ଗଞ୍ଜାମ, ୧୯।୯ (ବିଦ୍ୟାଧର ସାହୁ): ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି)ର ୪୩ତମ ପ୍ରତିଷ୍ଠା ଦିବସ ଅବସରରେ ଶିଳ୍ପ ବର୍ଗରେ ଗଞ୍ଜାମ ସ୍ଥିତ ଗ୍ରାସିମ୍ କମ୍ପାନୀ ପ୍ରତିଷ୍ଠିତ “ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷତା ପୁରସ୍କାର – ୨୦୨୬” ହାସଲ କରିଛି। ଓଡ଼ିଶା ସରକାରଙ୍କ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆଙ୍କଠାରୁ ଗ୍ରାସୀମ ୟୁନିଟ୍ ମୁଖ୍ୟ ଜୟଦୀପ ମଣ୍ଡଳ ଏବଂ ପରିବେଶ ବିଭାଗର ମୁଖ୍ୟ ସୁଚିସ୍ମିତା ପଟ୍ଟନାୟକ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି।
ପରିବେଶ ସୁରକ୍ଷା, ପ୍ରଦୂଷଣ ନିୟନ୍ତ୍ରଣ, ସମ୍ବଳ ସଂରକ୍ଷଣ ଏବଂ ସ୍ଥାୟୀ ବିକାଶ ଦିଗରେ ୟୁନିଟ୍ ପକ୍ଷରୁ ଗ୍ରହଣ କରାଯାଇଥିବା ନିରନ୍ତର ପ୍ରୟାସ ପାଇଁ ଏହି ସ୍ୱୀକୃତି ମିଳିଛି। ଏହି ମୂଲ୍ୟାୟନ ସମୟରେ ମୁଖ୍ୟତଃ ପାରଦ-ପ୍ରଦୂଷିତ ସ୍ଥାନଗୁଡ଼ିକର ବୈଜ୍ଞାନିକ ପ୍ରତିକାର, ମାଟି ଓ ଭୂତଳ ଜଳର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହାବ୍ୟତୀତ ଜୀବାଶ୍ମ ଜାଳେଣି ଉପରେ ନିର୍ଭରଶୀଳତା କମାଇବା ପାଇଁ କୃଷି-ଭିତ୍ତିକ ବଏଲରର ପ୍ରୟୋଗ, ଜଳ ସଂରକ୍ଷଣ ଓ ପୁନଃଚକ୍ରଣ, ଆରଓ ରିଜେକ୍ଟ ପରିଚାଳନା ଏବଂ ବୋର୍ଡ ସମ୍ମୁଖରେ ନିଜର ପ୍ରମୁଖ ପରିବେଶଗତ ସ୍ଥାୟୀ ପଦକ୍ଷେପଗୁଡ଼ିକର ସଫଳ ଉପସ୍ଥାପନା ପାଇଁ କମ୍ପାନୀକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
ଏହି ସ୍ୱୀକୃତି ଗଞ୍ଜାମର ଗ୍ରାସିମ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହୋଇଥିବା ବେଳେ ଏହା ଦାୟିତ୍ୱପୂର୍ଣ୍ଣ ଉତ୍ପାଦନ ଓ ସ୍ଥାୟୀ ବିକାଶ ପ୍ରତି ସେମାନଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହି ପୁରସ୍କାର ସମଗ୍ର ୟୁନିଟ୍ ପାଇଁ ଗର୍ବର ବିଷୟ ହୋଇଥିବାବେଳେ, ଆଗାମୀ ଦିନରେ ପରିବେଶଗତ ପ୍ରଦର୍ଶନକୁ ଆହୁରି ମଜବୁତ କରିବା ପାଇଁ ଅଧିକ ପ୍ରେରଣା ଯୋଗାଇବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।