Posted inଫୁରସତ

ସବୁଜ ଯୋଦ୍ଧା

ମଣିଷ ନିଜର ସୁଖ ସୁବିଧା ଓ ବିକାଶ ନାଁରେ କାଟି ଚାଲିଛି ବୃକ୍ଷ। ଫଳରେ ପ୍ରକୃତି ହରାଉଛି ତା’ର ସବୁଜିମା। ବିଗୁଡୁଛି ପରିବେଶ ସନ୍ତୁଳନ। ତେବେ କେତେଜଣଙ୍କ ମନ ପ୍ରକୃତିର ଏହି ଶ୍ରୀହିନ ଅବସ୍ଥାରେ ହୋଇ ଉଠୁଛି ବ୍ୟାକୁଳ । ପ୍ରକୃତିର ଦୁଃଖରେ କାନ୍ଦୁଛି ତାଙ୍କ ପ୍ରାଣ। ସେଇଥିପାଇଁ ତ ସେମାନେ ପଣ ନେଇଛନ୍ତି ପୁଣିଥରେ ଫେରେଇବେ ପ୍ରକୃତିର ସେଇ ସବୁଜିମା…

ଫରେଷ୍ଟ ମ୍ୟାନ୍‌ ଅଫ୍‌ ଇଣ୍ଡିଆ: ଆସାମର ଯାଦବ ପାୟେଙ୍ଗ ବେଶ୍‌ ପରିଚିତ ‘ମୋଲାଇ’ ନାମରେ। ଜଣେ ପରିବେଶବିତ୍‌ ଭାବେ ତାଙ୍କର ରହିଛି ଅନେକ ଖ୍ୟାତି। ତାଙ୍କୁ ଯେତେବେଳେ ମାତ୍ର ୧୯ ବର୍ଷ ବୟସ ହୋଇଥିଲା, ସେତେବେଳେ ସ୍ଥାନୀୟ ଅଞ୍ଚଳରେ ଏକ ଭୟଙ୍କର ବନ୍ୟା ହୋଇଥିଲା। ଘରଦ୍ୱାର, ଗଛସବୁ ଭାଙ୍ଗିଯିବା ସହ ଚାରିଆଡେ ପଙ୍କୁଆ ମାଟି ମାଡି ଯାଇଥିଲା। ଗଛଲତା ଅଭାବରୁ ସେଠାରେ ଭୀଷଣ ଗରମ ବି ହେଲା। ଦିନେ ଯାଦବ ଦେଖିବାକୁ ପାଇଲେ ଯେ, ଅସହ୍ୟ ଗରମ ସହି ନ ପାରି କିଛି ସାପ ମରିପଡିଛନ୍ତି। ସେ ଚିନ୍ତା କଲେ, ଯଦି ଭୀଷଣ ଗରମ ଯୋଗୁ ସାପଙ୍କର ଏଭଳି ଅବସ୍ଥା ହେଉଛି ତା’ହେଲେ ଭବିଷ୍ୟତରେ ମଣିଷଙ୍କର କି ଅବସ୍ଥା ହେବ। ତା’ପରେ ସିଏ ଉକ୍ତ ଅଞ୍ଚଳରେ ବୃକ୍ଷରୋପଣ କରିବାର ଅଭିଯାନ ଆରମ୍ଭ କଲେ। କିଛିଦିନ ପରେ ସେଠାରେ ଫରେଷ୍ଟ ଡିପାର୍ଟମେଣ୍ଟ ତରଫରୁ ପ୍ରାୟ ୨୦୦ ହେକ୍ଟର ଅଞ୍ଚଳରେ ଗଛ ଲଗାଇବାର ପ୍ରୋଜେକ୍ଟ ଆରମ୍ଭ ହେଲା। ଯାଦବ ସେହି ପ୍ରୋଜେକ୍ଟରେ ଶ୍ରମିକ ଭାବେ କାମ କଲେ। ପ୍ରୋଜେକ୍ଟ କାମ ସରିଯିବାରୁ ସମସ୍ତେ ସେଠାରୁ ଚାଲିଗଲେ କିନ୍ତୁ ଯାଦବଙ୍କର ଗଛ ଲଗାଇବାର ଅଭିଯାନ ସେମିତି ଚାଲିଲା। ଶେଷରେ ସେ ଏହି କାର୍ଯ୍ୟରେ ସଫଳ ମଧ୍ୟ ହେଲେ। ଗଛ ଲଗାଇ ତା’ର ଉପଯୁକ୍ତ ଯତ୍ନ ନେବାରୁ ଉକ୍ତ ସ୍ଥାନରେ ଏକ ଜଙ୍ଗଲ ସୃଷ୍ଟି ହୋଇଗଲା। ଆସାମର ଜୋରହାଟ୍‌ ଜିଲା ଅନ୍ତର୍ଗତ କୋକିଳାମୁଖ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ବ୍ରହ୍ମପୁତ୍ର ନଦୀପଠାକୁ ଲାଗି ପ୍ରାୟ ୫୫୦ ହେକ୍ଟର ଜମିରେ ଯାଦବଙ୍କ ଦ୍ୱାରା ଗଢି ଉଠିଥିବା ଏହି ଜଙ୍ଗଲକୁ ପରବର୍ତ୍ତୀ ସମୟରେ ଯାଦବଙ୍କ ନାମାନୁସାରେ ‘ମୋଲାଇ ଜଙ୍ଗଲ’ ଭାବେ ପରିଚିତି ମିଳିଲା। ଆଉ ଲୋକେ ତାଙ୍କୁ ସ୍ନେହରେ ‘ଫରେଷ୍ଟ ମ୍ୟାନ୍‌ ଅଫ୍‌ ଇଣ୍ଡିଆ’ ବୋଲି ସମ୍ବୋଧନ କରିବାକୁ ଲାଗିଲେ। କେବଳ ସେତିକି ନୁହେଁ ୨୦୧୫ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ମଧ୍ୟ କରାଗଲା। ପରବର୍ତ୍ତୀ ସମୟରେ ଯାଦବଙ୍କ ଜୀବନଶୈଳୀକୁ ନେଇ ଅନେକ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ମଧ୍ୟ ପ୍ରସ୍ତୁତ କରାଗଲା।
ମଣିପୁରର ଫରେଷ୍ଟ ମ୍ୟାନ:ମଣିପୁରର ପଶ୍ଚିମ ଇମ୍ଫାଲ ଜିଲା ଅନ୍ତର୍ଗତ ଉରିପୋକ ନାମକ ଏକ ସ୍ଥାନର ବାସିନ୍ଦା ହେଲେ ମୋଇରଙ୍ଗଥେମ୍‌ ଲୋଇୟା। ଜଣେ ପ୍ରକୃତିପ୍ରେମୀ ଭାବେ ସେ ଖୁବ୍‌ ପରିଚିତ। ପିଲାଟି ଦିନରୁ ତାଙ୍କର ପ୍ରକୃତି ପ୍ରତି ଭଲ ପାଇବା ରହିଆସିଛି। କୌବ୍ରୁ ପାହାଡ଼ ହେଉଛି ମଣିପୁରର ଏକ ଲୋକପ୍ରିୟ ପାହାଡ଼। ପିଲାଦିନୁ ଏହି ପାହାଡ଼ର ଗଛଲତାକୁ ଦେଖିଦେଖି ସେ ବଡ଼ ହୋଇଥିଲେ। ଉଚ୍ଚଶିକ୍ଷା ନିମନ୍ତେ ସେ କିଛିଦିନ ଚେନ୍ନାଇ ଚାଲିଯାଇଥିଲେ। ପଢ଼ା ଶେଷକରି ସେ ଯେତେବେଳେ ନିଜ ଜନ୍ମ ସ୍ଥାନକୁ ଫେରିଥିଲେ, ସେତେବେଳକୁ କୌବ୍ରୁ ପାହାଡ଼ର ଅନେକ ଗଛ ବେଆଇନ ଭାବେ କଟା ସରିଥାଏ। ଦିନେ ଶସ୍ୟଶ୍ୟାମଳାରେ ଭରି ରହିଥିବା କୌବ୍ରୁ ପାହାଡର ଏପରି କରୁଣ ଦୃଶ୍ୟକୁ ଦେଖି ମୋଇରଙ୍ଗଥେମ୍‌ ଖୁବ୍‌ ବ୍ୟଥିତ ହୋଇପଡିଥିଲେ। ସେହି କ୍ଷଣି ହିଁ ସେ ନିଷ୍ପତ୍ତି ନେଲେ ନିଜ ପ୍ରକୃତି ମା’ର ପୂର୍ବ ସୌନ୍ଦର୍ଯ୍ୟକୁ ପୁଣିଥରେ ଫେରାଇ ଆଣି ତାକୁ ଶସ୍ୟଶ୍ୟାମଳାରେ ଭରିଦେବେ। ବାସ୍‌ ତା’ପରଠୁ ତାଙ୍କର ଅଭିଯାନ ଆରମ୍ଭ ହେଲା। ‘ପୁଂଶିଲୋକ ମାରୁ’ ହେଉଛି ସ୍ଥାନୀୟ ଏକ ଅଞ୍ଚଳ, ଯେଉଁଠାରେ ଝୁମ୍‌ ଚାଷ କରାଯାଇଥାଏ। ଏହି ଚାଷ ପାଇଁ ପ୍ରଥମେ ସେଠାରେ ଥିବା ଗଛଗୁଡ଼ିକୁ କାଟି ଦିଆଯାଇ ନିଆଁ ଲଗାଯାଏ। ତା’ପରେ ଏହି ଚାଷ କରାଯାଏ। ଖାସ୍‌ ଏହି କାରଣ ପାଇଁ ସ୍ଥାନୀୟ ଅଞ୍ଚଳରେ କୌଣସି ଗଛ ନ ଥିବାର ସେ ଦେଖିଲେ। ମୋଇରଙ୍ଗଥେମ୍‌ ସେଠାରେ ଝୁମ୍ପୁଡ଼ି କରି ପାଖାପାଖି ୬ ମାସ ରହି ଲୋକମାନଙ୍କୁ ବହୁତ ବୁଝାଶୁଝା କଲେ। ତା’ପରେ ନିଜ ପକେଟ୍‌ରୁ ପଇସା ଖର୍ଚ୍ଚ କରି ଗଛ ଲଗାଇ ଚାଲିଲେ। ଧୀରେ ଧୀରେ ରାଜ୍ୟର ବନ ଅଧିକାରୀ ବି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ। ପାଖାପାଖି ୨୦ ବର୍ଷର କଠିନ ପରିଶ୍ରମ ପରେ ମୋଇରଙ୍ଗଥେମ୍‌ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚତ୍ପାରିଲେ। କୌବ୍ରୁ ପାହାଡ଼ ସମେତ ଏହାର ଆଖପାଖ ଅଞ୍ଚଳକୁ ମିଶାଇ ପ୍ରାୟ ୩୦୦ ଏକର ଟାଙ୍ଗରା ଭୂଇଁରେ ୧୦୦ରୁ ଊର୍ଦ୍ଧ୍ୱ କିସମର ଗଛ ଲଗାଇ ଏକ ଜଙ୍ଗଲ ପରିବେଶ ସୃଷ୍ଟି କରିବାରେ ସେ ସଫଳତା ପାଇଲେ। ଯେଉଁଥିପାଇଁ ତାଙ୍କୁ ବିଭିନ୍ନ ସଂସ୍ଥା ତରଫରୁ ଅନେକ ପୁରସ୍କାର ଓ ସମ୍ମାନ ମଧ୍ୟ ମିଳିବା ସହ କେହି କେହି ତାଙ୍କୁ ସ୍ନେହରେ ‘ମଣିପୁରର ଫରେଷ୍ଟ ମ୍ୟାନ’ ବୋଲି ସମ୍ବୋଧନ କରିବାକୁ ଲାଗିଲେ। ପରବର୍ତ୍ତୀ ସମୟରେ ସେ ଓ୍ବାଇଲ୍ଡ ଲାଇଫ୍‌ ଆଣ୍ଡ ହାବିଟାଟ୍‌ ପ୍ରୋଟେକ୍ସନ ସୋସାଇଟିର ପ୍ରତିଷ୍ଠା କରି ସେ କ୍ଷେତ୍ରରେ ମଧ୍ୟ କାର୍ଯ୍ୟ ଜାରି ରଖିଲେ।
ତାମିଲନାଡ଼ୁର ଫରେଷ୍ଟ ମ୍ୟାନ୍‌: ତାମିଲନାଡୁର ପୋଥୁରାଇ ଗାଁରେ ରହିଛି ‘ଅରଣ୍ୟ ଫରେଷ୍ଟ ଆଣ୍ଡ ସାଙ୍କ୍‌ଚୁରି’, ଯାହାକି ବର୍ତ୍ତମାନ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ଜଣାଶୁଣା। କିନ୍ତୁ ଦିନେ ଏହି ସ୍ଥାନଟି ଟାଙ୍ଗରା ଭୂମି ଥିଲା। ଦୀର୍ଘ ୨୫ ବର୍ଷ କଠିନ ପରିଶ୍ରମ କରି ଯିଏ ଏହି ସ୍ଥାନକୁ ଭିନ୍ନ ଏକ ପରିଚୟ ଦେବାରେ ସଫଳ ହୋଇଛନ୍ତି, ସିଏ ହେଲେ ଡି. ସରଭନାନ୍‌। ଜଣେ ଲୋକପ୍ରିୟ ପରିବେଶବିତ୍‌ ଭାବେ ତାଙ୍କର ରହିଛି ଖୁବ୍‌ ଖ୍ୟାତି। ପିଲାଟିଦିନରୁ ସେ ଗଛ ଲଗାଇବାକୁ ଖୁବ୍‌ ଭଲ ପାଉଥିଲେ। କ୍ରମେ ଏହା ତାଙ୍କର ଅଭ୍ୟାସରେ ପରିଣତ ହୋଇଗଲା। ଥରେ ସିଏ ଜୋସ୍‌ ବ୍ରୁକ୍ସ ନାମକ ଜଣେ ଅଷ୍ଟ୍ରେଲିଆର ବିଶିଷ୍ଟ ପରିବେଶବିତ୍‌ଙ୍କ ସଂସ୍ପର୍ଶରେ ଆସିଲେ। ଜୋସ୍‌ ସେହି ସମୟରେ ପୋଥୁରାଇ ଗାଁରେ ଥିବା ଟାଙ୍ଗରା ଭୂମିକୁ ଶସ୍ୟଶ୍ୟାମଳା କରିବାର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିଲେ। ଡି. ସରଭନାନ୍‌ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ଏବଂ ପ୍ରକୃତିକୁ ଖୁବ୍‌ ପାଉଥିବାରୁ ତାଙ୍କୁ ଜୋସ୍‌ ସମସ୍ତ ଦାୟିତ୍ୱ ଦେଇ ଫେରିଗଲେ। ବାସ୍‌ ତା’ପରଠୁ ଡି. ସରଭନାନ୍‌ଙ୍କର ଗୋଟିଏ ମାତ୍ର ଲକ୍ଷ୍ୟ ରହିଲା କେମିତି ସେହି ଅଞ୍ଚଳକୁ ଶସ୍ୟଶ୍ୟାମଳା କରିବେ। ଦୀର୍ଘ ୨୫ ବର୍ଷର ଅକ୍ଳାନ୍ତ ପରିଶ୍ରମ ପରେ ଡି. ସରଭନାନ୍‌ ପ୍ରାୟ ୧୦୦ ଏକରର ଟାଙ୍ଗରା ଭୂମିକୁ କେବଳ ଗଛଲତାରେ ଭରିଦେଲେ ତାହା ନୁହେଁ, ସେଠାରେ ସିଏ ଏକ ଛୋଟ ଅଭୟାରଣ୍ୟ କରିବାରେ ମଧ୍ୟ ସଫଳ ହେଲେ। ତାଙ୍କ ଦ୍ୱାରା
ସୃଷ୍ଟି ହୋଇଥିବା ଏହି ଅଭୟାଣ୍ୟଟି ଏବେ ‘ଅରଣ୍ୟ ଫରେଷ୍ଟ ଓ ସାଙ୍କ୍‌ଚୁଆରି’ ନାମରେ ପରିଚିତ; ଯେଉଁଠାରେ ପର୍ଯ୍ୟଟକ ପ୍ରାୟ ୯୦୦ ପ୍ରଜାତିର ବିରଳ ଗଛ, ୨୪୦ ପ୍ରଜାତିର ପକ୍ଷୀ, ୫୪ ପ୍ରଜାତିର ପ୍ରଜାପତି, ୨୦ ପ୍ରଜାତିର ସାପ ତଥା ଅନ୍ୟାନ୍ୟ ବିରଳ ପ୍ରାଣୀଙ୍କୁ ଦେଖିବାର ସୁଯୋଗ ପାଇପାରିବେ। ଡି. ସରଭନାନ୍‌ଙ୍କ ଏଭଳି ନିଆରା ପ୍ରୟାସ ପାଇଁ ତାଙ୍କୁ ଅନେକେ ତାମିଲନାଡ଼ୁର ଫରେଷ୍ଟ ମ୍ୟାନ୍‌ ବୋଲି ବି ସମ୍ବୋଧନ କରିଥାନ୍ତି।
ଡାଙ୍ଗରା ଭୂମିକୁ ଶସ୍ୟଶ୍ୟାମଳା କଲେ ଦମ୍ପତି
ଭାସ୍କରନ୍‌ ଏବଂ କସ୍ତୁରୀ ହେଉଛନ୍ତି ସମ୍ପର୍କରେ ସ୍ବାମୀସ୍ତ୍ରୀ। ସରକାରୀ ଚାକିରିରୁ ଅବସର ନେବା ପରେ ସେମାନେ କସ୍ତୁରୀଙ୍କ ଗାଁକୁ ଯାଇ ସେଠାରେ ରହିବାକୁ ଲାଗିଲେ। କାରଣ କସ୍ତୁରୀଙ୍କ ବାପଘର ଲୋକେ କସ୍ତୁରୀଙ୍କ ନାଁରେ ସେଠି ପ୍ରାୟ ୭୫ ଏକର ଜମି ଲେଖି ଦେଇଥିଲେ। ସେଥିପାଇଁ ସ୍ବାମୀସ୍ତ୍ରୀ ଦୁହେଁ ଚିନ୍ତା କଲେ ସେଠାରେ କିଛି ଗଛ, ପନିପରିବା ଲଗାଇ ତା’ର ଯତ୍ନ ନେଇ ନିଜର ବାକି ତକ ସମୟ କଟାଇଦେବେ। ହେଲେ ସେମାନେ ଯେତେବେଳେ ଗଛ ଲଗାଇବା ପାଇଁ ଜମି ଖୋଳିବାକୁ ଗଲେ ସେଠାରୁ ଖାଲି ପଥର ବାହାରିଲା। ନା ସେଠି ମାଟିର ସୁବିଧା ଥିଲା ନା ପାଣିର। ଏପରିକି ସେହି ସ୍ଥାନରେ ଶ୍ରମିକ ଭାବେ କାମ କରିବାକୁ ମଧ୍ୟ କେହି ରାଜି ହେଲେ ନାହିଁ। ଶେଷରେ ବାଧ୍ୟ ହୋଇ ସ୍ବାମୀସ୍ତ୍ରୀ ଦୁହେଁ ଖୋଳାଖୋଳି କରି ବାହାରୁ ମାଟି ଆଣି ସେଠାରେ ପକାଇ ଯେତେ ଗଛ ଲଗାଇଲେ ବି ସେ ଗଛ ଅଳ୍ପ ଦିନରେ ମରିଯାଏ। ଦିନେ ସେମାନେ ଖବର ପାଇଲେ ଯେ, ଈଶା ଫାଉଣ୍ଡେଶନ୍‌ ନାମକ ଏକ ସଂସ୍ଥା ସ୍ଥାନୀୟ ଅଞ୍ଚଳରେ ଏକ ନର୍ସରି ଖୋଲିବାକୁ ଯାଉଛି। ଦମ୍ପତି ଉକ୍ତ ସଂସ୍ଥା ସହ ଯୋଗାଯୋଗ କରିବାରୁ ସେମାନେ ଅନେକ ଟିପ୍ସ ଦେବା ସହ ଗଛ ଲଗାଇ ତାକୁ ବଞ୍ଚାଇବାରେ ଦମ୍ପତିଙ୍କୁ ଅନେକ ସହଯୋଗ ମଧ୍ୟ କଲେ। ଫଳରେ ଖୁବ୍‌ କମ୍‌ ଦିନରେ ଦମ୍ପତି ଦୁହେଁ ସେହି ଟାଙ୍ଗରା ଭୂମିକୁ ସବୁଜ ଶ୍ୟାମଳାରେ ଭରିଦେଲେ।
ଟାଙ୍ଗରା ଭୂମିକୁ ଶସ୍ୟଶ୍ୟାମଳା କଲେ ବ୍ରାଜିଲ ଦମ୍ପତି
ବ୍ରାଜିଲ ଲୋକପ୍ରିୟ ଫଟୋଗ୍ରାଫର୍‌ ହେଲେ ସେବାଷ୍ଟିଆଓ ରିବେଇରୋ ସାଲ୍‌ଗାଡୋ। ସ୍ଥାନୀୟ ମିନାସ୍‌ ଜେରାଇସ୍‌ରେ ତାଙ୍କ ଘର। ପିଲାଟିଦିନରୁ ସେ ଦେଖି ଆସୁଥିଲେ ତାଙ୍କର ଆଖପାଖ ଅଞ୍ଚଳ ସବୁ ଗଛଲତା, ଫୁଲଫଳରେ ଭରି ହୋଇରହିଥିଲା। ଯୁଆଡ଼େ ଚାହିଁବ ସବୁଜ ବନାନୀ। ଫଟୋଗ୍ରାଫିରେ କ୍ୟାରୟର୍‌ କରିବା ପରେ ତାଙ୍କୁ ଘରଛାଡ଼ି ବାହାରକୁ ଯିବାକୁ ପଡିଲା। ସାଙ୍ଗରେ ସେ ନିଜ ସ୍ତ୍ରୀ ଲେଲିଆଙ୍କୁ ମଧ୍ୟ ନେଇ ଯାଇଥିଲେ। କିଛି ବର୍ଷ ବାହାରେ ରହିବା ପରେ ସେ ଯେତେବେଳେ ନିଜ ଜନ୍ମଭୂମିକୁ ଫେରିଥିଲେ, ସେତେବେଳେ ତାଙ୍କ ଅଞ୍ଚଳ ଟାଙ୍ଗରା ଭୂମିରେ ପରିଣତ ହୋଇସାରିଥିଲା। ମୁଖ୍ୟ କାରଣ ଥିଲା ଗଛକାଟି ଜଙ୍ଗଲକୁ ନଷ୍ଟ କରିବା। ତା’ପରେ ସିଏ ନିଷ୍ପତ୍ତି ନେଲେ ତାଙ୍କ ଜନ୍ମମାଟିର ସୌନ୍ଦର୍ଯ୍ୟକୁ ପୁଣି ଫେରାଇ ଆଣିବେ। ଏ କାମରେ ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କୁ ଅନେକ ସହଯୋଗ କଲେ। ଦୀର୍ଘ ୨୦ ବର୍ଷର ଅକ୍ଳାନ୍ତ ପରିଶ୍ରମ ପରେ ପ୍ରାୟ ୧୭୫୦ ଏକର ପରିମିତ ଅଞ୍ଚଳରେ ସେମାନେ ପ୍ରାୟ ୪ମିଲିୟନ୍‌ରୁ ଊର୍ଦ୍ଧ୍ୱ ଗଛ ଲଗାଇ ସେହି ଅଞ୍ଚଳକୁ ପୁଣିଥରେ ସବୁଜିମାରେ ଭରିଦେଲେ। ଏବେ ସେହି ଅଞ୍ଚଳରେ ପ୍ରାୟ ଶତାଧିକ ପ୍ରଜାତିର ପକ୍ଷୀ, ପ୍ରାୟ ୩୩ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୧୫ ପ୍ରଜାତିର ସରୀସୃପ, ୧୫ ପ୍ରଜାତିର ଉଭୟଚର ପ୍ରାଣୀ ତଥା ପ୍ରାୟ ୨୯୩ ପ୍ରଜାତିର ବୃକ୍ଷଲତା ଦେଖିବାକୁ ମିଳୁଛି।
ଗଛ ଲଗାଇ ଅଭୟାରଣ୍ୟ ସୃଷ୍ଟି କଲେ ଦମ୍ପତି
ଅନିଲ୍‌ କୁମାର ମାଲହୋତ୍ରା ଓ ପାମେଲା ମାଲହୋତ୍ରା ହେଲେ ଏନ୍‌ଆର୍‌ଆଇ ଦମ୍ପତି। ଉଭୟ ଗଛଲତା, ପଶୁପକ୍ଷୀଙ୍କୁ ଖୁବ୍‌ ଭଲ ପାଆନ୍ତି। ସେମାନଙ୍କର ଗୋଟିଏ ଲକ୍ଷ୍ୟ ଥିଲା କେଉଁଠି ଏକ ଜାଗା କିଣି ତାକୁ ସବୁଜିମାରେ ଭରି ପ୍ରକୃତିର କୋଳରେ ଶାନ୍ତିରେ ବାସ କରିବେ। ଏମିତିରେ ସେମାନଙ୍କ ନଜରକୁ ଆସିଥିଲା କର୍ନାଟକର କୋଡାଗୁ ଜିଲା ଅନ୍ତର୍ଗତ ୫୫ ଏକରର ଏକ ସ୍ଥାନ; ଯାହା ସେତେବେଳେ ସ୍ଥାନୀୟ ଲୋକଙ୍କର କୌଣସି କାମରେ ଆସୁ ନ ଥିଲା। ସେହି ସ୍ଥାନରେ ଖୁବ୍‌ ବର୍ଷା ହେଉଥିବାରୁ ଚାଷବାସ କରିବା ବି ସେଠାରେ ସମ୍ଭବ ନ ଥିଲା। ଏହ ଜାଣିବା ପରେ ଉକ୍ତ ଦମ୍ପତି ସେ ସ୍ଥାନକୁ କିଣି ନେଇଥିଲେ। ପ୍ରବଳ ବର୍ଷା ହେଉଥିବାରୁ ସେଠାରେ ଚାଷ ସିନା ହୋଇପାରିବ ନାହିଁ ହେଲେ ସେଠାରେ ବର୍ଷାରଣ୍ୟ ତ ସୃଷ୍ଟି କରିହେବ। ବାସ୍‌ ସେହି ଲକ୍ଷ୍ୟ ରଖି ସେମାନେ ସେଠାରେ ଅଧିକରୁ ଅଧିକ ଗଛ ଲଗାଇଲେ। ମାତ୍ର ୫୫ ଏକରରୁ ଆରମ୍ଭ ହୋଇଥିବା ଏହି ଅଭିଯାନ କ୍ରମେ ବଢି ବଢି ଆଖପାଖର ପ୍ରାୟ ୩୦୦ ଏକରର ଅଞ୍ଚଳକୁ ମଧ୍ୟ ଘଞ୍ଚ ଜଙ୍ଗଲରେ ପରିଣତ କରିଦେଲା। ତା’ସହିତ ଦମ୍ପତିଙ୍କ ପ୍ରଚେଷ୍ଟାରେ ସେଠାରେ ଏକ ଅଭୟାରଣ୍ୟ ମଧ୍ୟ ସୃଷ୍ଟି ହୋଇଗଲା।
ସତରେ ପ୍ରକୃତି ପ୍ରତି ଥିବା ଏହି ବ୍ୟକ୍ତିମାନଙ୍କ ଅବଦାନ ଖୁବ୍‌ ସ୍ବାଗତଯୋଗ୍ୟ। ଯଦି ଅନ୍ୟମାନେ ବି ଏମାନଙ୍କ ପରି ପ୍ରକୃତି କଥା ଟିକେ ଚିନ୍ତା କରନ୍ତେ, ତା’ହେଲେ ଆମ ପୃଥିବୀ ସବୁଜିମାରେ ଭରି ଯାଆନ୍ତା ଆଉ ତା’ର ପୂର୍ବ ସୌନ୍ଦର୍ଯ୍ୟ ପୁଣିଥରେ ଫେରିପାଆନ୍ତା। ୦


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?