ଅଟେଇ ଜଙ୍ଗଲରେ ମହାବଳ ପାଦ ଚିହ୍ନ

ପାଟଣା,୫।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡ ବିଟ୍‌ ରୋହଣୀଦୁମା ବଣ ମହୁଲଡ଼ିହା ମଝିରେ ଥିବା ଅଟେଇ ସଂରକ୍ଷିତ ଶାଳ ଜଙ୍ଗଲରେ ମହାବଳ ବାଘର ସନ୍ଧାନ ମିଳିଛି। ଶନିବାର ବନ ବିଭାଗ ସହ ଏକ୍ସପର୍ଟ ଟିମ୍‌ ଜଙ୍ଗଲରେ ଛାନଭିନ କରୁଥିବା ବେଳେ ଅନେକ ପାଦ ଚିହ୍ନ ଦେଖିଥିଲେ। ଏହା ମହାବଳ ବାଘ ପ୍ରଜାତିର ବୋଲି ଏକ୍ସପର୍ଟ ଟିମ୍‌ ପକ୍ଷରୁ କୁହାଯାଇଛି। ବାଘ ଆତଙ୍କ ପରେ ଅଞ୍ଚଳବାସୀ ଟାଙ୍ଗିଆ, କଟୁରି ଧରି ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଛି। ସୁରକ୍ଷା ଦାବିରେ ଶନିବାର ଏସିଏଫଙ୍କୁ ଘେରାଉ କରିଥିଲେ।
ପ୍ରକାଶ ଯେ, ସଂରକ୍ଷିତ ଜଙ୍ଗଲ ଝରଣା ମଧ୍ୟରୁ ଗତ ଗୁରୁବାର ଏକ ବିଦାରିତ ବାର୍‌ହାର ଗଳିତ ମୃତଦେହକୁ ବନ ବିଭାଗ ଠାବ କରିଥିଲା। ମୃତଦେହ ନିକଟରେ ବନ୍ୟପ୍ରାଣୀର ପାଦ ଚିହ୍ନ ସ୍ପଷ୍ଟ ହେବା ପରେ ବନ ବିଭାଗ ତନାଘନା କରୁଛି। ଏନେଇ ଶନିବାର ଏସ୍‌ସିଏଫ ଘନଶ୍ୟାମ ମହାନ୍ତଙ୍କ ନେତୃତ୍ୱରେ ଭୁବନେଶ୍ୱରରୁ ୱାଇଲ୍ଡ ଲାଇଫ ଏକ୍ସପର୍ଟ ନିମାଇଁ ପଲେଇ, ୱାଇଲ୍ଡ ଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆର ଡାକ୍ତର ବ୍ରଜରାଜ ସିଂ, ଓୟୁଟି ଛାତ୍ର ଆଶିଷ ନାଏକ, ସାଟେଲାଇଟ ବିଶେଷଜ୍ଞଙ୍କ ସମେତ ୬ ଜଣିଆ ଟିମ୍‌ ସଂରକ୍ଷିତ ଜଙ୍ଗଲରେ ଛାନଭିନ ଆରମ୍ଭ କରିଛନ୍ତି। ଜଙ୍ଗଲରେ ଏକ ଝରଣା ନିକଟରୁ ବାଘର ଅନେକ ପାଦ ଚିହ୍ନ ଏକ୍ସପର୍ଟ ଟିମ ଦେଖି ଯାଞ୍ଚ କରିଥିଲେ। ୱାଇଲ୍ଡ ଲାଇଫ ଏକ୍ସପର୍ଟ ପଲେଇ କହିଛନ୍ତି, ପାଦ ଚିହ୍ନ ୧୪ ସେଣ୍ଟିମିଟରରୁ ଊର୍ଦ୍ଧ୍ୱ ରହିଛି। ଏହା ଏକ ମେଲ ରୟାଲ ବେଙ୍ଗଲ ଟାଇଗର (ମହାବଳ ବାଘ) ପ୍ରଜାତିର ଅଟେ ବୋଲି କହିଥିଲେ। ବାଘର ଚଳପ୍ରଚଳ, ଗତିବିଧି ଓ ପ୍ରଜାତି ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଶୁକ୍ରବାର ଡିଏଫ୍‌ଓ ଏଚ୍‌ଡି ହନୁମନ୍ତଙ୍କ ନିର୍ଦ୍ଦେଶରେ ୧୦ ଟ୍ରାପ୍‌ କ୍ୟାମେରା ଲଗାଯାଇଥିଲା। ପର୍ଯ୍ୟାୟକ୍ରମେ ଆଉ ୪୦ ଟ୍ରାପ କ୍ୟାମେରା ଲଗାଯିବ ବୋଲି ଏସିଏଫ ମହାନ୍ତ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷେ ରୋହଣୀଦୁମାଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏସିଏଫଙ୍କୁ ଘେରି ସୁରକ୍ଷା ଦାବି କରିଥିଲେ। ରୋହଣୀଦୁମାରୁ ଡୁମୁରିଆକୁ ସଂଯୋଗ ରାସ୍ତା ପାର୍ଶ୍ୱରେ ସୋଲାର ଲାଇଟ ଲଗାଇବାକୁ କହିଥିଲେ। ବାଘ ଭୟରେ ୪ ଦିନ ହେବ ଛାତ୍ରୀଛାତ୍ର ସ୍କୁଲ ଯାଉ ନାହାନ୍ତି। ଏଣୁ ଡୁମୁରିଆକୁ ଯାତାୟାତ ନିମନ୍ତେ ମାଗଣା ବସ୍‌ ଚଳାଚଳ ସୁବିଧା କରିବାକୁ ଗାଁର ରୁକ୍ମଣୀ ନାଏକ, ଲେଦି ମହାନ୍ତ, ଯୁଧିଷ୍ଠିର ମହାନ୍ତ, ଗୋଲାପ ମହାନ୍ତ ପ୍ରମୁଖ ଦାବି କହିଥିଲେ। ଲୋକଙ୍କୁ ଭୟଭୀତ ନହେବା ପାଇଁ ନିବେଦନ କରିବା ସହ ରାତ୍ରି ସମୟରେ ଘରୁ ବାହାରକୁ ନ ବାହାରିବା ପାଇଁ ଏସ୍‌ସିଏଫ୍‌ ପରାମର୍ଶ ଦେଇଛନ୍ତି। ଦାବି ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ। ବର୍ତ୍ତମାନ କ୍ୟାଟ ଫ୍ୟାମିଲିର ଏକ ପ୍ରାଣୀ ଜଙ୍ଗଲରେ ଥିବା ସୂଚନା ମିଳିବା ପରେ ବନ୍ୟପ୍ରାଣୀର ସୁରକ୍ଷା ନେଇ ଆମେ ଚିନ୍ତା କରୁଛୁ ବୋଲି କହିଥିଲେ।
ଘଟଣାସ୍ଥଳରେ ପାଟଣା ରେଞ୍ଜର ଘାସିନାଥ ପାତ୍ର, ସାହାରପଡ଼ା ବନପାଳ ଭୂପତି ସେଠୀ, ପାଟଣା ବନପାଳ ଚିତ୍ତରଞ୍ଜନ ପରିଡ଼ା, ବନପାଳ ପିଅନ ନାଏକ, ଗାର୍ଡ ପ୍ରଯୁକ୍ତା ଜେନା, ପାରା ଷ୍ଟାଫ, ଫାୟାର ଷ୍ଟାଫଙ୍କ ସମେତ ୨୫ ଜଣିଆ ଦଳ ଜଙ୍ଗଲରେ ଟ୍ରାପ କ୍ୟାମେରା ଖଞ୍ଜିବା ଆରମ୍ଭ କରିଛନ୍ତି। କାର୍ଯ୍ୟ ୫ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ରେଞ୍ଜର ପାତ୍ର କହିଛନ୍ତି।