଆବଡ଼ାଖାବଡ଼ା ଓ ଶୋଚନୀୟ ହୋଇପଡ଼ିଛି। ପ୍ରାୟ ୪୦ ଗୋଟି ଆଦିବାସୀ କୁଇ ସମ୍ପ୍ରଦାୟ ପରିବାର ବସବାସ କରୁଥିବା ଏହି ଗ୍ରାମବାସୀମାନେ ନିଜର ଦୈନନ୍ଦିନ କାର୍ଯ୍ୟ, ଯାତାୟାତ ଏବଂ ଜରୁରୀକାଳୀନ ସେବା ପାଇଁ ଏହି ବିପଦସଙ୍କୁଳ ରାସ୍ତା ଉପରେ ନିର୍ଭର କରି ନାହିଁ ନଥିବା ହଇରାଣ ହୋଇଆସୁଛନ୍ତି। ପୂର୍ବରୁ ଗ୍ରାମବାସୀମାନେ ଏକ ସ୍ଥାୟୀ ପକ୍କା ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଦାବି କରିଆସୁଥିଲେ।

ଗସ୍ତ ସମୟରେ ବିଡ଼ିଓ ଶ୍ରୀମତୀ ବେହେରା ରାସ୍ତାର ଅବସ୍ଥା ନିଜେ ସମୀକ୍ଷା କରିବା ସହ ଖୁବ୍‌ଶୀଘ୍ର ପକ୍କା ରାସ୍ତା ନିର୍ମାଣ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ରାସ୍ତା ନିର୍ମାଣ ହେଲେ ଗ୍ରାମବାସୀଙ୍କ ଯାତାୟାତ ସୁଗମ ହେବା ସହ ସେମାନଙ୍କ ଜୀବନଶୈଳୀରେ ବ୍ୟାପକ ସୁଧାର ଆସିପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ବିଡ଼ିଓଙ୍କ ଏହି ଗସ୍ତ ସମୟରେ କଦମା ଗ୍ରାମପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀ ସସ୍ମିତା ଶବର ପ୍ରମୁଖ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share