ପାନ ଛେପ ପକାଇବାକୁ ନେଇ ଗୋଷ୍ଠୀ ସଂଘର୍ଷ: ଚାଲିଗଲା ଜଣଙ୍କ ଜୀବନ

ଚାନ୍ଦବାଲି,୫।୬: ଭଦ୍ରକ ଜିଲା ବାଂଶଡ଼ା ଥାନା ଅଧୀନ ଗୋପିନାଥପୁର ପଞ୍ଚାୟତ କର୍ଡୁଆସାହି ଗଁାରେ ଶନିବାର ଛେପ ପକାଇବାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଗଁାର ଦୁଃଖିରାମ ଦାସ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ପରିବାର ମଧ୍ୟରେ ଜମିଜମାକୁ ନେଇ ପୂର୍ବରୁ ବିବାଦ ରହିଥିଲା। ଶନିବାର ଅପରାହ୍ନ ପ୍ରାୟ ୩ଟାରେ ଅପରପକ୍ଷର ଜଣେ ସଦସ୍ୟ ପାନ ଛେପ ପକାଇବା ବେଳେ ଦୁଃଖିରାମଙ୍କ ଘର ଦୁଆରେ ପଡ଼ିଥିଲା। ଏହାକୁ ନେଇ କଥା କଟାକଟିରୁ ଉଭୟ ପରିବାର ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଦୁଃଖିରାମଙ୍କ ସମେତ ଉଭୟ ପକ୍ଷର ୫ଜଣ ଆହତ ହୋଇଥିଲେ। ସମସ୍ତଙ୍କୁ ଚିକିତ୍ସା ପାଇଁ ତିହିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଦୁଃଖିରାମଙ୍କୁ ମୃତ ଘୋଷଣା କରିଥିଲେ।