ସମ୍ବଲପୁର,୩ା୬(ପ୍ରମୋଦ ବହିଦାର): ହୀରାକୁଦରେ ପୂର୍ବ ଶତ୍ରୁତା ଓ ବାରମ୍ବାର ଗଣ୍ଡଗୋଳକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇ ବୁର୍ଲା ଭମ୍ସାରରେ ଭର୍ତ୍ତି ହୋଇଛନ୍ତି । ସେ ହେଉଛନ୍ତି ହୀରାକୁଦ ଥାନା ଅନ୍ତର୍ଗତ ଗୁଜାତଳ ଅଞ୍ଚଳର ଗଗନ ଜଗଦୀଶ(୨୦)।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆହତ ଗଗନଙ୍କ ନାମରେ ପୂର୍ବରୁ ମଧ୍ୟ ଅନେକ ଅପରାଧିକ କାର୍ଯ୍ୟକଳାପ ଓ ଗଣ୍ଡଗୋଳର ଅଭିଯୋଗ ରହିଥିଲା । ବିଗତ ଦିନରେ ଏକ ମାମଲାରେ ସେ ଗିରଫ ହୋଇ ଜେଲ ମଧ୍ୟ ଯାଇଥିଲେ। ନିକଟରେ ଜେଲରୁ ବାହାରିବା ପରେ ସେ ପୁଣି ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ସହ ଝଗଡ଼ା ଓ ଗଣ୍ଡଗୋଳ କରିବା ଆରମ୍ଭ କରିଥିଲେ । ମଙ୍ଗଳବାର ରାତିରେ ମଧ୍ୟ ଏକ ଗଣ୍ଡଗୋଳ ଘଟଣାକୁ ନେଇ ପୋଲିସ ତାଙ୍କୁ ଥାନାକୁ ଆଣିଥିଲା, ପରେ ପରିବାର ଲୋକଙ୍କୁ ଡାକି ଜିମା ଦିଆଯାଇଥିଲା । ତେବେ ବୁଧବାର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେତେକ ଯୁବକଙ୍କୁ ମାରପିଟ୍ କରିଥିଲେ। ଫଳରେ ଉକ୍ତ ଯବକମାନେ ପ୍ରତିକ୍ରିୟାଶୀଳ ହୋଇ ଗଗନଙ୍କୁ ସଂଘବଦ୍ଧ ଭାବେ ଛୁରୀରେ ଆକ୍ରମଣ କରିଥିଲେ । ଏଥିରେ ସେ ଗୁରୁତର ଆହତ ହୋଇଥିଲେ ।
ଖବର ପାଇ ପୋଲିସ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭିମ୍ସାରରେ ଭର୍ତ୍ତି କରିଛି । ଅପରପକ୍ଷରେ ଆକ୍ରମଣ ଶିକାର ଆହତ ଗଗନଙ୍କ ପିତା କରୁଣାକର ଜଗଦୀଶ ତାଙ୍କ ପୁତ୍ରକୁ ୪ ଜଣ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି । ତାଙ୍କ ଏତଲା କ୍ରମେ ହୀରାକୁଦ ଥାନାରେ ୪ ଜଣଙ୍କ ବିରୋଧରେ କେସ ନମ୍ବର ୧୨୧/୨୦୨୬ରେ ଏକ ମାମଲା ରୁଜୁ ପୋଲିସ ତଦନ୍ତ ଆରମ୍ଭ କରି ସନ୍ଦେହରେ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେହିପରି ଅନ୍ୟ ଫେରାର ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ବର୍ତ୍ତମାନ ଗଗନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି ବୋଲି ପୋଲିସ କହିଛି ।
Dharitri – Odisha’s No.1 Odia Daily