ସୁନା ଦୋକାନରେ ଜିଏସ୍‌ଟି ଅଧିକାରୀଙ୍କ ଚଢ଼ାଉ

କଣାସ,୧୨।୫(ସ୍ବ.ପ୍ର.): କଣାସ ବ୍ଲକରେ ଥିବା ଦୁଇଟି ସୁନା ଦୋକାନରେ ଗୁରୁବାର ଜିଏସ୍‌ଟି ପକ୍ଷରୁ ଚଢ଼ାଉ କରାଯାଇଛି। ଗୋଟିଏ ସୁନା ଦୋକାନର ଦୁଇଟି ଶାଖା ଯଥା କଣାସ କଲେଜ ନିକଟରେ ଥିବା ମହାଦେବ ଜୁଏଲାରୀ ଏବଂ କଣାସ ବଜାର ଭିତରେ ଥିବା ମହାଦେବ ଜୁଏଲାରୀ ସୁନାଗହଣା ଦୋକାନ ଉପରେ ପୂର୍ବାହ୍ନରେ ପୁରୀ ଏବଂ ଭୁବନେଶ୍ୱରର ଜିଏସ୍‌ଟି ଅଧିକାରୀମାନେ ଅଚାନକ ଚଢାଉ କରିଛନ୍ତି। ପୁରୀ ଜିଏସ୍‌ଟି ଡେପୁଟି କମିଶନର ଦାମୋଦର ପାତ୍ରଙ୍କ ନେତୃତ୍ୱରେ ଭୁବନେଶ୍ୱର ଜିଏସ୍‌ଟିର ଅଧିକାରୀ ୧୦ରୁ ଊର୍ଦ୍ଧ୍ୱ କର୍ମଚାରୀ ମିଳିତ ଭାବେ ଦୁଇଟିଯାକ ଦୋକାନ ଉପରେ ଚଢାଉ ଜାରି ରଖିଛନ୍ତି। ଅଧିକାରୀମାନେ ଦୋକାନର ମୁଖ୍ୟଦ୍ୱାର ବନ୍ଦ କରି ଭିତରେ କାଗଜପତ୍ର ତନଖି କରିବା ସହିତ ଗଚ୍ଛିତ ଥିବା ସୁନା ଜିନିଷ ରେକର୍ଡ ଯାଞ୍ଚ କରୁଥିବା ବେଳେ ଜିଏସ୍‌ଟି କେତେଟଙ୍କା ଦେଇଛନ୍ତି ତାହା ଟିକିନିଖି ତଦନ୍ତ କରିଛନ୍ତି। ଖବର ଲେଖାହେବା ସୁଦ୍ଧା ଜିଏସ୍‌ଟି ଅଧିକାରୀମାନେ କଣାସ କଲେଜ ନିକଟରେ ଥିବା ମହାଦେବ ଜୁଏଲାରୀ ଦୋକାନ ଭିତରେ ତଦନ୍ତ କରୁଥିବା ଜଣାପଡ଼ିଛି।