ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା କିଛି ପୁରୁଣା ଗାଡ଼ିର ଇନ୍ଧନ ଦକ୍ଷତା (ମାଇଲେଜ୍) ରେ ସାମାନ୍ୟ ହ୍ରାସ ଆସିପାରେ। ତେବେ ଏଥାନୋଲ ମିଶ୍ରିତ ପେଟ୍ରୋଲ କାରଣରୁ ବ୍ୟାପକ ଭାବେ ଇଞ୍ଜିନ୍ ଖରାପ ହେବା କିମ୍ବା ଗାଡ଼ିରେ ତ୍ରୁଟି ଦେଖାଦେବାର କୌଣସି ସତ୍ୟ (Verified) ପ୍ରମାଣ ମିଳିନାହିଁ। ରାଜ୍ୟସଭାରେ ପଚରାଯାଇଥିବା ପ୍ରଶ୍ନର ଲିଖିତ ଉତ୍ତରରେ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ରାଜ୍ୟମନ୍ତ୍ରୀ ସୁରେଶ ଗୋପୀ ଜଣାଇଛନ୍ତି ଯେ E10 ପାଇଁ ଡିଜାଇନ୍ କରାଯାଇଥିବା ପୁରୁଣା ଗାଡ଼ିଗୁଡ଼ିକରେ ମାଇଲେଜ୍ ହ୍ରାସ ସାଧାରଣତଃ ପ୍ରାୟ ୩ ରୁ ୫ ପ୍ରତିଶତ ମଧ୍ୟରେ ସୀମିତ ରହିଥାଏ। ସେ କହିଛନ୍ତି ଯେ କୌଣସି ଗାଡ଼ିର ମାଇଲେଜ୍ କେବଳ ପେଟ୍ରୋଲରେ ଏଥାନୋଲର ପରିମାଣ ଉପରେ ନିର୍ଭର କରେ ନାହିଁ, ବରଂ ଡ୍ରାଇଭିଂ ଅଭ୍ୟାସ, ଗାଡ଼ିର ରକ୍ଷଣାବେକ୍ଷଣ, ଟାୟାର୍ ପ୍ରେସର, ହୁଇଲ୍ ଆଲାଇନ୍ମେଣ୍ଟ ଏବଂ ଏୟାର କଣ୍ଡିସନର (AC) ର ବ୍ୟବହାର ଭଳି ଅନେକ କାରକ ଉପରେ ମଧ୍ୟ ନିର୍ଭର କରେ।
ସୁରେଶ ଗୋପୀ କହିଛନ୍ତି, “E10 ପାଇଁ ଡିଜାଇନ୍ କରାଯାଇଥିବା କିଛି ପୁରୁଣା ଗାଡ଼ିରେ ଇନ୍ଧନ ଦକ୍ଷତାରେ ହେଉଥିବା ହ୍ରାସ ସାଧାରଣତଃ ସାମାନ୍ୟ (ପ୍ରାୟ ୩-୫ ପ୍ରତିଶତ) ହୋଇଥାଏ।” ସେ ଆହୁରି କହିଛନ୍ତି, “କିଛି ପୁରୁଣା ଗାଡ଼ିରେ ମାଇଲେଜ୍ରେ ସାମାନ୍ୟ ହ୍ରାସ ଆସିପାରେ, କିନ୍ତୁ E20 ପେଟ୍ରୋଲର ଅନେକ ଫାଇଦା ମଧ୍ୟ ରହିଛି। ଏଥିରେ ଅଧିକ ଅକ୍ଟେନ୍ ରେଟିଂ, ଭଲ ଆଣ୍ଟି-ନକ୍ ପ୍ରଦର୍ଶନ, ଉତ୍ତମ ଦହନ କ୍ଷମତା ଏବଂ ଅଧିକ ସ୍ମୁଥ୍ ଆକ୍ସିଲେରେସନ୍ ମିଳିଥାଏ।”
ଏସବୁ ମଧ୍ୟରେ, ଏହି ମାସ ୭ ଜୁଲାଇରେ କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ E20 ପେଟ୍ରୋଲକୁ ନେଇ ଉଠୁଥିବା ପ୍ରଶ୍ନ ଉପରେ ଆଲୋଚକମାନଙ୍କୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ ଯେ ଯଦି ୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ ଯୋଗୁଁ କୌଣସି ଗାଡ଼ିର କ୍ଷତି ହୋଇଛି, ତେବେ ତାହାର ଗୋଟିଏ ବି ଉଦାହରଣ ସାମ୍ନାକୁ ଆଣି ଦେଖାଯାଉ। ଏହାସହ ସେ ମାଇଲେଜ୍ କମିବା ଏବଂ ଅନ୍ୟାନ୍ୟ ଦାବିକୁ “ପେଡ୍ କ୍ୟାମ୍ପେନ୍” (Sponsored Campaign) ର ଅଂଶ ବୋଲି କହିଥିଲେ।
‘ବିକଶିତ ଭାରତ କନ୍କ୍ଲେଭ୍’ରେ ବକ୍ତବ୍ୟ ରଖି ନିତିନ ଗଡକରୀ କହିଥିଲେ, “E20 ପେଟ୍ରୋଲ କାରଣରୁ କୌଣସି ବି କାର୍ରେ ଖରାପି ଆସିବାର ଗୋଟିଏ ହେଲେ ବି ମାମଲା ସାମ୍ନାକୁ ଆସିନାହିଁ। ଯଦି କୌଣସି ଗାଡ଼ିରେ E20 ପେଟ୍ରୋଲ ଯୋଗୁଁ ସମସ୍ୟା ହୋଇଛି, ତେବେ ତାହାର କେବଳ ଗୋଟିଏ ଉଦାହରଣ କୁହନ୍ତୁ।” ସେ ଆହୁରି ମଧ୍ୟ କହିଥିଲେ, “ଅଧିକ ଏଥାନୋଲ ମିଶ୍ରିତ ପେଟ୍ରୋଲକୁ ନେଇ ମିଥ୍ୟା କାହାଣୀ (Narrative) ପ୍ରଚାର କରାଯାଉଛି। ଏସବୁ ପେଡ୍ କ୍ୟାମ୍ପେନ୍ର ଅଂଶ।”