ନିୟମିତ ହେଲେ ୮ ହଜାର ୧୦୨ କନିଷ୍ଠ ଶିକ୍ଷକ, ୨୦୧୫ରେ ପାଇଥିଲେ ନିଯୁକ୍ତି

ଭୁବନେଶ୍ବର,୧।୧(ବ୍ୟୁରୋ): ୨୦୧୫ ଜାନୁୟାରୀରେ ନିଯୁକ୍ତି ପାଇଥିବା ୮ ହଜାର ୧୦୨ କନିଷ୍ଠ ଶିକ୍ଷକଙ୍କୁ ରାଜ୍ୟ ସରକାର ଶନିବାର ନିୟମିତ କରିଛନ୍ତି । ତେବେ ୬ ବର୍ଷ ୧୧ ମାସ ପରେ ଶିକ୍ଷକମାନଙ୍କୁ ନିୟମିତ କରାଯାଇଛି। ଏହା ଭିତରେ ୪୦ ହଜାର ୫୨ ଜଣ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି।

୨୦୨୨ର ଯୋଜନାକୁ ନେଇ ମନ୍ତ୍ରୀ କହିଛନ୍ତି, ‘୨୫୦ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି । ବାକି ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲାଯିବ । ଚଳିତବର୍ଷ ଷଷ୍ଠ ଶ୍ରେଣୀରୁ ପାଠପଢ଼ା ଆରମ୍ଭ କରାଯିବ । ରାଜ୍ୟର ସମସ୍ତ ସ୍କୁଲକୁ ରୂପାନ୍ତରୀକରଣ କରାଯାଇ ୫- ଟି ଅଧୀନକୁ ଅଣାଯିବ। ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ୧୧ ହଜାର ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରି ସାରିଛି। ଆଦର୍ଶ ବିଦ୍ୟାଳୟରେ ୧୭୦୦ ଶିକ୍ଷକ ଶିକ୍ଷୟତ୍ରୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାଥମିକ ଶିକ୍ଷାରୁ ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଗୁରୁତ୍ୱ ଦିଆଯାଉଛି। ଦଶମ ଓ ଦ୍ବାଦଶ ବାର୍ଷିକ ପରୀକ୍ଷା ସଠିକ ସମୟରେ କରି ଫଳ ବାହାର କରିବା ପାଇଁ ଆଶା ରଖିଛୁ । କିଛି ସମସ୍ୟା ଉପୁଜିଲେ ଏହାର ମୁକାବିଲା ପାଇଁ ବିଭାଗ ସଜାଗ ଅଛି ।’