ଦେବଗଡ଼,୩୧ା୭(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ସରକାରୀ ଆଇଟିଆଇରେ ପଢୁଥିବା ଶିଶୁ ଗୃହ ସପୋର୍ଟର ଜଣେ ନାବାଳିକା ଆଇଟିଆଇର ପ୍ରିନ୍ସିପାଲ ରତିକାନ୍ତ ପରିଡ଼ାଙ୍କ ବିରୋଧରେ ଗତ ୧୭ ଏପ୍ରିଲରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ।
ସୂଚନା ଥାଉ କି , ଛୁଟିରେ ଶିଶୁଗୃହକୁ ଫେରିଥିବା ଜଣେ ନାବାଳିକାଙ୍କ ପାଖରେ ଦାମୀ ଉପହାର, ଟଙ୍କା ଓ ମୋବାଇଲ ଥିବାର ଦେଖିବାକୁ ମିଳିଥିଲା। ଏପରିକି ଅନ୍ଲାଇନରେ ତାଙ୍କ ପାଖକୁ ଉପହାର ମଧ୍ୟ ଆସିଥିଲା। ଏହି ଅସ୍ବାଭାବିକ ଘଟଣା ସମ୍ପର୍କରେ ଶିଶୁଗୃହର ଶିଶୁ ମଙ୍ଗଳ ଅଧିକାରିଣୀ ସତ୍ୟପ୍ରିୟା ପ୍ରଧାନ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଦୃଷ୍ଟିକୁ ଆଣିଥିଲେ। ଶିଶୁଗୃହର କାଉନ୍ସିଲର ସୁଭଦ୍ରା ସାହୁ ପିଲାକୁ ବାରମ୍ବାର ପଚାରିବାରୁ ଯୌନ ନିର୍ଯାତନାର ଶିକାର ହୋଇଥିବା ନାବାଳିକା ଅଭିଯୋଗ କରିଥିଲେ କି ସରକାରୀ ଆଇଟିଆଇର ପ୍ରିନ୍ସିପାଲ ରତିକାନ୍ତ ପରିଡ଼ା ଗତ ଏକ ମାସ ଧରି ତାଙ୍କ ଅନିଚ୍ଛା ସତ୍ତ୍ୱେ ବାରମ୍ବାର ଯୌନ ନିର୍ଯାତନା ଦେଇ ଆସୁଛନ୍ତି। ଅନ୍ୟାନ୍ୟ ଛାତ୍ରୀଛାତ୍ର ଶ୍ରେଣୀରେ ପାଠ ପଢୁଥିବା ସମୟରେ ହଷ୍ଟେଲ ଓ୍ବାର୍ଡେନ ନାବାଳିକାଙ୍କୁ ପ୍ରିନ୍ସିପାଲ ସାରଙ୍କ ରୁମ୍କୁ ଖାଇବା ନେଇକି ପରଶିବା ପାଇଁ ବାଧ୍ୟ କରନ୍ତି। ଜିଲା ଶିଶୁ ସୁରକ୍ଷା ଅଧିକାରୀ ମହାପାତ୍ର, ସପୋର୍ଟ ଶିଶୁ ଗୃହର ପରିଚାଳକ ଚନ୍ଦ୍ର ଶେଖର ସାହୁ ଓ କାଉନ୍ସିଲର ସୁଭଦ୍ରା ସାହୁ , ନାବାଳିକା ସହ ବାରକୋଟ ଥାନାକୁ ଯାଇ ସରକାରୀ ଆଇଟିଆଇର ଅଧ୍ୟକ୍ଷ ଗତ ଏକ ମାସ ହେଲା ଜୋର ଜବରଦସ୍ତି ଶାରୀରିକ ସମ୍ପର୍କ ରଖି ନିର୍ଯାତନା ଦେଇ ଆସୁଛନ୍ତି ବୋଲି ନାବାଳିକା ବାରକୋଟ ଥାନାରେ ଏପ୍ରିଲ ୧୭ ତାରିଖରେ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ବାରକୋଟ ପୋଲିସ ପକ୍ଷରୁ ବିଏନ୍ଏସ ୬୪(୨)(ଏଫ), ୬୪(୨)(ଏମ) ଓ ପୋକ୍ସୋ-୬ରେ ୧୬୧/୨୬ରେ ଏକ ମାମଲା ରୁଜୁ ହୋଇଥିଲା। ହେଲେ ଏତଲା ଦେବାର ୧୦୦ ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ବିଫଳ ହୋଇଛି। ପୋଲିସ ଦକ୍ଷତା ଉପରେ ପ୍ରଶ୍ନ ଉଠୁଛି , କାହା ଚାପରେ ପୋଲିସ, ମୋଟା ଅଙ୍କର ଅର୍ଥ କାରବାର ହେଉଥିବା ଅଭିଯୋଗ ହେଉଛି ,ଏପରିକି ସିଡବ୍ଲୁସି ଅଧ୍ୟକ୍ଷା ସୁଷମା ମଞ୍ଜରୀ ମହାପାତ୍ର ଜୁନ ୮ ତାରିଖରେ ନାବାଳିକାଙ୍କ ବୃଦ୍ଧା ଜେଜେମାଙ୍କୁ ସିଡବ୍ଲ୍ୟୁସି କାର୍ଯ୍ୟାଳୟକୁ ଡକାଇ ଶିଶୁ ଗୃହରେ ସୁରକ୍ଷିତ ଭାବେ ରହୁଥିବା ପୀଡ଼ିତାଙ୍କୁ ହସ୍ତାନ୍ତର କରିଦେଇଥିଲେ। ଅଭିଯୁକ୍ତ ଏ ପର୍ଯ୍ୟନ୍ତ ଗିରଫ ହୋଇ ନ ଥିବା ବେଳେ ପୀଡ଼ିତାଙ୍କୁ ଶିଶୁ ଗୃହରୁ ବାହାର କରି ବୃଦ୍ଧା ଜେଜେମାଙ୍କୁ ହସ୍ତାନ୍ତର କରି, ତାକୁ ବିପଦ ମୁହଁକୁ ଠେଲି ଦେବାର ନିଷ୍ପତ୍ତି, ଶିଶୁ ମଙ୍ଗଳ କମିଟିର ଭୂମିକାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ସୁଷମା ମହାପାତ୍ରଙ୍କୁ ଫୋନ୍ ଯୋଗେ ଏ ବିଷୟରେ ପଚାରିବାରୁ ମୁଁ କିଛି କହି ପାରିବି ନାହିଁ, ଯାହା ପଚାରିବାର ଅଛି ଶିଶୁ ସୁରକ୍ଷା ବିଭାଗକୁ ପଚାର ବୋଲି ଉତ୍ତର ଦେଇଥିଲେ।
ଅନ୍ୟପକ୍ଷରେ ଦେଖିବାକୁ ମିଳିଛି କି ସିଡବ୍ଲ୍ୟୁସିଠାରୁ ଗ୍ରହଣ କରିବା ପରେ ଜେଜେମା ପୀଡ଼ିତାଙ୍କୁ ତାଙ୍କ ସାବତ ମା’ ଓ ବାପାଙ୍କୁ ହସ୍ତାନ୍ତର କରିଛନ୍ତି। ତେବେ ଥାନାରେ ଥିବା ମାମଲାକୁ ସାବତ ମା’ ଏବଂ ବାପାଙ୍କୁ ମୋଟା ଅଙ୍କ ଯଚା ଯାଉଥିବା ଅଭିଯୋଗ ହୋଇଛି। ଏ ସବୁ ନିର୍ଯାତନା ଓ ଘରୋଇ ଚାପରୁ ମୁକ୍ତି ପାଇଁ ପୀଡ଼ିତା ନିଜ ଘରୁ ବାହାରି ଆସି ଏବେ ଏକ ମହିଳା ଆଶ୍ରୟ ଗୃହରେ ଆଶ୍ରୟ ନେଇଛନ୍ତି। ଏ ସମ୍ପର୍କରେ ଗୃହ ପରିଚାଳିକାଙ୍କୁ ପଚାରିବାରୁ ମୋ’ ଜୀବନ ପ୍ରତି ବିପଦ ଅଛି ମୋତେ ଫୋନ୍ ଆସୁଛି ଓ ନାବାଳିକାଙ୍କୁ ଛାଡ଼ି ଦିଅ ନ ହେଲେ ଜୀବନରେ ମାରିଦେବୁ ବୋଲି କହୁଛନ୍ତି, ତେଣୁ ମୁଁ ଜିଲାପାଳ ଆରକ୍ଷୀ ଅଧୀକ୍ଷକ ଓ ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଲା ପରେ ଆଶ୍ରୟ ଗୃହରେ ରାତିରେ ଏକ ମହିଳା ପୋଲିସଙ୍କୁ ଡିୟୁଟି ଦେଇଛନ୍ତି ବୋଲି କହିଛନ୍ତି। ଯଦି ପୀଡ଼ିତା ଶିଶୁ ଗୃହରେ ସୁରକ୍ଷା ବଳୟରେ ରହୁଥାନ୍ତେ ତେବେ ହୁଏତ ତାଙ୍କ ଜୀବନ ଏମିତି ବିପଦରେ ନ ଥାନ୍ତା। ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ପୀଡ଼ିତାଙ୍କ ସ୍ଥିତିକୁ ସମୀକ୍ଷା କରି ଗତ ଜୁଲାଇ ୧୭ ତାରିଖ ପତ୍ର ମାଧ୍ୟମରେ ସିଡବ୍ଲ୍ୟୁସି ଅଧ୍ୟକ୍ଷାଙ୍କୁ ଅବଗତ କରି ପୀଡ଼ିତା ସୁରକ୍ଷା ପାଇଁ ନିଜ ପୂର୍ବ ନିଷ୍ପତ୍ତିକୁ ପୁନର୍ବିଚାର କରି ପୀଡ଼ିତା ପୁଣିଥରେ ଶିଶୁ ଗୃହକୁ ଫେରେଇ ଆଣିବା ପାଇଁ ଅନୁରୋଧ କରିଛନ୍ତି ବୋଲି କହିଛନ୍ତି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଧିରଜ ଚୋପଦାର। ଯୋଗାଯୋଗ କରିବାରୁ ୧୦୦ ଦିନ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିପାରି ନ ଥିବା ଘଟଣାକୁ ସ୍ବୀକାର କରିଛନ୍ତି। ଏକ ଟିମ୍ ତଦନ୍ତ କରୁଛି ଯଥା ଶୀଘ୍ର ଗିରଫ କରାଯିବ ବୋଲି କହିଥିଲେ, ବାରକୋଟ ଥାନା ଅଧିକାରୀ ସୁଶାନ୍ତ ବଢ଼େଇ ଫୋନ ରିସିଭ୍ କରୁନାହାନ୍ତି।