ଶୀତଳଭଣ୍ଡାରରେ ଆଳୁ ଗଜା, ଚିନ୍ତାରେ ଚାଷୀ

ପିପିଲି,୨୪।୯(ଦୁର୍ଗାମାଧବ ମିଶ୍ର): ପିପିଲି ଅଞ୍ଚଳରେ ସରକାରୀ ଶୀତଳଭଣ୍ଡାର ନ ଥିବାରୁ ଚାଷୀମାନେ ପୁରୀ ସଦର ଆଳପୁରରେ ଥିବା ଏକ ଘରୋଇ ଶୀତଳଭଣ୍ଡାରରେ ଆଳୁ ରଖିଥିଲେ। ହେଲେ ବସ୍ତାରେ ଥିବା ଆଳୁ ଗଜା ହୋଇଯାଇଛି, ଯାହାକି ଖାଇବା ଉପଯୋଗୀ ନୁହେଁ। ଏନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ। ଅନ୍ୟପକ୍ଷରେ ଶୀତଳଭଣ୍ଡାର ପକ୍ଷରୁ କୁହାଯାଇଛି ଯେ, ଏହି ଶୀତଳଭଣ୍ଡାରରେ ୨୭ ହଜାର ବସ୍ତା ଆଳୁ ରହିପାରିବ। ଚାଷୀମାନେ ୧୨ ଶହ ବସ୍ତା ଆଳୁ ରଖିଛନ୍ତି। ପ୍ରତି ମାସରେ ତାଙ୍କର ବିଦ୍ୟୁତ୍‌ ବିଲ୍‌ ଦେୟ ହେଉଛି ୪୫ରୁ ୪୭ ହଜାର ଟଙ୍କା। ଘରୋଇ ଶୀତଳଭଣ୍ଡାର ହୋଇଥିବାରୁ ସରକାର କୌଣସି ଆର୍ଥିକ ସହାୟତା ଦେଉନାହାନ୍ତି। ତେଣୁ ଶୀତଳଭଣ୍ଡାର ଚଳାଇବା କଷ୍ଟକର ହୋଇପଡୁଛି। ପିପିଲିର ଦକ୍ଷିଣସାହି ଗ୍ରାମର ୧୦ଜଣ ଚାଷୀ କିଭଳି କ୍ଷତିପୂରଣ ପାଇବେ ସେନେଇ ଚିନ୍ତାରେ ଅଛନ୍ତି। ସେହିପରି ସତ୍ୟବାଦୀ ବ୍ଲକର ଖଡ଼ିକୁଦା, ନୂଆସାହି, ବଳରାମପୁର, ଭୂତୁପଦା, ପିଡ଼ସାହି, ବାଗଲପୁର ଏବଂ ନିମାପଡ଼ା ବ୍ଲକର ଉଛୁପୁର ନୂଆସାହି, ନରୁଡ଼ା, ପାର୍ବତୀପୁର ଆଦି ଅଞ୍ଚଳର ଚାଷୀ ଅଞ୍ଚଳରେ ଶୀତଳଭଣ୍ଡାର ନ ଥିବାରୁ ସେମାନେ ମଧ୍ୟ ଆଳପୁରରେ ରଖିଥିବା ଆଳୁର ସମାନ ଅବସ୍ଥା। ସରକାର ଏଥିପ୍ରତି ଦୃଷ୍ଟି ଦେବା ସହ କ୍ଷତିଗ୍ରସ୍ତ ଆଳୁ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି।