ମଲ୍‌ ପାଇଁ କାଟିଦେଲେ ବର, ନିମ୍ବ ଗଛ: ତିନି ଦିନ ପରେ ଖୋର୍ଦ୍ଧା ବନ ବିଭାଗର ଚେତା ପଶିଲା

ଖୋର୍ଦ୍ଧା ଅଫିସ,୧।୫: ଖୋର୍ଦ୍ଧା- ନୟାଗଡ ୫୭ ନଂ ଜାତୀୟ ରାଜପଥ ଖୋର୍ଦ୍ଧା କ୍ଲବ ନିକଟରେ ଏକ ନିର୍ମାଣାଧିନ ଶପିଂ ମଲ ସମ୍ମୁଖ ରାସ୍ତାକଡରେ ଥିବା ବହୁ ପୁରୁଣା ବର ଓ ନିମ୍ବ ଗଛକୁ ସଂପୃକ୍ତ ମଲ ମାଲିକ କାଟି ସଫା କରି ଦେଇଥିବା ଜଣାପଡିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପରେ ବନ ବିଭାଗର ଚେତା ପସିଛି। ରବିବାର ସକାଳେ ଗଛ କଟା ଚାଲିଥିବା ଖବରପାଇ ଖୋର୍ଦ୍ଧା ବନ ଅଧିକାରୀ ଜୟକୃଷ୍ଣ ପଣ୍ଡା ଟିମ୍‌ ସହ ପହଞ୍ଚି ଘଟଣା ସ୍ଥଳରୁ କରତ, ଟାଙ୍ଗିଆ ଏବଂ କଟା ଯନ୍ତ୍ରାଂଶ ଜବତ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଗତ ତିନିଦିନ ହେଲା ଗଛ କଟା ଚାଲିଥିବା ବେଳେ ସ୍ଥାନୀୟ ବ୍ୟବସାୟୀ ନୀରବଦ୍ରଷ୍ଟା ସାଜିଥିଲେ। କିଏ ଗଛ କାଟିଲା, କାହା ଇଙ୍ଗିତରେ ଗଛ କଟାଯାଉଛି ସେନେଇ କେହି ମୁହଁ ଖୋଲିବାକୁ ନାରାଜ ଥିଲେ। ତେବେ ଦୀର୍ଘ ଦିନ ଧରି ପ୍ରଚଣ୍ଡ ଖରାରେ ପଥଚାରୀଙ୍କୁ ଛାଇ ଯୋଗାଇ ଆସୁଥିବା ଗଛ କଟାଯିବା ପରେ ସମ୍ପୂର୍ଣ୍ଣ ଅଞ୍ଚଳ ଟାଙ୍ଗରା ପାଲଟିଛି। ତେବେ ବନ ବିଭାଗ କାର୍ଯ୍ୟାଳୟଠାରୁ ମାତ୍ର ଶହେ ମିଟର ଦୂରରେ ଗଛକଟା ଚାଲିଥିବା ବେଳେ ବନ ବିଭାଗ କିପରି କିଛି ଜାଣି ପାରିଲା ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ବିଭିନ୍ନ ମହଲରେ ଏନେଇ ପ୍ରତିକ୍ରିୟା ପ୍ରକାଶ ପରେ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ଏନେଇ ବନ ଅଧିକାରୀ ଜୟକୃଷ୍ଣ ପଣ୍ଡା କୁହନ୍ତି ରାସ୍ତାକଡରୁ ଗଛ କାଟିବାକୁ ହେଲେ ବିଭାଗ ପକ୍ଷରୁ ଅନୁମତି ନେବାକୁ ପଡେ। ବିନା ଅନୁମତିରେ ବର, ନିମ୍ବ ପରି ବହୁ ମୂଲ୍ୟବାନ ଗଛ କଟାଯିବା ଦଣ୍ଡନୀୟ ଅପରାଧ। ସଂପୃକ୍ତ ମଲ୍‌ ମାଲିକଙ୍କୁ ନୋଟିସ କରାଯିବ। ଗଛ କାଟିବାକୁ ତାଙ୍କୁ କିଏ ଅନୁମତି ଦେଲା, କୈଫତ ତଲବ କରାଯିବ। ବନ ବିଭାଗ ଆଇନ ଅନୁସାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।