ଛତ୍ରପୁର,୧୧।୧୧(ଦିଲ୍ଲୀପ ସାମଲ): ବିବାହ ଶୋଭାଯାତ୍ରାରେ ବାଣ ଫୁଟାଇବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ତୀବ୍ର ଗଣ୍ଡଗୋଳ ଓ ମାରପିଟ୍ ଘଟି ୭ ଜଣ ଆହତ ହୋଇଛନ୍ତି। ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ସୁବଳୟା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁଯାୟୀ, ଗ୍ରାମରେ ଏକ ବିବାହ ଶୋଭାଯାତ୍ରା ଚାଲିଥିବା ସମୟରେ ବାଣ ଫୁଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ତେବେ ଦେଖୁ ଦେଖୁ ଏହା ଉଗ୍ରରୂପ ଧାରଣ କରିଥିଲା ଏବଂ ଉଭୟ ପକ୍ଷ ମୁହାଁମୁହିଁ ହୋଇ ମାରପିଟ୍ ଆରମ୍ଭ କରିଦେଇଥିଲେ। ସଂଘର୍ଷ ଏତେ ଭୟାନକ ଥିଲା ଯେ ଘଟଣାସ୍ଥଳରେ ଖଣ୍ଡା ଓ କାତି ଭଳି ଧାରୁଆ ଅସ୍ତ୍ରଶସ୍ତ୍ର ବ୍ୟବହାର ହୋଇଥିବା ଜଣାପଡ଼ିଛି।
ଏହି ଗୋଷ୍ଠୀ ସଂଘର୍ଷରେ କଣ୍ଟିଆଗଡ଼ ଗ୍ରାମର ରାଜା ପ୍ରଧାନ, ସୁନୀଲ ପ୍ରଧାନ ଓ ଅନିଲ ପ୍ରଧାନଙ୍କ ସମେତ ଉଭୟ ଗୋଷ୍ଠୀର ମୋଟ ୭ ଜଣ ରକ୍ତାକ୍ତ ଆହତ ହୋଇଛନ୍ତି। ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା।
ତେବେ ଆହତଙ୍କ ମଧ୍ୟରୁ ରାଜା ପ୍ରଧାନଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ରମ୍ଭା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ଘଟଣାର ସୂଚାରୁ ତଦନ୍ତ ଜାରି ରଖିଛି।