ଗୋବିନ୍ଦଙ୍କ ଝିଅ-କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ଅଡିଓ ଭାଇରାଲ

ବଲାଙ୍ଗୀର ଅଫିସ, ୫ା୧: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଝିଅ ଲିପିକା ସାହୁ ଏବଂ କ୍ରାଇମବ୍ରାଞ୍ଚ ଟିମ୍‌ ଅଧିକାରୀଙ୍କ ଏକ ଅଡିଓ ଭାଇରାଲ ହୋଇଛି। ଏହି ଅଡିଓ ଭାଇରାଲ ହେବା ପରେ ଗୋବିନ୍ଦଙ୍କ ଚିଠି ପୁଣି ଥରେ ଚର୍ଚ୍ଚାକୁ ଆସିଛି। କଣ୍ଟାବାଞ୍ଜି ଜେଲରେ ଗତ ଡିସେମ୍ବର ୨୦ ତାରିଖରେ ଗୋବିନ୍ଦ ସାହୁଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ଟିମ୍‌କୁ ହସ୍ତାନ୍ତର କରାଯାଇଥିଲା। କ୍ରାଇମବ୍ରାଞ୍ଚ ଟିମ୍‌ ମହାଲିଙ୍ଗ ଗସ୍ତ କରି ଗୋବିନ୍ଦଙ୍କ ବାସଭବନ ଏବଂ କଲେଜକୁ ଯାଇଥିଲେ। ଏତିକିବେଳେ ଗୋବିନ୍ଦଙ୍କ ବଡଝିଅ ଲିପିକା ସାହୁ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ମୃତ୍ୟୁ ପୂର୍ବରୁ ତାଙ୍କ ଉଦ୍ଦେଶ୍ୟରେ ଲିଖିତ ତାଙ୍କ ବାପାଙ୍କ ଶେଷଚିଠି ମାଗିଥିଲେ। ଏହି ସମୟର ଅଡିଓ ଏବେ ଭାଇରାଲ ହୋଇଛି। ଏଥିରେ ଗୋବିନ୍ଦଙ୍କ ଝିଅ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ତାଙ୍କ ବାପାଙ୍କ ଶେଷ ଚିଠି ମାଗୁଛନ୍ତି। ଏହି ଚିଠିରେ କ’ଣ ଲେଖାଯାଇଛି ତାହା ପ୍ରଥମେ ସେ ପଢ଼ିବା କଥା। ଏଣୁ ତାଙ୍କୁ ଦିଆଯାଉ ବୋଲି ସେ କହୁଛନ୍ତି। ତାଙ୍କ ସାମ୍ନାରେ ସେହି ଚିଠି ଖୋଲାଯିବା କଥା ବୋଲି ସେ କହିଛନ୍ତି। କ୍ରାଇମବ୍ରାଞ୍ଚ ଅଧିକାରୀମାନେ କହିଛନ୍ତି ଯେ, ଏହା ଏକ କେସ୍‌ ମ୍ୟାଟର, ଏଣୁ ସେମାନେ ତାଙ୍କୁ ଦେଇପାରିବେ ନାହିଁ। ଏହା ଏବେ ସିଲ୍‌ ହୋଇରହିଛି। ହ୍ୟାଣ୍ଡ ରାଇଟିଂ ବ୍ୟୁରୋ ପାଖକୁ ଏହି ଚିଠି ପଠାଯିବ ଏବଂ ସେଠାରେ ଏହି ଚିଠି ବାସ୍ତବରେ ଗୋବିନ୍ଦଙ୍କର କି ନା ପରୀକ୍ଷା କରାଯିବ ବୋଲି କ୍ରାଇମବ୍ରାଞ୍ଚ ଅଧିକାରୀ କହୁଥିବା ଭାଇରାଲ ଅଡିଓରେ ରହିଛି। ତେବେ ଲିପିକା ଗୋବିନ୍ଦଙ୍କ କୌଣସି ଓଡ଼ିଆ ଲେଖା ତାଙ୍କ ପାଖରେ ନାହିଁ ବୋଲି କହୁଥିବା ଭାଇରାଲ ଅଡିଓରେ ଶୁଣାଯାଉଛି।
ଉକ୍ତ ଚିଠିରେ ଗୋବିନ୍ଦ କ’ଣ ଲେଖିଛନ୍ତି ତାହା ଜାଣିବାକୁ ସମସ୍ତେ ବ୍ୟଗ୍ର ଅଛନ୍ତି। ଉକ୍ତ ଚିଠି ମମିତା ମେହେର ଏବଂ ଗୋବିନ୍ଦ ସାହୁ ମୃତ୍ୟୁ ରହସ୍ୟ ଖୋଲିବ ନା ଅଧିକ ରହସ୍ୟ ସୃଷ୍ଟି କରିବ ତାକୁ ନେଇ ଚର୍ଚ୍ଚା ହେଉଛି।