ହାଟଡିହୀ/ଛେନାପଦୀ,୨୬ା୪(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): ଅନୁଦାନ ପ୍ରଦାନ ନ ହେବାରୁ ଏକ ସରକାରୀ କାର୍ଯ୍ୟକ୍ରମ ବନ୍ଦ ହୋଇଛି। ଯାହାକୁ ନେଇ କଳାକାରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କଳାକାରମାନଙ୍କୁ ଉପେକ୍ଷା କରାଯାଉଥିବା କୁହାଯାଇଛି।
ସୂଚନା ଅନୁସାରେ, ଓଡ଼ିଆପକ୍ଷ ୨୦୨୬ ଅବସରରେ ଏପ୍ରିଲ ୧୦କୁ ଲୋକକଳା ପାଇଁ ଦିନଟିଏ ଭାବରେ ପାଳନ କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ଚିଠି ନଂ ୧୨୦୪/୨୩ ଫେବୃଆରୀ ୨୦୨୬ ଅନୁସାରେ ସମସ୍ତ ଜିଲା ସଂସ୍କୃତି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ମୁତାବକ ରାଜ୍ୟର ବିଭିନ୍ନ ବ୍ଲକରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କିନ୍ତୁ କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଅଧୀନ ହାଟଡିହୀ, ଆନନ୍ଦପୁର ଏବଂ ଘସିପୁରା ବ୍ଲକରେ ଏହି କାର୍ଯ୍ୟକ୍ରମ ଅନୁଦାନ ନ ଥିବାରୁ ବନ୍ଦ ହୋଇଥିଲା ।
ସୂଚନାଯୋଗ୍ୟ, ଜିଲାପାଳଙ୍କ କାର୍ଯ୍ୟାଳୟ ଚିଠି ନଂ ୪୧୩/୨୫ ମାର୍ଚ୍ଚ ୨୦୨୬ ଅନୁସାରେ ସମସ୍ତ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲାର ପ୍ରତିଷ୍ଠିତ ପାରମ୍ପରିକ କଳାକାରମାନଙ୍କୁ ସମ୍ମାନିତ ଏବଂ ସମ୍ବର୍ଦ୍ଧନା କରାଯିବା ସହ ପ୍ରତିଷ୍ଠିତ ଲୋକକଳାର ପ୍ରଚାର ପ୍ରସାର କରିବା ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି ଚିଠିରେ ଉଲ୍ଲେଖ ଅଛି। କିନ୍ତୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲାନି କି କଳାକାରମାନେ ଏ ବାବଦରେ ସୂଚନା ପାଇଲେନି ବୋଲି ଅନେକ କଳାକାର କ୍ଷୋଭ ପ୍ରକାଶ କରି କହିଛନ୍ତି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ (ବିଏସ୍ଏସ୍ଓ) ସ୍ବାତୀ ସିଂ କହିଛନ୍ତି ଯେ, ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ପାଇଁ ଆମକୁ ନିର୍ଦ୍ଦେଶପତ୍ର ଆସିଥିଲା। କିନ୍ତୁ କାର୍ଯ୍ୟକ୍ରମ ପାଇଁ କୌଣସି ସରକାରୀ ଅନୁଦାନ ପ୍ରଦାନ କରାଯାଇ ନ ଥିଲା। ତେଣୁ କାର୍ଯ୍ୟକ୍ରମ ବନ୍ଦ ହୋଇଥିଲା। ଆନନ୍ଦପୁର ଉପଖଣ୍ଡ ଅଧୀନ ଅନ୍ୟ ଦୁଇ ବ୍ଲକ ଆନନ୍ଦପୁର ଏବଂ ଘସିପୁରା ବ୍ଲକରେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇନାହିଁ। ଗତବର୍ଷ ମଧ୍ୟ ହାଟଡିହୀ ବ୍ଲକରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ନ ଥିଲା।