ଭୁବନେଶ୍ୱର,୪ା୬(ସୁଚିସ୍ମିତା ସାହୁ):ରାଜ୍ୟରେ ସ୍ଥାୟୀ ସହରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ସହ ସ୍ବଚ୍ଛ ଶକ୍ତି ସଂକ୍ରାନ୍ତ ରୂପାନ୍ତରଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯିବ। ଏହି କ୍ରମରେ ଓଡ଼ିଶାରେ ଗ୍ରୀନ୍ ହାଇଡ୍ରୋଜେନ୍ ବସ୍ ଚଳାଚଳ କରିବ। ବୁଧବାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରାଜ୍ୟର ପ୍ରଥମ ଗ୍ରୀନ୍ ହାଇଡ୍ରୋଜେନ୍ ସାଧାରଣ ପରିବହନ ବ୍ୟବସ୍ଥାର ପ୍ରଗତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଏନ୍ଟିପିସି ଏବଂ ଗ୍ରୀଡ୍କୋର ମିଳିତ ସହଯୋଗରେ ଓଡ଼ିଶାରେ ହାଇଡ୍ରୋଜେନ୍ଚାଳିତ ସାଧାରଣ ପରିବହନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏହି ଅଭିନବ ପ୍ରୟାସ ଭାରତ ସରକାରଙ୍କ ‘ନ୍ୟାଶନାଲ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ’ ଅନୁରୂପ ହୋଇଥିବାବେଳେ ଏହା ଦେଶର ‘ନେଟ୍ ଜିରୋ’ କାର୍ବନ ନିର୍ଗମନ ଲକ୍ଷ୍ୟ ହାସଲ କରିବା ସହ ସ୍ବଦେଶୀ ସ୍ବଚ୍ଛ ଇନ୍ଧନ ପ୍ରଯୁକ୍ତିକୁ ପ୍ରୋତ୍ସାହିତ କରିବାରେ ବିଶେଷ ସହାୟକ ହେବ। ପ୍ରଥମ ପର୍ଯ୍ୟାୟରେ ୩ଟି ହାଇଡ୍ରୋଜେନ୍ ଫୁଏଲ ସେଲ୍ ଇଲେକ୍ଟ୍ରିକ ବସ୍ ଚଳାଚଳ କରାଯିବାକୁ ଯୋଜନା ରହିଛି। ଭୁବନେଶ୍ୱର ପୋଖରୀପୁଟସ୍ଥିତ ‘କ୍ରୁଟ୍’ ଡିପୋରେ ଏକ ‘ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ ଏବଂ ରିଫୁଏଲିଂ କେନ୍ଦ୍ର’ ପ୍ରତିଷ୍ଠା କରାଯିବ। ଏଠାରେ ଦୈନିକ ପ୍ରାୟ ୨୬୦ କିଲୋଗ୍ରାମ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ ହେବ। ବସ୍ଗୁଡ଼ିକ ଦୈନିକ ୬୦୦ କିଲୋମିଟର ପର୍ଯ୍ୟନ୍ତ ଚଳାଚଳ କରିପାରିବ। ଏହି ପ୍ରକଳ୍ପ ଦ୍ୱାରା ବାର୍ଷିକ ପ୍ରାୟ ୯୦୦ ଟନ୍ କାର୍ବନ ନିର୍ଗମନ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି।
ପ୍ରକଳ୍ପ ପାଇଁ ମୋଟ ୫୩.୫୫ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବା ନେଇ ଆକଳନ ହୋଇଥିବାବେଳେ କେନ୍ଦ୍ର ସରକାରଙ୍କ ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଅଧୀନରେ ୧୯.୫୨ କୋଟି ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି। ବାକି ଅର୍ଥ ଷ୍ଟେକ୍ ହୋଲ୍ଡରଙ୍କ ଅଂଶଧନ ଏବଂ ରାଜ୍ୟ ସରକାରଙ୍କ ସହାୟତା ମାଧ୍ୟମରେ ଭରଣା କରିବାକୁୁ ପ୍ରସ୍ତାବ ରହିଛି। ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱର-କଟକ-ଖୋର୍ଦ୍ଧା-ପୁରୀ- କୋଣାର୍କ କରିଡରରେ ଏହି ବସ୍ ସେବା ସୁବିଧା ମିଳିବ। ସମୀକ୍ଷା ବୈଠକରେ ପ୍ରକଳ୍ପର କାର୍ଯ୍ୟକାରିତା, ରୁଟ୍ ପ୍ଲାନିଂ, ଆର୍ଥିକ ସ୍ଥିରତା, ବିପଦ ଆବଣ୍ଟନ ଏବଂ ବିଭିନ୍ନ ସଂସ୍ଥାର ଦାୟିତ୍ୱ ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଯୋଗଦେଇ କହିଛନ୍ତି, ଏହି ଗ୍ରୀନ୍ ହାଇଡ୍ରୋଜେନ୍ ଗତିଶୀଳତା ପ୍ରକଳ୍ପ ଓଡ଼ିଶାକୁ ସ୍ବଚ୍ଛ ଓ ଆଧୁନିକ ପରିବହନ ବ୍ୟବସ୍ଥାରେ ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠିତ କରିବ। ସମସ୍ତ ଅଂଶୀଦାର ସଂସ୍ଥାକୁ ପରସ୍ପର ସହ ସମନ୍ବୟ ରଖି ପ୍ରକଳ୍ପ ଶୀଘ୍ର କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ବୈଠକରେ କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ସିଦ୍ଦିକ ଆଲାମ, ଏନ୍ଟିପିସି, ଗ୍ରୀଡ୍କୋ ଏବଂ ଇପିକଲ୍ର ବରିଷ୍ଠ ଅଧିକାରୀଙ୍କ ସମେତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।