ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ ବିଷୋୟୀଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ କରାଯିବା ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ତଦନ୍ତକାରୀ ଅଧିକାରୀ ତଥା ଦିଗପହଣ୍ଡି ଥାନା ଆଇଆଇସି କିଶୋର କୁମାର ସାମଲ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ତିଳେଶ୍ୱର ଗ୍ରାମର ସ୍ୱାଧୀନ ବିଷୋୟୀ (୨୮), ଶଙ୍କର ସ୍ୱାଇଁ (୨୭), ଲିଙ୍କୁନ ପଣ୍ଡା (୨୫) ଏବଂ ଶେରଗଡ଼ ଥାନା ଚିକିଲି ଗ୍ରାମର ଚନ୍ଦନ ଗୌଡ଼ (୨୪)। ଥାନା ମାମଲା ନଂ. ୩୭୬/୨୬ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍-ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୨ ମାସ ପୂର୍ବେ ଗ୍ରାମରେ ଅସାମାଜିକ କାର୍ଯ୍ୟକଳାପ ଚଳାଉଥିବା ଦିଗାପାଳୋ ସ୍ୱାଇଁ ଓରଫ ଦିଗାଙ୍କୁ ପ୍ରେମା ଗାଁ ରାସ୍ତାରେ ସର୍ବସମ୍ମୁଖରେ ଚାପୁଡ଼ା ମାରିଥିଲେ। ପରେ ଏହି ଘଟଣା ଗାଁରେ ସମାଧାନ ହୋଇଥିଲେ ସୁଦ୍ଧା ଦିଗା ଏହାର ପ୍ରତିଶୋଧ ନେବା ପାଇଁ ଯୋଜନା କରିଥିଲେ। ଗୁରୁବାର ରାତିରେ ପ୍ରେମା ଗାଧୋଇବା ପାଇଁ ଗାଁ ନିକଟ ନୂଆ ବଳଧିଆ ଛକ ନିକଟରେ ଥିବା ଜଗନ୍ନାଥ ପଣ୍ଡାଙ୍କ ଫାର୍ମହାଉସକୁ ଯାଇଥିଲେ। ଏହି ସମୟରେ ପୂର୍ବ ଯୋଜନା ମୁତାବକ ଦିଗା ସ୍ୱାଇଁ ଓ ତାଙ୍କ ସମର୍ଥକମାନେ ମାରଣାସ୍ତ୍ର ଧରି ଫାର୍ମହାଉସରେ ପହଞ୍ଚି ପ୍ରେମାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ପ୍ରେମା ପ୍ରାଣବିକଳରେ ଦୌଡ଼ି ପଳାଉଥିବା ବେଳେ ଅଭିଯୁକ୍ତମାନେ ଗୋଡ଼ାଇ ଗୋଡ଼ାଇ ତାଙ୍କୁ ଖଣ୍ଡାରେ ବାରମ୍ବାର ଚୋଟ ପକାଇଥିଲେ। ଆକ୍ରମଣରେ ତାଙ୍କ ଡାହାଣ ହାତ ସମ୍ପୂର୍ଣ୍ଣ କଟି ଓହଳି ପଡ଼ିଥିବା ବେଳେ ଅଣ୍ଟା ଓ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା। ପ୍ରେମା ଅଚେତ ହୋଇ ପଡ଼ିଯିବାରୁ ସେ ମୃତ୍ୟୁବରଣ କରିଛନ୍ତି ଭାବି ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ।
ପରେ ଫାର୍ମହାଉସ ମାଲିକ ଜଗନ୍ନାଥ ପଣ୍ଡା ଅନ୍ୟମାନଙ୍କ ସହାୟତାରେ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ପ୍ରେମାଙ୍କୁ ଉଦ୍ଧାର କରି ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ପ୍ରେମାଙ୍କ ଭାଇ ଜିତେନ୍ଦ୍ର ବିଷୋୟୀ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ କରିଥିଲା।
ଚିକିଟି SDPO ବିଶ୍ୱାମିତ୍ର ହରପାଲ ଥାନାରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ପଚରାଉଚରା କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପୋଲିସ ଘଟଣାସ୍ଥଳରୁ ଆକ୍ରମଣରେ ବ୍ୟବହୃତ ରକ୍ତଭିଜା ଖଣ୍ଡା, ୨ଟି ବାଇକ୍ (OD 07 AK 7624 ଓ OD 07 AD 7944) ଏବଂ ୩ଟି ମୋବାଇଲ ଫୋନ୍ ଜବତ କରିଛି। ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ସହ ଅନ୍ୟମାନଙ୍କୁ ଚିହ୍ନଟ କରାଯାଇଛି, ଖୁବ୍ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଆଇଆଇସି ପ୍ରକାଶ କରିଛନ୍ତି।