ଘରୋଇ ଲାବ୍‌କୁ ସରକାରଙ୍କ ଚେତାବନୀ

ଭୁବନେଶ୍ୱର, ୧୫ା୫(ବ୍ୟୁରୋ): କରୋନା ଟେଷ୍ଟ୍‌ ପ୍ରସଙ୍ଗରେ ଘରୋଇ ଲାବ୍‌କୁ କଡ଼ା ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର। ଆର୍‌ଟି-ପିସିଆର୍‌ ଟେଷ୍ଟ ପାଇଁ ଧାର୍ଯ୍ୟ ଦର ଠାରୁ ଅଧିକ ଟଙ୍କା ନେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଡ଼ଭାଇଜରି ଜାରି ହୋଇଛି। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର ଓ ଜିଲା ଚିକିତ୍ସାଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। କେତେକ ଘରୋଇ ଲାବ୍‌ କରୋନା ସନ୍ଦିଗ୍ଧ ରୋଗୀଙ୍କ ଘରକୁ ଯାଇ ଆର୍‌ଟି-ପିସିଆର୍‌ ଟେଷ୍ଟ ପାଇଁ ନମୁନା ସଂଗ୍ରହ କରୁଛନ୍ତି। କିନ୍ତୁ ସରକାରଙ୍କ ନିର୍ଦ୍ଧାରିତ ଦରଠାରୁ ଅଧିକ ଟଙ୍କା ନେଉଥିବା ଓ ଠିକ୍‌ ସମୟରେ ରିପୋର୍ଟ ଦେଉ ନ ଥିବା ଅଭିଯୋଗ ହୋଇଛି। ତେଣୁ ଘରୋଇ ଲାବ୍‌ ପାଇଁ ସରକାର ଆଡ଼ଭାଇଜରି ଜାରି କରିଥିବା ପ୍ରଦୀପ୍ତ ମହାପାତ୍ର ଚିଠିରେ ଉଲ୍ଲେଖ କରିଛନ୍ତି। ଉକ୍ତ ଆଡ଼ଭାଇଜରି ଅନୁସାରେ, ଲାବ କର୍ମଚାରୀମାନେ ଠିକ୍‌ ଗାଇଡ୍‌ଲାଇନ ପାଳନ କରି ପିପିଇ କିଟ୍‌ ପିନ୍ଧି ଘରୁ ନମୁନା ସଂଗ୍ରହ କରିବେ। ଅଧିକୃତ ଲାବ୍‌ ନମୁନା ସଂଗ୍ରହ ପାଇଁ ଅନ୍ୟ ଲାବ୍‌କୁ ନିୟୋଜିତ କରିପାରିବେ ନାହିଁ। ପରୀକ୍ଷା ପାଇଁ ଘରୋଇ ଲାବ୍‌ ସରକାରୀ ଧାର୍ଯ୍ୟ ଦର ହିଁ ଦାବି କରିପାରିବେ। ଅତିରିକ୍ତ ସେବା ପାଇଁ ଟଙ୍କା ନେଇପାରିବେ ନାହିଁ। ଅଧିକ ଦର ନେଲେ ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ନ ମାନିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମହାପାତ୍ର କହିଛନ୍ତି।