ସୁନା, ଟଙ୍କା ଚୋରି ବେଳେ ଜେଜେଙ୍କୁ ହତ୍ୟା, ଗୃହଦାହ: ନାତି ଗିରଫ

ନିଶ୍ଚିନ୍ତକୋଇଲି,୧୦।୧୨(ସ୍ବ.ପ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ଲେଣ୍ଡୁରା ଭଗବାନପୁର ଗାଁରେ ଘଟିଥିବା ଏକ ହତ୍ୟା ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଟଙ୍କା ଏବଂ ସୁନା ପାଇଁ ନାତି ଓଁକାର ମୁଦୁଲି ଜେଜେ ହୃଷୀକେଶ ମୁଦୁଲିଙ୍କୁ ହତ୍ୟା କରିଛନ୍ତି। ଏତଦ୍‌ବ୍ୟତୀତ ଜେଜେମା’କନକଲତାଙ୍କୁ ମଧ୍ୟ ସେ ଆକ୍ରମଣ କରିଥିବା ପୋଲିସ କହିଛି।
ପୋଲିସ ସୂଚନା ମୁତାବକ, ଜେଜେ ହୃଷୀକେଶ ଏବଂ ଜେଜେମା’ କନକଲତା ଶୋଇଥିଲେ। ସେତିକିବେଳେ ପୂର୍ବ ଯୋଜନା ମୁତାବକ ଓଁକାର ଆଲମାରି ଖୋଲି ଚୋରି କରୁଥିଲେ। ଏହି ସମୟରେ ଜେଜେ ଉଠିପଡିଥିଲେ। ଏଥିରେ ଓଁକାର ଉତ୍‌କ୍ଷିପ୍ତ ହୋଇ ଏକ କଟୁରିରେ ଜେଜେଙ୍କୁ ଆକ୍ରମଣ କରିଥିଲେ। ଜେଜେମା’ ଏହାର ବିରୋଧ କରିବାରୁ ଓଁକାର ମଧ୍ୟ ତାଙ୍କୁ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରେ ହୃଷୀକେଶଙ୍କ ମୃତ୍ୟୁ ଘଟିଥିଲା, କିନ୍ତୁ ଜେଜେମା’ ଗୁରୁତର ଆହତ ହୋଇଥିଲେ। ଏହାକୁ ଦୁର୍ଘଟଣାର ରୂପ ଦେବା ପାଇଁ ଓଁକାର ଘରେ ନିଆଁ ଲଗାଇ ଦେଇଥିଲେ। ପୋଲିସ ତଦନ୍ତ ବେଳେ ଓଁକାରଙ୍କ ନିକଟରୁ ନଗଦ ୪,୧୭୦ ଟଙ୍କା, ସୁନା ଚେନ, କାନଫୁଲ, ରୁପା ଗହଣା ସହ ଆକ୍ରମଣରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି। ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଓଁକାରଙ୍କୁ ଗିରଫ କରିଥିବା ଶନିବାର ଖବରଦାତା ସମ୍ମଳନୀରେ ସାଲେପୁର ଏସ୍‌ଡିପିଓ ବିମଳ କୁମାର ବାରିକ କହିଛନ୍ତି।