ସୁନିଲ ନାରିନ୍‌ଙ୍କୁ ଗ୍ରୀନ୍‌ ସିଗ୍‌ନାଲ

ଦୁବାଇ, ୧୮।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଦଳକୁ ଆଶ୍ୱସ୍ତିକର ଖବର ମିଳିଛି। କୋଲକାତାର ଷ୍ଟାର୍‌ ସ୍ପିନର ସୁନୀଲ ନାରିନଙ୍କ ସନ୍ଦିଗ୍ଧ ବୋଲିଂ ଆକ୍ସନଙ୍କୁ ଆଇପିଏଲ୍‌ ପକ୍ଷରୁ କ୍ଲିନ୍‌ ଚିଟ୍‌ ମିଳିଛି। ୧୦ ଅକ୍ଟୋବରରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ନାରିନ୍‌ଙ୍କ ବୋଲିଂ ଆକ୍ସନକୁ ନେଇ ରିପୋର୍ଟ କରାଯାଇଥିଲା। ଆଇପିଏଲ୍‌ ପକ୍ଷରୁ ଏବେ ଗ୍ରୀନ୍‌ ସିଗ୍‌ନାଲ ପାଇବା ପରେ ସେ ବୋଲିଂ କରିପାରିବେ।
ବିପକ୍ଷ ମ୍ୟାଚ୍‌ ପରେ ଆଇପିଏଲ୍‌ର ସନ୍ଦିଗ୍ଧ ବୋଲିଂ ଆକ୍ସନ ସମିତି ପକ୍ଷରୁ ନାରିନଙ୍କ ବୋଲିଂ ଆକ୍ସନ ଯାଞ୍ଚ ପାଇଁ ଅଧିକାରୀମାନେ ଅପିଲ୍‌ କରିଥିଲେ। ଏହାପରେ ତାଙ୍କ ବୋଲିଂର ମନ୍ଥର ଗତିର ଭିଡିଓ ଫୁଟେଜକୁ ଆଇପିଏଲ୍‌ ସନ୍ଦିଗ୍ଧ ବୋଲିଂ ଆକ୍ସନ ସମିତି ଧ୍ୟାନର ସହିତ ଦେଖିଥିଲା। ଏହି ଭିଡିଓରେ ନାରିନଙ୍କ କହୁଣି ବୈଧ ସୀମା ମଧ୍ୟରେ ମୋଡ଼ି ହେଉଛି। ଆଇପିଏଲ୍‌ର ବଳକା ମ୍ୟାଚ୍‌ରେ ନାରିନ୍‌ ଭିଡିଓ ଫୁଟେଜରେ ଥିବା ସମାନ ଆକ୍ସନ ଭଳି ବୋଲିଂ କରିବାକୁ ପଡ଼ିବ ବୋଲି ଆଇପିଏଲ୍‌ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

Share