ଗୁଆକୁ ଦୁଆର ଦିଆ

ଶୁଭନାରାୟଣ ଶତପଥୀ

ନିର୍ବାଚନ ଯେତିକି ପାଖେଇ ଆସେ, ଗଁାଠୁ ସହର ସବୁଠି ଲୋକମାନେ ସତେଯେମିତି ଅତ୍ୟଧିକ ସକ୍ରିୟ ହୋଇଉଠନ୍ତି। ଅର୍ଥାତ୍‌ କିଛିଲୋକ ଅତ୍ୟଧିକ ଭାବପ୍ରବଣ ହୋଇଯାଆନ୍ତି ତ ଆଉ କିଛି ଲୋକ ନୀରବ ଦର୍ଶକ ସାଜି ସାମାଜିକ ଗତିବିଧିକୁ ଅନୁଧ୍ୟାନ କରିଥାନ୍ତି। ତା’ ଭିତରେ ଅନେକ ବାକ୍‌ବିତଣ୍ଡା, ହିଂସାକାଣ୍ଡ, ଟାହିଟାପରା ମଧ୍ୟ ଦେଖିବାକୁ ମିଳେ। ଏଇ ନିକଟରେ ଗୋଟିଏ ଗଁାର ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ସେହି ଗଁାର ଆଉ ଜଣେ ବ୍ୟକ୍ତିଙ୍କ ସହ କାଥାବାର୍ତ୍ତା ହେଲାବେଳେ ମଝିରେ ମଝିରେ କହିପକାଉଥାନ୍ତି, ତୁ ମୋର ଗୁଆଦିଆ ବନ୍ଧୁ ହୋଇ ଯଦି ମୋ କଥାରେ ନ ଯିବୁ ତେବେ ଗୁଆ କାଟିଦେବି। ଆମେ ଜାଣୁ ଯେ ଗୁଆ ହେଉଛି ବନ୍ଧୁତ୍ୱକୁ ଧରି ରଖିବାର ଏକ ପାରମ୍ପରିକ ବିଧିର ଶୁଭ ପ୍ରତୀକ। ଏହି ଗୁଆ ଦେଇ ବନ୍ଧୁକୁ ନିମନ୍ତ୍ରଣ କରୁ ଓ ସମ୍ପର୍କର ଡୋରିରେ ବାନ୍ଧି ରଖୁ। ଯେତେବେଳେ କୌଣସି ବନ୍ଧୁକୁ ଆଉ ଗୁଆ ଦିଆଯାଏ ନାହିଁ ସେହି ବନ୍ଧୁ ସେଦିନଠାରୁ ଶତ୍ରୁ କିମ୍ବା ଅବନ୍ଧୁରେ ପରିଣତ ହୁଅନ୍ତି। ତାଙ୍କ ସହ ବନ୍ଧୁ ସମ୍ପର୍କ ଆଉ ଆଗକୁ ବଢ଼େନାହିଁ। ତେବେ ଏ ପରିପ୍ରେକ୍ଷୀରେ କୁହାଯାଇପାରେ ଯେ, ପ୍ରତିଟି କ୍ଷେତ୍ରରେ ବନ୍ଧୁତ୍ୱକୁ ତା’ର ସୀମା ଭିତରେ ରଖିବା ଉଚିତ। ସେହିପରି ନିର୍ବାଚନ, ରାଜନୀତିରେ ନିଜର ଭାଗୀଦାରିତାକୁ ତା’ର ପରିଧି ମଧ୍ୟରେ ରଖି ବ୍ୟକ୍ତି, ପରିବାର, ଗୋଷ୍ଠୀ ସହ ମାନସିକ ଓ ଶାରୀରିକ ସନ୍ତୁଳନ ରକ୍ଷା କରିବାକୁ ପଡ଼ିବ। ତେବେ ନିର୍ବାଚନ ଓ ରାଜନୀତିକୁ ନେଇ ବନ୍ଧୁ ସମ୍ପର୍କ ଛିନ୍ନ ହେବା କିଛି ନୂଆ କଥା ନୁହେଁ। ଏମିତି ଅନେକ ଉଦାହରଣ ଅଛି, ଯେଉଁଠି ଏହି ନିର୍ବାଚନ ଆସିବାର ଅବ୍ୟବହିତ ପୂର୍ବରୁ ବା ପରେ ଅନେକ ବନ୍ଧୁଙ୍କ ବନ୍ଧୁତ୍ୱର ଗୁଆ କଟିଛି। ଦଳ ଅଦଳବଦଳ, ନିର୍ଦ୍ଦଳ, ସ୍ବାଭିମାନ, ନୀତି, ଆଦର୍ଶ ଭିତ୍ତିରେ ପସନ୍ଦ ଓ ଯୋଗ୍ୟ ଆଧାରରେ ନିଜ ପସନ୍ଦର ପ୍ରାର୍ଥୀ ନିର୍ଣ୍ଣୟ କରୁଥିବା ଲୋକେ ସିଧାସଳଖ ବ୍ୟକ୍ତିଗତ ବନ୍ଧୁତା, ଶତ୍ରୁତା ଆଡ଼କୁ କାହିଁକି ଯେ ଚାଲିଆସନ୍ତି ତାହା ବିଚାରଯୋଗ୍ୟ।
ବନ୍ଧୁର ତିକ୍ତ ବା ମଧୁର ସମ୍ପର୍କକୁ ନେଇ ଗୁଆ ରହିବା ବା କଟିବା ନିର୍ଭର କରେ। ଆଉ ଏକ ଘଟଣାରେ ଜଣେ ମହାଶୟ ତାଙ୍କର ଅନ୍ୟ ଜଣେ ଭାଇଙ୍କୁ କହିଲେ, ଦେଖ ତୋ ପୁଅ ଆମ ଦଳକୁ ଛାଡି ଅନ୍ୟ ଦଳ ଲୋକଙ୍କ ସହ ମିଳାମିଶା କଲାଣି। ଯଦି ଏବେଠୁ ପୁଅକୁ ବାଟକୁ ନ ଆଣିବୁ ତେବେ ଗୁଆ କାଟିଦେବି। ପରସ୍ପରଙ୍କ ବନ୍ଧୁ ସମ୍ପର୍କ ଥିବାରୁ ହିଁ ତ ଏତେ ନିକଟତର କଥାବାର୍ତ୍ତା। ବିଚରା ଭଦ୍ରବ୍ୟକ୍ତି ଜଣକ ଆଜ୍ଞାକୁ ଅବଜ୍ଞା ନ କରି ତାଙ୍କ ନିର୍ଦ୍ଦେଶକୁ ଗ୍ରହଣ କରିନେଲେ। କାରଣ ଭଦ୍ରଲୋକ ଜଣକ ଜାଣନ୍ତି ଯେ କେବଳ ଭାବପ୍ରବଣତା, ଉନ୍ମାଦନାର ବଶବର୍ତ୍ତୀ ହୋଇ ସେ ଏପରି କହୁଛନ୍ତି। ତେବେ ଗଁାଠାରୁ ସହର ସବୁଠି ଆମର ଗୋଷ୍ଠୀ, ସାହିଭାଇ, ରକ୍ତଗତ ସମ୍ପର୍କକୁ ନେଇ ଅଧିକ ନିକଟତର ହୋଇଥାଉ। ଯଦି ଗୁଆ କଟିଯାଏ ତେବେ ଆମର ଏ ସମ୍ପର୍କରେ ଶିଥିଳତା ଆସିଯାଏ। ଫଳରେ ସୁବିଧା ଅସୁବିଧାରେ ମଣିଷର ମଣିଷପଣିଆ ହରଣ ହୁଏ।
ଆଉଥରେ ଜଣେ ପ୍ରାର୍ଥୀଙ୍କ ଅନୁଗତ ତାଙ୍କର ସାଙ୍ଗ ସମ୍ପର୍କକୁ ବ୍ୟବହାର କରି ସେହି ସାଙ୍ଗର ବନ୍ଧୁଙ୍କ ଭୋଟ ପ୍ରଭାବିତ କରିବାକୁ ଚେଷ୍ଟା କଲେ। ବିଚରା ଦୁଇ ବନ୍ଧୁଙ୍କ ମଧ୍ୟରେ ଝଗଡ଼ା ଲାଗିଗଲା। ଓଲଟା ସେହି ଅନୁଗତ ଜଣକ ଟାହିଟାପରା କରି କହୁଥାଏ ତୁମର ସେ ଗୁଆଦିଆ ବନ୍ଧୁ, କ’ଣ ତାଙ୍କୁ ଟିକେ ବୁଝେଇ ପାରିଲନି। ଶେଷରେ ଏଠି ବି ହେଲା ଗୁଆକୁ ଦୁଆର ଦିଆ।
ଏମିତି ଅନେକ ନିର୍ବାଚନ ଆସିଛି ଓ ଯାଇଛି। ଏହାକୁ ନେଇ କେଉଁଠି ରକ୍ତଗତ ସମ୍ପର୍କରେ ତିକ୍ତତା ଆସିଛି ତ କେଉଁଠି ଶତ୍ରୁତାରେ ପରିଣତ ହୋଇଛି ବନ୍ଧୁତା। ତେବେ ବନ୍ଧୁତ୍ୱର ପବିତ୍ର ସମ୍ପର୍କ ଗୁଆକୁ ନିର୍ବାଚନ ରଣ ସହ ଯୋଡ଼ିବା ନିଶ୍ଚିତ ରୂପେ ଆମର ଦୁର୍ବଳ ମାନସିକତାର ପରିଚୟ। ସୀମା ଭିତରେ ରହି ରାଜନୀତି ନିର୍ବାଚନରେ ଅଂଶଗ୍ରହଣ କରନ୍ତୁ ଭୋଟରମାନେ। ସୁସ୍ଥ ବାତାବରଣ ମଧ୍ୟରେ ନିର୍ବାଚନ ରଣାଙ୍ଗନକୁ ଆସିବାକୁ ଯୋଗ୍ୟ ପ୍ରାର୍ଥୀଙ୍କୁ ଉତ୍ସାହିତ କରନ୍ତୁ, ଯିଏ ସଭିଙ୍କ ସୁଖ ଦୁଃଖର ସାଥୀ ହେବ। ଆବଶ୍ୟକ ସ୍ଥଳେ ଭୋଟର ରୂପରେ ବନ୍ଧୁତାକୁ ଜନ୍ମ ଦିଅନ୍ତୁ। କିନ୍ତୁ ବ୍ୟକ୍ତିଗତ ସମ୍ପର୍କକୁ ରାଜନୀତି ଓ ନିର୍ବାଚନରେ ବ୍ୟବହାର କଲେ ତାହା କେବଳ ବୁମେରାଂ ହେବା ସାର ହେବ। ଗୁଆ କାଟିବାର ଧମକ ଦେଇ ନିଜ ପକ୍ଷର ଭୋଟ ବଢ଼ାଇ ହେବ ନାହିଁ। ଏହା ମଧ୍ୟ ଏକ ଆପରାଧିକ କାର୍ଯ୍ୟ। ତେବେ ମନେରଖିବାକୁ ହେବ ଯେ, ଅନ୍ତଃମନରୁ ସୃଷ୍ଟି ବନ୍ଧୁତ୍ୱର ଭାବ କେବେ ଗୁଆ କାଟିଲେ ବି କଟେ ନାହିଁ। ସେ ଯାହା ହେଉନା କାହିଁକି, ବନ୍ଧୁତ୍ୱର ପ୍ରତୀକ ଗୁଆ ଦଳୀୟ ନୁହେଁ ବରଂ ଏହା ନିବିଡ଼ ସମ୍ପର୍କର ମୂଳଦୁଆ।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ- ୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri