ଆବାସ ଯୋଜନା ଫାଇନାଲ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ: ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଆର୍‌ଏସ୍‌

ଝାରସୁଗୁଡା ଅଫିସ୍‌,୩୦।୯: ଝାରସୁଗୁଡା ଜିଲା ଲଖନପୁର ବ୍ଲକ୍‌ କନକତୋରା ପଞ୍ଚାୟତ କାର୍ଯ୍ୟାଳୟରେ ଶୁକ୍ରବାର ଜିଆର୍‌ଏସ୍‌ ମନୋଜ ସାହୁ ଜଣେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ନିକଟରୁ ୧୪ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଭିଜିଲାନ୍ସ ବିଭାଗ ସମ୍ପୃକ୍ତ ଅଭିଯୁକ୍ତ ଜିଆର୍‌ଏସ୍‌ ସାହୁଙ୍କୁ ଗିରଫକରି ଅଧିକ ତଦନ୍ତ ଚଳାଇଛି। ହିତାଧିକାରୀ ସୁବାସ ପ୍ରଧାନଙ୍କ ଅଭିଯୋଗକୁ ଭିତିକରି ଝାରସୁଗୁଡା ଭିଜିଲାନ୍ସ କାର୍ଯ୍ୟାଳୟ ପକ୍ଷରୁ କେଶ (ନଂ ୨୧/୨୨)ରେ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଜାରି ରହିଛି  ଏହି ଚଢାଉରେ ଝାରସୁଗୁଡା ଭିଜିଲାନ୍ସ ଡିଏସ୍‌ପି ପ୍ରଦୀପ କୁମାର ଆଇନ୍ଦ୍‌,ଦେବଗଡ ଭିଜିଲାନ୍ସ ଯୋଗେଶ ପଟେଲ,ଇନ୍‌ସ୍ପେକ୍ଟର ଏସ୍‌ ରଙ୍ଗୋଲି,କନେଷ୍ଟବଳ ମନୋଜ ସାହୁ ଓ ଗୌରୀଶଙ୍କର ମେହେର ପ୍ରମୁଖ ସାମିଲ ହୋଇଥିଲେ ।

ଭିଜିଲାନ୍ସ ବିଭାଗ ସୂତ୍ରରୁ ଜଣାପଡିଛି, କୁହାକୁଣ୍ଡା ଗ୍ରାମର ହିତାଧିକାରୀ ସୁବାସ ପ୍ରଧାନଙ୍କ ନାମରେ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଘର ଆସିଥିଲା । ଏହି ଘର ସମ୍ପୃର୍ଣ୍ଣ ହେଲାପରେ ଏହାର ଫାଇନାଲ୍‌ ବିଲ୍‌ କରାଇଦେବାପାଇଁ ଜିଆର୍‌ଏସ୍‌ ସାହୁ ହିତାଧିକାରୀଙ୍କୁ ବାରମ୍ବାର ହଇରାଣ କରି ୧୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏତେଟଙ୍କା ହିତାଧିକାରୀଙ୍କ ପକ୍ଷରେ ଦେବା ସମ୍ଭବନଥିଲା । ଫଳରେ ହିତାଧିକାରୀ ପ୍ରଧାନ ଏସମ୍ପର୍କରେ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଭିଜିଲାନ୍ସ ବିଭାଗ ପୂର୍ବପ୍ରସ୍ତୁତି ଅନୁଯାୟୀ ହିତାଧିକାରୀ ପ୍ରଧାନ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଜିଆର୍‌ଏସ୍‌ ସାହୁଙ୍କୁ ୧୪ ହଜାର ଟଙ୍କା ଦେଉଥିବାବେଳେ ଭିଜିଲାନ୍ସ ଲାଞ୍ଚ ଟଙ୍କା ସହ ଅଭିଯୁକ୍ତଙ୍କୁ କାବୁ କରିଥିଲେ।