ଗୋବିନ୍ଦଙ୍କ ଜାମିନ ଶୁଣାଣି ୨୧କୁ ଘୁଞ୍ଚିଲା

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି, ୧୬।୧୨ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ମହାଲିଙ୍ଗସ୍ଥିତ ଏକ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜାମିନ ଆବେଦନ ପୁଣି ଘୁଞ୍ଚିଲା। ପରବର୍ତ୍ତୀ ଶୁଣାଣି ଆସନ୍ତା ୨୧ତାରିଖରେ ହେବ ବୋଲି କଣ୍ଟାବାଞ୍ଜି ଏଡିଜେ ଦିନ ଧାର୍ଯ୍ୟ କରିଛନ୍ତି।
ପ୍ରଥମରୁ ଧାର୍ଯ୍ୟ ଗତ ୬ ତାରିଖରେ ଗୋବିନ୍ଦଙ୍କ ଜାମିନ ଆବେଦନ ଶୁଣାଣି ତାରିଖ ଘୁଞ୍ଚାଇ ଦିଆଯିବା ପରେ ବୁଧବାର ପୁଣି ଥରେ ଏଡିଜେ କୋର୍ଟ ଦିନ ଧାର୍ଯ୍ୟ କରିଥିଲେ। ଏହିଦିନ ସିନ୍ଧେକେଲା ଥାନା ପୋଲିସକୁ ଘଟଣାର ସିଡି (ଚାର୍ଜଶିଟ୍‌) ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ବୁଧବାର ଆଡିଶନାଲ ପବ୍ଳିକ୍‌ ପ୍ରସିକ୍ୟୁଟର କାନନ କିଶୋର ପଣ୍ଡା କଣ୍ଟାବାଞ୍ଜି ଏଡିଜେଙ୍କଠାରେ ସିଡି ଉପସ୍ଥାପନ ପାଇଁ ଆଉ ୧୫ ଦିନ ସମୟ ଦେବାକୁ ଅନୁରୋଧ ଜଣାଇଥିଲେ। ସିନ୍ଧେକେଲା ଥାନା ପୋଲିସ ପବ୍ଲକ ପ୍ରସିକ୍ୟୁଟର ପଣ୍ଡାଙ୍କୁ ଘଟଣାର ସିଡି ଦାଖଲ କରିଥିଲେ ହେଁ ଏହାର ବିଧିବଦ୍ଧ ଯାଞ୍ଚ ପାଇଁ ଅତିକମ୍‌ରେ ୧୫ଦିନର ମହଲତ ଦିଆଯାଉ ବୋଲି ଏଡିଜେଙ୍କୁ ଏପିପି ପଣ୍ଡା କହିଥିଲେ। ଏହାକୁ ଗ୍ରହଣ କରି କୋର୍ଟ ୧୫ଦିନ ପରିବର୍ତ୍ତେ ୭ଦିନର ମହଲତ ଦେଇ ଆସନ୍ତା ୨୧ତାରିଖରେ ଜାମିନ ଆବେଦନ ଉପରେ ଶୁଣାଣି ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଯେ, ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଗୋବିନ୍ଦ ସାହୁଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ସେ ଏବେ କଣ୍ଟାବାଞ୍ଜି ଉପକାରାଗାରରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ଗୋବିନ୍ଦ ତାଙ୍କ ଓକିଲଙ୍କ ଜରିଆରେ ଜାମିନ ପାଇଁ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଆବେଦନ କରିଛନ୍ତି।