ଭିଜିଲାନ୍ସ ଜାଲରେ କୋଟିପତି ଜିଆର୍‌ଏସ୍‌

ପୁରୀ ଅଫିସ,୨୮।୮: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କୋଟିପତି ଗ୍ରାମ ରୋଜଗାର ସେବକ (ଜିଆରଏସ୍‌)। ପୁରୀ ଜିଲା ଗୋପ ବ୍ଲକ ଛଇତନା ପଞ୍ଚାୟତର ଜିଆରଏସ୍‌ ଗୋବିନ୍ଦ ଚନ୍ଦ୍ର ପରିଡ଼ାଙ୍କ ନଁାରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ତେଣୁ ଭିଜିଲାନ୍ସ ଭୁବନେଶ୍ୱର ଡିଭିଜନ ପକ୍ଷରୁ ଗୁରୁବାର ପରିଡ଼ାଙ୍କ ବାସଭବନ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢାଉ କରାଯାଇଛି। ଏହି ଚଢାଉ ବେଳେ ପରିଡ଼ାଙ୍କର ୧ କୋଟି ୭୦ଲକ୍ଷ ୧୫ ହଜାର ୬୫୪ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି।
ସୂଚନା ମୁତାବକ, ପରିଡ଼ାଙ୍କ ନଁାରେ ପୂର୍ବରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରହିଥିଲା। ତେଣୁ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ପୁରୀ ବାଲୁଖଣ୍ଡ ମୌଜାରେ ଥିବା ତିନିମହଲା ବିଶିଷ୍ଟ ୨ଟି କୋଠା, ଛଇତନା ଅଫିସ, ଆଳଶଙ୍ଖାସ୍ଥିତ ପୈତୃକ ଘର ଓ ଅନ୍ୟ ଏକ ଆଜବେଷ୍ଟସ ଘର, ବାଲିକପିଳେଶ୍ୱରପୁର କ୍ଲିନିକ୍‌ରେ ଏହି ଚଢାଉ କରାଯାଇଥିଲା। ଏହି ସମୟରେ ଏକାଧିକ କୋଠା, ପ୍ଲଟ, ବାଇକ୍‌, ଅଳଙ୍କାର, ବୀମା, ବ୍ୟାଙ୍କ ଜମା ଓ ନଗଦ ଟଙ୍କା ଠାବ କରାଯାଇଛି। ତାଙ୍କର ତିନି ମହଲା ବିଶିଷ୍ଟ ୨ଟି କୋଠାର ମୂଲ୍ୟ ୧,୧୦, ୯୭, ୬୬୭ ଟଙ୍କା, ଗୋଟିଏ ଆଜବେଷ୍ଟସ ଘର ୬, ୫୨, ୬୬୪ ଟଙ୍କା, ଗୋଟିଏ କୋଠା ୨, ୭୦, ୮୦୦ ଟଙ୍କା, ୭ଟି ପ୍ଲଟର ମୂଲ୍ୟ ୧୬,୩୦,୦୦୦ ଟଙ୍କା, ଏକ କ୍ଲିନିକ ୧, ୧୧, ୭୪୧ ଟଙ୍କା, ବିଭିନ୍ନ ବ୍ୟାଙ୍କ ଜମା ୧୬, ୭୦, ୨୭୮ ଟଙ୍କା, ବିଭିନ୍ନ ପଲିସି ୭, ୬୨, ୫୨୫ ଟଙ୍କା, ଗୋଟିଏ ବାଇକ୍‌ ୪୨,୦୦୦ ଟଙ୍କା, ସୁନା ଓ ରୁପା ଅଳଙ୍କାର ୫୧,୬୦୦ ଟଙ୍କା, ନଗଦ ୪,୨୮, ୯୬୦ ଟଙ୍କା ଏବଂ ଘର ସାମଗ୍ରୀ ୨,୯୭, ୪୧୯ ଏହିପରି ମୋଟ ୧କୋଟି ୭୦ଲକ୍ଷ ୧୫ ହଜାର ୬୫୪ ଟଙ୍କା ଆକଳନ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।