ଲୋକଙ୍କ ସରକାର

କାଲି ଭଳି ଲାଗୁଛି। ନୂଆ ସରକାରକୁ ଏକ ବର୍ଷ ଆଜି ପୂରିଛି। ଗତକାଲି ଥିଲା ପବିତ୍ର ସ୍ନାନପୂର୍ଣ୍ଣିମା। ମୁଁ ସ୍ନାନବେଦିରେ ମହାପ୍ରଭୁଙ୍କୁ ଆଖିରେ ଆଖି ମିଳାଇ ସାରା ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରି ପ୍ରାର୍ଥନା କଲି। ରତ୍ନସିଂହାସନ ଛାଡ଼ି ସ୍ନାନବେଦିରେ ବିଦ୍ୟମାନ ପ୍ରଭୁଙ୍କୁ ଅପଲକ ନୟନରେ ଦେଖିଲି। ଆତ୍ମସନ୍ତୋଷ ଓ ଖୁସି ମନରେ ମହାପ୍ରଭୁଙ୍କଠାରୁ ମେଲାଣି ନେଲି। ମହାପ୍ରଭୁ ଆମ ସମସ୍ତଙ୍କର ମାଲିକ, ଆମେ ସମସ୍ତେ ତାଙ୍କର ସେବକ। ତାଙ୍କର ଆଶୀର୍ବାଦ ହିଁ ଆମର ଶକ୍ତି।
ପୁରୀରୁ ଭୁବନେଶ୍ୱର ଫେରିବା ବେଳେ ମୋ ଜୀବନର ସୁଖଦୁଃଖ ଓ ଅଙ୍ଗେନିଭା କଥା। ରାଜନୈତିକ ସଂଘର୍ଷ-ଜୟ-ପରାଜୟ ତଥା ସଫଳତା ବିଫଳତାର କାହାଣୀ। ବର୍ଷକର ସରକାରରେ ମୋ ନେତୃତ୍ୱ। ତିକ୍ତ-ମଧୁର ଅନୁଭୂତି। ବର୍ଷକରେ ଆମେ କଲୁ କ’ଣ? ୪ ବର୍ଷରେ ଆମର ଆଉ କ’ଣ କରିବାକୁ ବାକି ରହିଲା? ୨୦୩୬ ଆମର ସ୍ବତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ସମୟରେ ଆମର ଲକ୍ଷ୍ୟ ପୂରଣ ପାଇଁ କ’ଣ କ’ଣ ପଦକ୍ଷେପ ଆଜିଠାରୁ ଆବଶ୍ୟକ? ୨୦୪୭ ମସିହାରେ ଆମ ଦେଶ ଯେତେବେଳେ ସ୍ବାଧୀନତାର ଶତାବ୍ଦୀ ପାଳନ କରିବ-ଦେଶକୁ ବିଶ୍ୱ ଦରବାରରେ ଶ୍ରେଷ୍ଠ କରିବାରେ ଓଡ଼ିଶାର କ’ଣ ଓ କେତେ ବଡ଼ ଭୂମିକା ରହିବ ତାକୁ ନେଇ ମୋ ମନରେ ଅନେକ କଳ୍ପନା, ଯୋଜନା ତଥା ସଂକଳ୍ପ ମୋ ମନ ଭିତରେ ଉଙ୍କି ମାରୁଥିଲା।
ଠିକ୍‌ ବର୍ଷେ ତଳେ ଆଜି ଦିନରେ ଭୁବନେଶ୍ୱର ଜନତା ମଇଦାନରେ ଶପଥ ଗ୍ରହଣ ଉତ୍ସବ ପରେ ଲୋକସେବା ଭବନ ଆସି ପ୍ରଥମ କ୍ୟାବିନେଟ୍‌ ବୈଠକ କଲୁ। ୨୪ ମିନିଟ୍‌ରେ ଆମେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲୁ। ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଭକ୍ତଙ୍କ ମଧ୍ୟରେ ପ୍ରାଚୀର ସୃଷ୍ଟି କରିବାର ଓଡ଼ିଆ ଭାବାବେଗ ବିରୋଧୀ ୪ ଦ୍ୱାରରୁ ୩ ଦ୍ୱାର ବନ୍ଦ ନିଷ୍ପତ୍ତିକୁ ବଦଳାଇ ୪ ଦ୍ୱାର ଖୋଲିବାର ନିର୍ଣ୍ଣୟ ନେଲୁ। ମହାପ୍ରଭୁଙ୍କ ପାଇଁ ୫୦୦ କୋଟିର କର୍ପସ ଫଣ୍ଡ କଲୁ। ଆମ ସୁଭଦ୍ରା ସ୍ବରୂପ ମା’ ଭଉଣୀଙ୍କ ପାଇଁ ସୁଭଦ୍ରା ଯୋଜନା ତଥା ଅନ୍ନଦାତା କୃଷକ ଭାଇ-ଭଉଣୀଙ୍କ ପାଇଁ ଧାନ କୁଇଣ୍ଟାଲ ପିଛା ୮୦୦ ଟଙ୍କାର ଇନ୍‌ପୁଟ୍‌ ସବ୍‌ସିଡି ମାଧ୍ୟମରେ ଧାନ କୁଇଣ୍ଟାଲର ଦାମ୍‌ ୩,୧୦୦ ଟଙ୍କାରେ ପହଞ୍ଚାଇବାକୁ ନିର୍ଣ୍ଣୟ କଲୁ। ପୂରା କ୍ୟାବିନେଟ୍‌ ସହ ସେଦିନ ରାତିରେ ପୁରୀରେ ରହିଲୁ। ମହାପ୍ରଭୁଙ୍କ ମଙ୍ଗଳ ଆଳତି ସହ ୪ ଦ୍ୱାର ଖୋଲିଲା।
ଆଜି ଯେତେବେଳେ ସେହି ଦିନଗୁଡ଼ିକର ଏକବର୍ଷ ପୂର୍ତ୍ତି ହେଉଛି ମୋ ନେତୃତ୍ୱରେ ବର୍ଷକରେ କ’ଣ କ’ଣ ଜନହିତକର କାମ ହୋଇଛି ତା’ର ଚର୍ଚ୍ଚା ହେବା ସ୍ବାଭାବିକ। ଆମର ସଂକଳ୍ପ ପତ୍ରରେ ଆମେ ଯେଉଁ ଯେଉଁ ସଂକଳ୍ପକୁ ଜନତା ଦରବାରରେ ଉପସ୍ଥାପନ କରିଥିଲୁ, ସେଥିପାଇଁ ମୋ ସରକାର ଓ ମୁଁ ଉତ୍ତରଦାୟୀ।
ବର୍ଷକରେ ଆମ କାମର ହିସାବ ଦେବା ମୋ ସରକାର ଏବଂ ବ୍ୟକ୍ତିଗତ ଭାବରେ ମୋର ଦାୟିତ୍ୱ। ମାତ୍ର ହିସାବ ଦେବା ଆଗରୁ ଗୋଟିଏ କଥା କହିବି, ଏ ଜାତିର ନମସ୍ୟ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ କହିଥିଲେ, ଉତ୍କଳେ ନେତାର ନାହିଁ ପ୍ରୟୋଜନ-ଉତ୍କଳର ନେତା ସ୍ବୟଂ ନାରାୟଣ। ମୁଁ ଆଦିବାସୀ ଘରେ ଜନ୍ମ। ଦାରିଦ୍ର୍ୟ-ଅନଟନ-ଅଭାବ ଓ ଅସୁବିଧାକୁ ସାମ୍‌ନା କରି ଆଗକୁ ବଢ଼ିଛି। ଯେବେ ପଡ଼ିଛି ଆହୁରି ଦୃଢ଼ ଓ ଆତ୍ମବିଶ୍ୱାସର ସହ ଛିଡ଼ା ହୋଇଛି। ଆମର ମହାପ୍ରଭୁ ଆଦିବାସୀ ଓ ଗରିବର ଦେବତା। ବୋଧହୁଏ ମୋ ଭଳି ଗରିବ ଆଦିବାସୀ ପରିବାରରୁ ଆସିଥିବା ସାଧାରଣ-ସରଳ ମଣିଷଟିଏ ହାତରେ ତାଙ୍କର ସେବାପାଇଁ ସୁଯୋଗ ଦେଇଥିବାରୁ ତାଙ୍କର ସେବକ ଭାବରେ ତାଙ୍କରି ହିଁ କାମ କରୁଛି। ଏହି ଭାବାବେଗ ସହ ଏହି ଆଲେଖ୍ୟ ତାଙ୍କୁ ହିଁ ସମର୍ପଣ କରୁଛି।
ଓଡ଼ିଶାର ପ୍ରିୟ ଭାଇଭଉଣୀମାନେ! ଆଜି ଓଡ଼ିଶାରେ ଭାଜପା ଶାସନ ଆସିବାର ପ୍ରଥମ ବର୍ଷ ପୂର୍ତ୍ତି ସତ। ମାତ୍ର ଏହା ସହ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ଶାସନର ୧୧ ବର୍ଷ ପୂର୍ତ୍ତି ମଧ୍ୟ ହୋଇଛି। ନରେନ୍ଦ୍ର ମୋଦି ତାଙ୍କ ଶାସନରେ ପୂର୍ବ ଭାରତକୁ ପ୍ରାଥମିକତା ଦେଇଛନ୍ତି ଓ ଓଡ଼ିଶା ପୂର୍ବଭାରତ ବିକାଶର ପ୍ରବେଶ ପଥ ହୋଇଛି। ଦିଲ୍ଲୀ ଓ ଭୁବନେଶ୍ୱରରେ ଭାଜପା ଶାସନ ନୁହେଁ, ଆମେ ଏହାକୁ ଡବଲ ଇଞ୍ଜିନ୍‌ ସରକାର ବୋଲି କହୁଛୁ। ଓଡ଼ିଶାକୁ ମୋଦିଜୀ ସାରା ଦେଶରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଅଧିକ ପ୍ରାଧାନ୍ୟ ଦେବା କାରଣରୁ ଓଡ଼ିଶା ଜାତୀୟ ସ୍ତରରେ ବି ନଁା କରିଛି।
ଗତ କିଛିଦିନ ତଳେ ଦିଲ୍ଲୀରେ ନୀତି ଆୟୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ ମୋଦିଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ମୁଁ ଏଥିରେ ଓଡ଼ିଶାର କାର୍ଯ୍ୟକ୍ରମ-କେନ୍ଦ୍ର ସରକାରଙ୍କ ଅପେକ୍ଷା ଆଲୋଚନା ସମୟରେ ଦୁଇଟି ପ୍ରସଙ୍ଗ ଗୁରୁତ୍ୱର ସହ ଉଲ୍ଲେଖ କରିଥିଲି। ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନ ମହିଳା ସଶକ୍ତୀକରଣକୁ ଆଗକୁ ନେଇ ଆମେ ଓଡ଼ିଶାରେ ୧୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ଲକ୍ଷ୍ୟ ହାସଲ କରିବା କଥା କହିଥିଲି। ଦେଶର ୨୦୪୭ର ଲକ୍ଷ୍ୟ ପୂର୍ବରୁ ଆମ ରାଜ୍ୟ ଗଠନର ୨୦୩୬ ମସିହା ସୁଦ୍ଧା ଆମର ବଡ଼ ଲକ୍ଷ୍ୟର କଥା ଉଲ୍ଲେଖ କରିଥିଲି। ମୋଦିଜୀ ତାଙ୍କ ଭାଷଣ ସମୟରେ ମୁଁ ଉଲ୍ଲେଖ କରିଥିବା ଏହି ଦୁଇ ପ୍ରସଙ୍ଗକୁ ଉଲ୍ଲେଖ କରି ଆମ କାମକୁ ସମ୍ମତି ପ୍ରଦାନ କରିଥିଲେ।
ବର୍ଷକ ପୂର୍ବରୁ ନିର୍ବାଚନ ପରେ ଏନ୍‌ଡିଏ ସାଂସଦମାନଙ୍କୁ ଉଦ୍‌ବୋଧନ ଦେଇ ଓଡ଼ିଶା ଦେଶର ଗ୍ରୋଥ୍‌ ଇଞ୍ଜିନ୍‌ ହେବ ବୋଲି କହିଥିଲେ ମୋଦିଜୀ। ଏହା ଭିତରେ ମୋଦିଜୀ ଓଡ଼ିଶାକୁ ବର୍ଷକରେ ୫ ଥର ଆସିବା ପରେ ପୁଣି ଆସନ୍ତା ୨୦ ତାରିଖରେ ରାଜ୍ୟ ସରକାରର ବର୍ଷପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସଦୟ ସମ୍ମତି ପ୍ରଦାନ କରିଛନ୍ତି। ଓଡ଼ିଆ ଜନତାଙ୍କ ସ୍ନେହ, ଶ୍ରଦ୍ଧା, ଶୁଭେଚ୍ଛା ଓ ଦେଶର ପ୍ରଧାନମନ୍ତ୍ରୀ ମୋଦିଜୀଙ୍କର ଓଡ଼ିଶା ପ୍ରତି ଅଧିକ ସମ୍ବେଦନଶୀଳତା ଆମକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବ ବୋଲି ମୁଁ ମୋର ପ୍ରିୟ ରାଜ୍ୟବାସୀଙ୍କୁ ଭରସା ଦେଉଛି।
ମୋଦିଜୀଙ୍କ ଭାଷାରେ ଆମର ମୋଟ ୪ ଜାତି। ଜାତି-୧ ଗରିବ। ଜାତି-୨ କୃଷକ। ଜାତି- ୩ ଯୁବପିଢ଼ି। ଜାତି-୪ ମହିଳା। ୨୦୧୪ରୁ ଦେଶରେ ଗାନ୍ଧୀ-ଦୀନ୍‌ଦୟାଲଙ୍କ ଗରିବ କଲ୍ୟାଣ ଓ ଅନ୍ତ୍ୟୋଦୟର ଶାସନ ଚାଲୁଛି। ଏବେ ସଦ୍ୟତମ ବିଶ୍ୱବ୍ୟାଙ୍କ ରିପୋର୍ଟ କହୁଛି ମୋଦିଜୀଙ୍କ ନେତୃତ୍ୱରେ ଆମ ଦେଶରେ ଗରିବୀ ହଟାଅ ସ୍ଲୋଗାନ ନୁହେଁ, ଗରିବ କଲ୍ୟାଣ ଦେଶବାସୀଙ୍କ ପାଇଁ ଜନ ଆଶୀର୍ବାଦ ହୋଇଛି। ସବ୍‌କା ସାଥ୍‌ ସବ୍‌କା ବିକାଶ, ସବ୍‌କା ପ୍ରୟାସ, ସବ୍‌କା ବିଶ୍ୱାସ ଓଡ଼ିଶାରେ ବି ଆମ ଶାସନର ମୂଳ ମନ୍ତ୍ର ହୋଇଛି।
ସୁଭଦ୍ରାରେ ୧ କୋଟିରୁ ଅଧିକ ମହିଳା, ୧୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଗରିବ ପରିବାରର ଝିଅମାନଙ୍କର ବିବାହକୁ ଜାକଜମକରେ କରିବାର ବ୍ୟବସ୍ଥା। ସ୍ବୟଂସହାୟକ ଗୋଷ୍ଠୀର ବିକାଶ ମାଧ୍ୟମରେ ରାଜ୍ୟର ଅର୍ଥନୀତିକୁ ବଡ଼ କରିବାର ବଡ଼ ଯୋଜନା କ୍ରିୟାନ୍ବିତ ହେଉଛି।
୮୦୦ ଟଙ୍କାର ଧାନ ଉପରେ ଇନ୍‌ପୁଟ୍‌ ସବ୍‌ସିଡି ଦେଇ ଧାନର କୁଇଣ୍ଟାଲ ପିଛା ମୂଲ୍ୟ ୩,୧୦୦ ଟଙ୍କା କରିବା ଆମର ବଡ଼ ନିଷ୍ପତ୍ତି। କୃଷି-ମତ୍ସ୍ୟ ପଶୁପାଳନ-ସମବାୟ ଓ ଜଳସେଚନ ଏହି ସବୁ ବିଭାଗର ଯୋଜନାକୁ ଏକୀକୃତ କରି ଚାଷୀମାନଙ୍କର ବଡ଼ ବିକାଶର କାମରେ ଲାଗିଛି ଆମ ସରକାର।
ଶିଳ୍ପ ପ୍ରସ୍ତାବ ଆସୁଥିଲା। ଉପଯୁକ୍ତ ଉଦ୍ୟମ ଅଭାବରୁ ଫେରି ଯାଉଥିଲା। ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ମୋଦି ଯୋଗଦେଲେ ଓ ଶିଳ୍ପପତିମାନଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଅନୁରୋଧ କରି ସେମାନଙ୍କୁ ମୋଦି ଗ୍ୟାରେଣ୍ଟିର ପ୍ରତିଶ୍ରୁତି ଦେଲେ। ଏବେ ଆମ ରାଜ୍ୟକୁ ପାଖାପାଖି ୧୭ ଲକ୍ଷ କୋଟି ପୁଞ୍ଜିନିବେଶର ପ୍ରସ୍ତାବ ଆସିଛି। ସେଥିମଧ୍ୟରୁ ଅନେକଙ୍କର କାମ ଆରମ୍ଭ ହୋଇ ସାରିଲାଣି। ଆମର ନିଷ୍ଠାପର ଉଦ୍ୟମ ଯେତେ ପ୍ରସ୍ତାବ ଆସୁଛି ତାକୁ ସବୁ ଏବଂ କମ୍‌ ସମୟରେ କିପରି କ୍ରିୟାନ୍ବିତ ହୋଇପାରିବ ତା’ର ପ୍ରବନ୍ଧନ କରିବା ଓ ଆମ ଯୁବପିଢ଼ି ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବା।
୫ ବର୍ଷରେ ଦେଢ଼ ଲକ୍ଷ ସରକାରୀ କର୍ମଚାରୀ ପଦବୀ ପୂରଣ ପାଇଁ ଆମେ ସଂକଳ୍ପ ପତ୍ରରେ କହିଥିଲୁ। ତୃଣମୂଳ ସ୍ତରରେ ଯୋଜନା କ୍ରିୟାନ୍ବୟନ ହେବାରେ ବଡ଼ ପ୍ରତିବନ୍ଧକ କର୍ମଚାରୀ ଅଭାବ। ଗତ ବର୍ଷକରେ ସ୍ବଚ୍ଛ ନିର୍ମଳ ପ୍ରକ୍ରିୟାରେ ୨୭ ହଜାର କର୍ମଚାରୀ ପଦବୀ ପୂରଣ କରିଛୁ। ଆଗାମୀ ବର୍ଷ ଆଉ ୪୦ ହଜାର ପଦବୀ ପୂରଣ କରିବାର ଲକ୍ଷ୍ୟ ରଖିଛୁ।
୨୪ ବର୍ଷ ସରକାରରେ ପଛୁଆବର୍ଗଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ନିଷ୍ପତ୍ତି ହୋଇପାରୁ ନ ଥିଲା। ଏବେ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ହୋଇଛି। ଇତିମଧ୍ୟରେ ଇଞ୍ଜିିନିୟରିଂ ଓ ମେଡିକାଲ ଶିକ୍ଷା କ୍ଷେତ୍ରରେ ସମାନ ସଂରକ୍ଷଣ ପାଇଁ ମୋ ପାଖକୁ ଅନେକ ଦାବି ଆସୁଛି। ଆମେ ତର୍ଜମା କରି ନିଶ୍ଚିତ ନିର୍ଣ୍ଣୟ କରିବୁ।
ଏବେ ଆୟୁଷ୍ମାନ୍‌ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ ହେବା କାରଣରୁ ମାଗଣା ସ୍ବାସ୍ଥ୍ୟସେବା ଲୋକଙ୍କ ପାଖରେ ପହଞ୍ଚିଛି। ଏଥିପାଇଁ ଆମର ପ୍ରବାସୀ ଶ୍ରମିକମାନେ ବିଶେଷ ଲାଭବାନ୍‌ ହୋଇଛନ୍ତି। ଏବେ କେନ୍ଦ୍ରାପଡ଼ା ଗସ୍ତ ସମୟରେ ବିରୋଧୀ ଦଳର ଜଣେ ବିଧାୟକ ଓ ନେତୃବୃନ୍ଦ କେନ୍ଦ୍ରାପଡ଼ାର ପ୍ରବାସୀମାନଙ୍କର ଆୟୁଷ୍ମାନ୍‌ ଯୋଜନା ପାଇଁ ଖୁସି ପ୍ରସଙ୍ଗ ଉଲ୍ଲେଖ କରୁଥିଲେ। ମୋଦିଙ୍କୁ ଶ୍ରେୟ ଚାଲିଯିବ ବୋଲି ଗରିବ ଓଡ଼ିଆଙ୍କୁ କଷ୍ଟ ଦେଇ ରାଜନୈତିକ ସ୍ବାର୍ଥ ହାସଲ କରିବାକୁ ମୁଁ ଗ୍ରହଣ କରିପାରୁନାହିଁ। ସ୍ବାସ୍ଥ୍ୟ ସହ ଶିକ୍ଷା ଓ ଏଥିପାଇଁ ନୂତନ ଶିକ୍ଷାନୀତି-୨୦୨୦ର କ୍ରିୟାନ୍ବୟନ ପୂରା ନିଷ୍ଠାର ସହ ଚାଲିଛି।
୮୦ ବର୍ଷରୁ ଊର୍ଦ୍ଧ୍ୱ ଓ ୮୦ ପ୍ରତିଶତରୁ ଊର୍ଦ୍ଧ୍ୱ ଦିବ୍ୟାଙ୍ଗଙ୍କ ଭତ୍ତା ରାଶି ୩,୫୦୦କୁ ବୃଦ୍ଧି କରାଯାଇଛି। ଆୟୁଷ୍ମାନ୍‌ ଯୋଜନାରେ ୮୦ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ବୟୋବନ୍ଦନା ଯୋଜନାରେ ମାଗଣା ସ୍ବାସ୍ଥ୍ୟସେବା ଦେବାର ବ୍ୟବସ୍ଥା ହୋଇଛି।
ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ଉପାନ୍ତ ଓ ଦୁର୍ଗମର ବାସିନ୍ଦା, ଯେଉଁମାନେ ମୋଟାମୋଟି ରାଜ୍ୟର ଗରିବମାନଙ୍କର ପ୍ରମୁଖ ଭାଗ ସେମାନେ ଆମର ପ୍ରାଥମିକତାରେ ଅଛନ୍ତି ଏବଂ ଏକବର୍ଷର ସରକାରରେ ସେମାନଙ୍କର ସେବାପାଇଁ ଆମେ ଉଦ୍ୟମରେ କେବେ ଅବହେଳା କରିନୁ।
ମୋତେ ଜଣା ଆମ ରାଜ୍ୟରେ ପିଇବା ପାଣି ଏକ ସମସ୍ୟା ଭାବରେ ମୁଣ୍ଡ ଟେକିଛି। ଦକ୍ଷିଣ ଭାରତରୁ ଠିକାଦାର ଆଣି ପ୍ୟାକେଜ୍‌ ମାଧ୍ୟମରେ କାମ ପୂର୍ବ ସରକାରରେ ଦେଇଥିଲେ। ପାଇପ୍‌ ପାଣି ଯୋଗାଣ ଆମ ରାଜ୍ୟରେ ବିଡ଼ମ୍ବନା ହୋଇଛି। ଆମେ ଆମର ମା’ମାନଙ୍କର ଏହି ପ୍ରମୁଖ ଆବଶ୍ୟକତାକୁ ଯୁଦ୍ଧକାଳୀନଭିତ୍ତିରେ କ୍ରିୟାନ୍ବୟନ କରୁଛୁ। ୨୦୨୬ ସୁଦ୍ଧା ରାଜ୍ୟର ୯୦ ପ୍ରତିଶତ ଘରେ ଶୁଦ୍ଧ ପିଇବା ପାଣି ପାଇପ ଯୋଗେ ପହଞ୍ଚାଇବାର ବ୍ୟବସ୍ଥା କରୁଛୁ। ଉପାନ୍ତ ଅଞ୍ଚଳରେ ଗମନାଗମନ ପାଇଁ ସଡ଼କ ବ୍ୟବସ୍ଥାକୁ ଆମେ ଗୁରୁତ୍ୱ ଦେଇ କାମ କରୁଛୁ।
ମୋ ଦୁଆର ସମସ୍ତଙ୍କ ପାଇଁ ଖୋଲା। ଛୋଟିଆ କଥା, ଜଣେ ଭିକ୍ଷାବୃତ୍ତି କରୁଥିବା ଲୋକ ମୋ ବାସଭବନ ପାଖକୁ ଆସେ ଓ ମୋ ସୁରକ୍ଷାକର୍ମୀ ମୋତେ ଦେଖା କରିବାର ସୁଯୋଗ ଦେଇପାରିଲେନି। ବାରମ୍ବାର ଆସୁଥିବା ଏହି ବ୍ୟକ୍ତି ସମ୍ବନ୍ଧରେ ଜାଣିବା ପରେ ତାଙ୍କୁ ଡାକିଲି। ପୁରୀ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇ ତାଙ୍କ ଆପତ୍ତି ଅଭିଯୋଗ ତର୍ଜମା କରି ସମାଧାନ କରିବାକୁ କହିଲି। ଅଭିଯୋଗ ଶୁଣାଣି-ଲୋକଙ୍କ ସହ ମିଶିବା କାରଣରୁ ଆପଣ ମୋତେ ଲୋକଙ୍କ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁ ଲୋକଙ୍କ ସରକାର କହୁଥିବାରୁ ହୃଦୟରୁ ଧନ୍ୟବାଦ ଦେଉଛି।
ମୁଁ ମୁଖ୍ୟମନ୍ତ୍ରୀ ଆସନରେ ବସି ଥାଇପାରେ। ମାତ୍ର ମୁଁ ଆପଣଙ୍କ ମଧ୍ୟରୁ ଆସିଥିବା ଜଣେ ସାଧାରଣ ଓଡ଼ିଆ। ଦୃଢ଼ ନିଷ୍ଠା-କଠିନ ପରିଶ୍ରମ ଓ ଓଡ଼ିିଶାର ସର୍ବାଙ୍ଗୀନ ବିକାଶ ପାଇଁ ମୋର ପ୍ରତିବଦ୍ଧତାକୁ ପୁଣିଥରେ ଦୋହରାଇ ରହୁଛି।

ଜୟ ଜଗନ୍ନାଥ

ମୋହନ ଚରଣ ମାଝୀ (ମୁଖ୍ୟମନ୍ତ୍ରୀ, ଓଡ଼ିଶା ସରକାର)


Enter your email to get our daily news in your inbox.

All Right Reserved By Dharitri.Com

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ସର୍ବନିମ୍ନ ମୌଳିକ ଦରମା…

ନୂଆଦିଲ୍ଲୀ,୧୫।୪: ଅଷ୍ଟମ ବେତନ କମିଶନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ବେତନ କମିଶନର ସରକାରୀ ୱେବସାଇଟ ମଧ୍ୟ ବିଭିନ୍ନ ସହରର ଅଂଶୀଦାରମାନଙ୍କ ସହିତ ଆଲୋଚନା ପାଇଁ ଏକ…

ଗଜପତି ପାଇଁ ଗୌରବ ଆଣିଲେ ଯାଜ୍ଞସେନୀ: ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ମୁଖ୍ୟମନ୍ତ୍ରୀଙ୍କଠୁ ପାଇଲେ ପୁରସ୍କାର

ମୋହନା,୧୫।୪( ମନ୍ମଥ ମିଶ୍ର ): ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାର ପକ୍ଷରୁ ଓଡ଼ିଆ ସାହିତ୍ୟ ପକ୍ଷ ୨୦୨୬ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ…

ଆଇନଜୀବୀଙ୍କ ମସ୍ତିଷ୍କରେ ବିରଳ ଅସ୍ତ୍ରୋପଚାର ସଫଳ: ମୁଣ୍ଡରୁ ବାହାରିଲା ୩ ଶହ ଗ୍ରାମର ଓଜନର…ଡାକ୍ତର ଆଶ୍ଚର୍ଯ୍ୟ

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ର ଜଣାଶୁଣା ଆଇନଜୀବୀ ତଥା ଖେମୁଣ୍ଡି ଓକିଲ ସଂଘର ପୂର୍ବତନ ସଭାପତି ହରପ୍ରସାଦ ରଥଙ୍କ ମସ୍ତିଷ୍କରେ ଟ୍ୟୁମର ହୋଇଥିବାରୁ…

କିଏ ହେବ ଆଶା ଭୋସଲେଙ୍କ ସମ୍ପତ୍ତିର ଉତ୍ତରଧିକାରୀ? ୟାଙ୍କୁ ମିଳିବ କୋଟି କୋଟି ଟଙ୍କାର ସମ୍ପତ୍ତି…

ମୁମ୍ୱାଇ: ବଲିଉଡର ପ୍ରସିଦ୍ଧ ଗାୟିକା ଆଶା ଭୋସଲେ ଆଉ ଆମ ମଧ୍ୟରେ ନାହାନ୍ତି। ଆଠ ଦଶନ୍ଧି ଧରି ହିନ୍ଦୀ ସିନେମାକୁ ତାଙ୍କର ସୁମଧୁର କଣ୍ଠସୱରରେ ସୁନ୍ଦର କରିଥିବା…

ଯୁଦ୍ଧରେ ଇରାନ ବିପର୍ଯ୍ୟସ୍ତ: ଏହି ୫ ଉପସାଗରୀୟ ଦେଶଠାରୁ ଦାବି କଲା କ୍ଷତିପୂରଣ

ତେହରାନ୍‌,୧୫।୪: ପାଞ୍ଚଟି ଉପସାଗରୀୟ ଦେଶ ବିରୁଦ୍ଧରେ  ଇରାନ ଗମ୍ଭୀର ଅଭିଯୋଗ ଆଣିଛି। ଇରାନ ଦାବି କରିଛି ଯେ ଆମେରିକା ଏବଂ ଇସ୍ରାଏଲ ଦ୍ୱାରା ଫେବୃଆରୀ ୨୮ରେ ହୋଇଥିବା…

ଏକର ପ୍ରତି ଏତେ କୋଟି ଟଙ୍କା ଦାବି କଲେ ଗ୍ରାମବାସୀ, ଶୁଣିକି ଆଶ୍ଚର୍ଯ୍ୟ ହୋଇଗଲେ…

ପାଟଣା,୧୫।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗାଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ସକାଳ ୯ଟାରେ ଚେମଣା ପଞ୍ଚାୟତ ବଳିଆ ପଶି…

ରାଘବ ଚଢାଙ୍କୁ ପୁଣି ଆଉ ଏକ ଝଟ୍‌କା, ପଞ୍ଜାବ ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୫।୪: ଆମ ଆଦମୀ ପାର୍ଟି ନେତା ଏବଂ ରାଜ୍ୟ ସଭାର ଉପନେତା ଅଶୋକ ମିତ୍ତଲଙ୍କ ଘର ଏବଂ କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଚଢାଉ ମଧ୍ୟରେ, ପଞ୍ଜାବ…

ଡିଜେ ବଜେଇ ପ୍ରସେଶନ କରିବାରୁ ୨ ସାହି ମଧ୍ୟରେ ମାରପିଟ: ୧୫ ରୁ ଊର୍ଦ୍ଧ୍ୱ ଆହତ

ଆନନ୍ଦପୁର,୧୫।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅନ୍ତର୍ଗତ କେଶଦୁରାପାଳ ଗାଁରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। ମଙ୍ଗଳବାର ରାତିରେ କଣ୍ଟାଫୋଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri