ଗୁଆହାଟୀ,୧୩ା୬(ପି.ଟି.): ବେଆଇନ ଆପ୍ରବାସୀମାନେ ଯେପରି ଆଧାର କାର୍ଡ ହାସଲ ନ କରନ୍ତି, ସେଥିପାଇଁ ଆସାମରେ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କୁ ଆଉ ନୂଆ ଆଧାର କାର୍ଡ ଜାରି ନ କରିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଶନିବାର କହିଛନ୍ତି। ଅସାଧାରଣ ଘଟଣାରେ ଆଧାର କାର୍ଡ ଜାରି ପାଇଁ ଅନୁମତି ଦେବାକୁ ଜିଲା କମିଶନର ରାଜ୍ୟ ସରକାରଙ୍କ ପାଖକୁ ପ୍ରସ୍ତାବ ପଠାଇବେ। ଏହା ପରେ ଉକ୍ତ ବ୍ୟକ୍ତି ଆଧାର କାର୍ଡ ପାଇବା ପାଇଁ ଯୋଗ୍ୟ କି ନୁହେଁ ରାଜ୍ୟ ସରକାର ବିଚାର କରିବେ ବୋଲି କ୍ୟାବିନେଟ୍ ବୈଠକ ପରେ ବିଶ୍ୱଶର୍ମା ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ଆସାମରେ ଆଧାର କାର୍ଡ ଜାରି ଏକ ପରିପକ୍ୱ ବିନ୍ଦୁରେ ପହଞ୍ଚତ୍ଛି। କେତେକ ଜିଲାରେ ତାହା ୧୦୦ ପ୍ରତିଶତ ଟପିସାରିଲାଣି। ତେଣୁ ଅତିରିକ୍ତ ଆଧାର କାର୍ଡ କେଉଁମାନେ ହାତେଇଛନ୍ତି, ତାହା ନିଶ୍ଚିତ ହେବାକୁ ପଡ଼ିବ। କୌଣସି ବେଆଇନ ବାଂଲାଦେଶୀ ଯେପରି ଆଧାର କାର୍ଡ ନ ପାଆନ୍ତି, ତାହା ସୁନିଶ୍ଚିତ କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଥିବା ବିଶ୍ୱଶର୍ମା କହିଛନ୍ତି।