ମମିତା ମୃତ୍ୟୁ ମାମଲା: କେଉଁଠି କେମିତି ହତ୍ୟା କରିଥିଲେ ସବୁ ମାନିଲେ ଗୋବିନ୍ଦ

ବଲାଙ୍ଗୀର ଅଫିସ,୨୦ା୧୦: ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାରେ ବଡ଼ଧରଣର ଖୁଲାସା ହୋଇଛି । ଗିରଫ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମମିତାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ଅପହରଣ କରିଥିବା କାର୍‌ ଭିତରେ ମମିତାଙ୍କୁ ବୋର୍ଡା ଗାଁ ନିକଟରେ ମାଡ଼ ମାରିବା ପରେ ତଣ୍ଟି ଚିପି ହତ୍ୟା କରିବା ପରେ ମହାଲିଙ୍ଗ ଷ୍ଟାଡିୟମ ପରିସରରେ ପୋତି ଦେଇଥିଲେ ବୋଲି ସ୍ବୀକାର କରିଥିବା ଜଣାପଡ଼ିଛି।  ଉତ୍ତରାଞ୍ଚଳ ଡିଆଇଜି ଡା ଦୀପକ କୁମାର ଓ ବଲାଙ୍ଗୀର ଏସ୍‌ପି ନୀତିନ କୁଶଲକର ଏନେଇ ଖବରଦାତା ସମ୍ମିଳନୀରେ ସୂଚନା ଦେବେ ବୋଲି ଜଣାପଡ଼ିଛି । ମଙ୍ଗଳବାର କଳାହାଣ୍ଡି ଜିଲା ମହାଲିଙ୍ଗ ଗ୍ରାମ ନିର୍ମାଣାଧୀନ ମିନି ଷ୍ଟାଡିୟମ ପଡ଼ିଆ ଖୋଳା ଯିବା ପରେ ସେଠାରୁ କିଛି ଖଣ୍ଡ ହାଡ଼, ପାଉଁଜି, ଏକ ସୁନାଚେନ ଓ ଏକ ବ୍ୟାଗ ମିଳିଥିଲା ଓ ବଙ୍ଗୋମୁଣ୍ଡା ଥାନାର ବୁଢୀପଦର ଗାଁ ଆଖୁ କିଆରିରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଗିରଫ ହୋଇଥିଲେ।