Categories: ରାଜ୍ୟ

ପରିବହନରେ ଜିପିଏସ୍‌ ବ୍ୟବସ୍ଥା ବାଟବଣା

ଯାଜପୁର ଅଫିସ,୪ା୧୧: ଯାଜପୁର ଓ କେନ୍ଦୁଝର ଜିଲାରେ ମୂଲ୍ୟବାନ ଖଣିଜ ପଦାର୍ଥ ପରିବହନକୁ ସୁନିୟନ୍ତ୍ରିତ କରିବାକୁ ଜିପିଏସ୍‌ (ଗ୍ଲୋବାଲ ପୋଜିଶନିଂ ସିଷ୍ଟମ) ଉପରେ ଗୁରୁତ୍ୱାରୋପ କରାଯାଇଛି। ଏଥିପାଇଁ ରାଜ୍ୟ ସରକାର ୨୦୧୪-୧୫ ଆର୍ଥିକ ବର୍ଷରେ ସ୍ବତନ୍ତ୍ର କମ୍ପାନୀ ଜରିଆରେ ଖଣି ପରିବହନରେ ନିୟୋଜିତ ପ୍ରତ୍ୟେକ ଗାଡ଼ିରେ ଜିପିଏସ୍‌ ଯନ୍ତ୍ର ବ୍ୟବସ୍ଥା ଲଗାଇଥିଲେ। ଏପରି କି ଏଥିରେ ଇଣ୍ଟିଗ୍ରେଟେଡ୍‌ ମାଇନ୍ସ, ମିନେରାଲ୍ସ ମ୍ୟାନେଜ୍‌ମେଣ୍ଟ ସିଷ୍ଟମ୍‌କୁ ଟ୍ୟାଗ କରାଯାଇଛି, ଯାହାଫଳରେ ଖଣି ଖାଦାନରୁ ଉତ୍ପାଦିତ ଖଣିଜ ପଦାର୍ଥ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଲା କି ନାହିଁ ସେ ନେଇ ଠିକ୍‌ ତଥ୍ୟ ଜଣାପଡ଼ିଥାଏ। ଖଣିଜ ପରିବହନ କରୁଥିବା ଟ୍ରକ୍‌ର ସମ୍ପୂର୍ଣ୍ଣ ଗତିବିଧି ଉପରେ ନିରୀକ୍ଷଣ ରଖାଯାଇପାରିବ। ହେଲେ ବିଭାଗୀୟ ଅଧିକାରୀଙ୍କ ସହ କେତେକ ଖଣି କମ୍ପାନୀ, ପରିବହନ ସଂସ୍ଥା ଏହି ଜିପିଏସ୍‌ ବ୍ୟବସ୍ଥାକୁ ଠିକ୍‌ଭାବେ କାର୍ଯ୍ୟକାରୀ କରୁ ନାହାନ୍ତି। ଫଳରେ ଖଣିଜ ପରିବହନରେ ବ୍ୟାପକ ଲୁଟ୍‌ ହେଉଛି। ଗତ ଶନିବାର ଯାଜପୁରରୋଡ ଖଣି ଉପନିର୍ଦ୍ଦେଶାଳୟ ପକ୍ଷରୁ ଧର୍ମଶାଳା ତହସିଲ୍‌ ଅନ୍ତର୍ଗତ ନେଉଳପୁର ପାହାଡ଼ ଅଞ୍ଚଳରେ ପ୍ରାୟ ୨୦୦ ଟନ୍‌ ଚୋରା ଲୁହାପଥର ଜବତ ଏହାର ଜ୍ୱଳନ୍ତ ଉଦାହରଣ। ଏବେ ବି କାଏମା ପେଟ୍ରୋଲ ପମ୍ପ ନିକଟସ୍ଥ ବିଭିନ୍ନ ସ୍ଥାନରେ ଆହୁରି ପ୍ରାୟ ୨୦୦ଟନ୍‌ ଲୁହାପଥର ଗଦା ହୋଇଥିବା ଅଞ୍ଚଳବାସୀଙ୍କ ଠାରୁ ସୂଚନା ମିଳିଥିଲେ ହେଁ ଏନେଇ ଖଣି ବିଭାଗ ନିକଟରେ କୌଣସି ଖବର ନାହିଁ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଉଛନ୍ତି।
୧୦ବର୍ଷ ପୂର୍ବେ ଶାହା କମିଶନଙ୍କ ରିପୋର୍ଟ ଆଧାରରେ ଏଭଳି ଭାବେ ଲକ୍ଷାଧିକ କୋଟି ଟଙ୍କାର ଲୁହାପଥର ଚୋରି ମାମଲାରେ ଏକାଧିକ ଖଣି କମ୍ପାନୀକୁ ଦାୟୀ କରାଯାଇ ଜରିମାନା ଆଦାୟ କରାଯାଇଛି। ଏଭଳିସ୍ଥିତିରେ ପୁଣି ଲୁହାପଥର ଚୋରା କାରବାର ଉପରେ ସମ୍ପୃକ୍ତ ଖଣି ବିଭାଗର କାର୍ଯ୍ୟ ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିଛି। ୨୦୦୦ ରୁ ୨୦୧୦ ମଧ୍ୟରେ ଓଡ଼ିଶାର ବିଭିନ୍ନ ଖଣିରୁ ଲିଜ୍‌ଧାରୀମାନେ ଅନୁମତିଠାରୁ ଢେର ଅଧିକ ଖଣିଜ ଦ୍ରବ୍ୟ ଲୁଟ କରିଥିବା ସମ୍ପର୍କରେ ଶାହା କମିଶନ ସୁପ୍ରିମକୋର୍ଟକୁ ରିପୋର୍ଟ ଦେଇଥିଲେ। ଏହାପରେ ରାଜ୍ୟ ସରକାର ପରିବହନ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବାକୁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ତଥାପି ୧୦ ବର୍ଷ ପୂର୍ବେ ଚୋରା କାରବାରର ମିଠା ପାଇଥିବା କେତେକ ପ୍ରଭାବଶାଳୀ ବ୍ୟକ୍ତି ସମ୍ପୃକ୍ତ ଖଣି ବିଭାଗର କେତେକ ଅସାଧୁ ଅଧିକାରୀ ଓ କର୍ମଚାରୀଙ୍କୁ ହାତ କରି ପୁଣି ଲୁହାପଥର କାରବାର କରୁଛନ୍ତି। ବିଶେଷକରି କେନ୍ଦୁଝର ଯୋଡ଼ା ଅଞ୍ଚଳରୁ ଯାଜପୁର ଜିଲାଦେଇ ବିପୁଳ ପରିମାଣର ଚୋରା ଲୁହାପଥର ପରିବହନ କରାଯାଉଛି। ଏସଂକ୍ରାନ୍ତରେ ଯାଜପୁରରୋଡ ଖଣି ଉପନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ପ୍ରିୟଦର୍ଶୀ ସନ୍ଦୀପ ବଳଙ୍କୁ ପଚାରିବାରେ ସେ କହିଛନ୍ତି, ଜବତ ଲୁହାପଥର ସମ୍ପର୍କରେ ତଦନ୍ତ ଚାଲିଛି। ଏପରି କି ଯୋଡ଼ା ଖଣି ବିଭାଗର ଯୁଗ୍ମ ନିର୍ଦ୍ଦେଶକଙ୍କୁ ସୂଚନା ଦିଆଯାଇ ସାରିଛି। ଜିପିଏସ୍‌ ଓ କ୍ୟୁଆର୍‌ କୋଡ୍‌ ଉପରେ ମଧ୍ୟ ତନଖି ଚାଲିଛି। ଖୁବଶୀଘ୍ର ଲୁହାପଥର ଚୋରା କାରବାର ଉପରେ ପର୍ଦ୍ଦାଫାଶ ହେବ ବୋଲି ସେ କହିଛନ୍ତି।