ଶ୍ରମିକ ନାହାନ୍ତି, କାମ କରୁଛି ମେଶିନ

ନୂଆଗାଁ,୮।୧୨(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ସରକାରୀ ଅର୍ଥ ଲୁଟିବାର ଉତ୍ତମ ମାଧ୍ୟମ ପାଲଟିଛି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)। ଏହି ଯୋଜନାରେ ସବୁ ନିୟମକାନୁନକୁ ଉଲ୍ଲଂଘନ କରି ସରକାରୀ ଅର୍ଥ ଲୁଟ ହେଉଛି। ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀମାନେ ଅବଗତ ଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି।

ଶ୍ରମିକମାନଙ୍କୁ ଆଉ ଦାଦନ ଖଟିବାକୁ ବାହାରକୁ ଯିବାକୁ ପଡିବ ନାହିଁ। ସେମାନେ ନିଜ ଗାଁରେ ରହି ଏହି ଯୋଜନରେ ଶହେ ଦିନର କାମ ପାଇ ପାରିବେ ବୋଲି ସରକାର ଯୋଜନା କରିଛନ୍ତି। ହେଲେ ନୂଆଗାଁ ବ୍ଲକରେ ପ୍ରତିଟି ଏମ୍‌ଜିଏନ୍‌ଆରଇଜିଏସ୍‌ କାମ ମେଶିନ ଦ୍ୱାରା କରାଯାଉଛି। ଶ୍ରମିକମାନଙ୍କ ଜବ୍‌କାର୍ଡ ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସୁଛି। ପରବର୍ତ୍ତୀ ସମୟରେ ମଧ୍ୟସ୍ଥିମାନେ ଶ୍ରମିକମାନଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ଆକାଉଣ୍ଟଧାରୀକୁ ସାନ୍ବନ୍ତାମୂଳକ ଭାବେ ଶହେ କିମ୍ବା ୨ ଶହ ଟଙ୍କା ଦେଉଛନ୍ତି। ଏ ବାବଦରେ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଅଭିଯୋଗ କଲେ ଶ୍ରମିକ ମିଳୁ ନ ଥିବାରୁ ମେଶିନରେ କାମ ହେଉଛି। ଏ ସଂକ୍ରାନ୍ତରେ ଆମେ ସମସ୍ତେ ଅବଗତ ଅଛୁ ବୋଲି କହୁଛନ୍ତି। ସେହିପରି ଏମ୍‌ଜିଏନ୍‌ଆର୍‌ଇଜିଏସରେ ୫ ଜଣ ଶ୍ରମିକଙ୍କୁ କାମ କରାଇ ପ୍ରତିଦିନ ୫୦ ଶ୍ରମିକଙ୍କ ନାମରେ ଟଙ୍କା ଲୁଟ ହେଉଛି, ଯାହାକି ଡିମିରିପଲି ସରକାରୀ ଉଚ୍ଚ ବିଦ୍ୟାଳୟ ଚାରା ରୋପଣ କାମରେ ହୋଇଥିବା ଅଭିଯୋଗ ହେଉଛି। ୫-ଟି ଯୋଜନାରେ ସ୍କୁଲ ରୂପାନ୍ତରିକରଣରେ ଚାରା ରୋପଣ କରିବା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ସେହି ଅର୍ଥ ଶ୍ରମିକମାନଙ୍କ ନାଁରେ ଉଠୁଥିଲେ ମଧ୍ୟ ତାହା ହରିଲୁଟ୍‌ ହେଉଥିବା ଅଭିଯୋଗ ହେଉଛି। ବାହାଡ଼ାଝୋଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଚାରା ରୋପଣ ପାଇଁ ୬ ଲକ୍ଷ ଅନୁଦାନ ମିଳିଥିଲା। ଯନ୍ତ୍ରୀ ଚାରା ରୋପଣ ପାଇଁ ଅନୁପଯୋଗୀ ମାଟି (ଗୋଡି ମାଟି) ପକାଇବା ସହ ଅଳ୍ପ କେତୋଟି ଗଛ ଲଗାଇ ୧ ଲକ୍ଷାଧିକ ଟଙ୍କା ନେଇଛନ୍ତି ବୋଲି ସୂଚନା ମିଳିଛି। ସେହିପରି ଅଳ୍ପ କିଛି ଗଛ ଲଗାଇ ଚିନ୍ତାମଣୀ ବିଦ୍ୟାପୀଠରୁ ୭୩୨୬୦ ଟଙ୍କା, ଜଗନ୍ନାଥପ୍ରସାଦ ହାଇସ୍କୁଲରୁ ୩୧୩୨୫୭ ଟଙ୍କା, ନୂଆଗାଁ ହାଇସ୍କୁଲରୁ ୧୦୧୨୩୨ ଟଙ୍କା, ଡିମିରିଝରି ଆଞ୍ଚଳିକ ହାଇସ୍କୁଲରୁ ୧୨୩୮୭୬ ଟଙ୍କା ଉଠାଇ ନିଆଯାଇଛି। କେଉଁ ଯୋଜନାରେ କେତେ ଟଙ୍କା ବ୍ୟୟରେ କାର୍ଯ୍ୟ ହେଉଛି ତାହା ସାର୍ବଜନୀନ କରିବା ପାଇଁ ସୂଚନା ଫଳକ ଲଗାଇବା ନିୟମ ରହିଥିବା ବେଳେ ତାହା କରାଯାଉ ନାହିଁ। ଫଳରେ ସମସ୍ତ ଏମ୍‌ଜିଏନ୍‌ଆର୍‌ଇଜିଏସ କାର୍ଯ୍ୟରେ ଅନିୟମିତତା କରିବା ପାଇଁ ସୁଯୋଗ ମିଳୁଥିବା ମତ ପ୍ରକାଶ ପାଇଛି। ଏ ବାବଦରେ ନୟାଗଡ଼ ଜିଲା ପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ତଥା ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ରାୟଙ୍କୁ ପଚାରିବାରେ ଅଭିଯୋଗ ହେଲେ ତଦନ୍ତ କରାଯିବ ବୋଲି କହିଛନ୍ତି।