ସମ୍ବଲପୁର,୨୦।୧୧(ପ୍ରମୋଦ ବହିଦାର): ଶୁକ୍ରବାର ସକାଳୁ ସକାଳୁ ଜାତୀୟ ରାଜପଥ(୫୩)ର ବାବୁବନ୍ଧ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜେଜେ ଏବଂ ତାଙ୍କର ୧୦ ବର୍ଷୀୟ ନାତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହିତ କ୍ଷତିପୂରଣ ଓ ଅନ୍ୟାନ୍ୟ ଦାବିରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ ।
ମିଳିଥିବା ସୂଚନା ଅନୁଯାୟୀ, ଗୋଶାଳା ନିକଟସ୍ଥ ସାନଟିକ୍ରା ଅଞ୍ଚଳର ପଣ୍ଡିତ ଅସୀମାନନ୍ଦ ଷଡ଼ଙ୍ଗୀଙ୍କ ପୁତ୍ର ପଣ୍ଡିତ ନିରଞ୍ଜନ ଷଡ଼ଙ୍ଗୀ ୫ମ ଶ୍ରେଣୀରେ ପଢ଼ୁଥିବା ତାଙ୍କ ନାତିଙ୍କୁ ସ୍କୁଲ ପଠାଇବା ପାଇଁ ବାବୁବନ୍ଧଠକ ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ । ସ୍କୁଲ୍ ବସକୁ ଅପେକ୍ଷା କରିଥିବା ବେଳେ ବରଗଡ଼ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ଉଭୟଙ୍କୁ ଧକ୍କା ଦେଇଥିଲା । ଫଳରେ ଜେଜେ ଓ ନାତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ।
ଦୁର୍ଘଟଣା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବ୍ଯାପକ ଉତ୍ତେଜନା ପ୍ରକାଶ ପାଇଥିଲା।
ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ । ଫଳରେ କିଛି ସମୟ ପାଇଁ ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପରବର୍ତ୍ତୀ ସମୟରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାଶୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିବା ଜଣାପଡ଼ିଛି ।