ଜୟପୁର,୯ା୫: ଅଧିନାୟକ ଶୁବମନ ଗିଲ୍ ଓ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ପରେ ରଶିଦ ଖାନଙ୍କ ୪ ଉଇକେଟ ସଫଳତା ବଳରେ ଶନିବାର ଅନୁଷ୍ଠିତ ଆଇପିଏଲ୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ୭୭ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହି ବିଜୟ ସହ ଗୁଜରାଟ ପଏଣ୍ଟ ଟେବଲୁରେ ୧୧ ମ୍ୟାଚ୍ରେ ୧୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନକୁ ଉଠିଛି। ଅନ୍ୟପକ୍ଷରେ ରାଜସ୍ଥାନ ପଞ୍ଚକୁ ସ୍ଥାନକୁ ଖସିଛି।
ଜୋଫ୍ରା ଆର୍ଚ୍ଚରଙ୍କର ୧୧ ବଲ ବିଶିଷ୍ଟ ଓଭର ସହ ମ୍ୟାଚ୍ ଆରମ୍ଭ ହୋଇଥିଲା, ଯାହାକି ଆଇପିଏଲ୍ ଇତିହାସର ଯୁଗ୍ମ ସବୁଠୁ ଲମ୍ବା ଓଭର। ସୁଦର୍ଶନ ଓ ଗିଲ୍ ଆଟାକିଂ ବ୍ୟାଟିଂ କରି ପ୍ରଥମ ୬ ଓଭରରେ ଗୁଜରାଟର ସ୍କୋରକୁ ୮୨ ରନରେ ପହଞ୍ଚାଇଥିଲେ, ଯାହାକି ଆଇପିଏଲ୍ ଇତିହାସରେ ଦଳର ଯୁଗ୍ମ ସର୍ବାଧିକ ପାଓ୍ବାରପ୍ଲେ ସ୍କୋର। ଦୁହେଁ ଅର୍ଦ୍ଧଶତକ ପୂରଣ କରିବା ସହ ୧୦.୫ ଓଭରରେ ୧୧୮ ରନ କରିଥିଲେ। ଦୁଇ ବ୍ୟାଟରଙ୍କ ଲାଗି ଏହା ଆଇପିଏଲ୍ରେ ନବମ ଶତକୀୟ ପାର୍ଟନରଶିପ୍ ଥିଲା। ସୁଦର୍ଶନ ୩୬ ବଲରେ ୫୫ (୪ ଚୌକା ଓ ୨ ଛକା) ରନ କରି ଆଉଟ୍ ହୋଇଥିବା ବେଳେ ନଂ.୩ରେ ଆସିଥିବା ଜୋଶ ବଟଲର (୧୩) ବିଫଳ ହୋଇଥିଲେ। କିନ୍ତୁ ଦଳୀୟ ସ୍କୋରକୁ ୧୯୦ ପାଖାପାଖି ପହଞ୍ଚାଇବା ପରେ ଗିଲ୍ (୮୪ ରନ, ୪୪ ବଲ, ୯ ଚୌକା ଓ ୩ ଛକା) ବଡ଼ ଶଟ୍ ଖେଳିବାକୁ ଯାଇ ଉଇକେଟ ହରାଇଥିଲେ।
ଶେଷ ଆଡ଼କୁ ଓ୍ବାଶିଂଟନ ସୁନ୍ଦର ୨୦ ବଲରେ ୩୭ (୨ ଚୌକା ଓ ୩ ଛକା) ଓ ରାହୁଲ ଟଓ୍ବୋଟିଆ ୪ ବଲରେ ୧୪ (୨ ଛକା) ରନ କରି ଦଳୀୟ ସ୍କୋରକୁ ୨୨୯/୪ରେ ପହଞ୍ଚାଇଥିଲେ। ଜବାବରେ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇ ରାଜସ୍ଥାନ ୧୬.୩ ଓଭରରେ ୧୫୨ ରନରେ ଅଲଆଉଟ୍ ହୋଇଯାଇଥିଲା। ବୈଭବ ସୂର୍ଯ୍ୟବଂଶୀ (୩୬ ରନ,୧୬ ବଲ, ୩ ଲେଖାଏ ଚୌକା ଓ ଛକା) ଓ ରବୀନ୍ଦ୍ର ଜାଡେଜା (୩୮ ରନ, ୨୫ ବଲ, ୩ ଚୌକା ଓ ୨ ଛକା)ଙ୍କୁ ଛାଡ଼ି ଦେଲେ ଅନ୍ୟ କେହି କ୍ରିଜ୍ରେ ଅଧିକ ସମୟ ତିଷ୍ଟି ପାରି ନ ଥିଲେ। ଗୁଜରାଟ ପାଇଁ ରଶିଦ ୪, ଜାସନ ହୋଲ୍ଡର ୩ ଓ କାଗିସୋ ରାବାଡା ୨ ହାତେଇଥିଲେ।