କନ୍ଧମାଳରେ ସରକାରୀ ଛୁଟି ବାତିଲ, ରବିବାର ଖୋଲା ରହିବ କାର୍ଯ୍ୟାଳୟ

ଫୁଲବାଣୀ,୩୧ା୧୦(ରାକେଶ କୁମାର ରାଉତ): ବାତ୍ୟା ଜନିତ କ୍ଷୟକ୍ଷତି ଓ ଉଦ୍ଧାର କାର୍ଯ୍ୟ ତଥା ଆଗକୁ ଆସୁଥିବା ଅନ୍ୟ ଏକ ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ କନ୍ଧମାଳ ଜିଲାପାଳ ୧ ତାରିଖ ରବିବାର ଦିନ ସମସ୍ତ ସରକାରୀ କାର୍ଯ୍ୟାଳୟର କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି।

ଏନେଇ ଜିଲାପାଳ ଶନିବାର ସାରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ରବିବାର ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଉଦ୍ଧାର ଓ ପୁନର୍ଗଠନ କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ପ୍ରତି ବ୍ଲକ ଓ ସହରାଞ୍ଚଳ ପାଇଁ ସ୍ବତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।

ଫୁଲବାଣୀ ବ୍ଲକ ପାଇଁ ଫୁଲବାଣୀ ଉପଜିଲାପାଳଙ୍କୁ ଦାୟିତ୍ୱ ଦିଆ ଯାଇଥିବା ବେଳେ ବାଲିଗୁଡା ବ୍ଲକ ଓ ଏନ୍‌ଏସି ପାଇଁ ବାଲିଗୁଡା ଉପଜିଲାପାଳ, ଖଜୁରୀପଡା ବ୍ଲକ ପାଇଁ ଫୁଲବାଣୀ ପିଏ, ଆଇଟିଡିଏ, ଦାରିଙ୍ଗବାଡି ପାଇଁ ବାଲିଗୁଡା ପିଏ, ଆଇଟିଡିଏ, କେ ନୂଆଗାଁ ପାଇଁ ଅତିରିକ୍ତ ଜିଲାପାଳ,ଫିରିଙ୍ଗିଆ ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ, ଟିକାବାଲି ପାଇଁ ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ, ଚକାପାଦ ପାଇଁ ଅତିରିକ୍ତ ଜିଲ୍ଲାପାଳ, ଜି ଉଦୟଗିରି ପାଇଁ ବାଲିଗୁଡା ଉପଜିଲାପାଳ, ରାଇକିଆ ପାଇଁ ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ, କୋଟଗଡ ପାଇଁ ଉପ ନିର୍ଦ୍ଦେଶକ ଓ ତୁମୁଡିବନ୍ଧ ପାଇଁ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ସ୍ବତନ୍ତ୍ର ଦାୟିତ୍ୱ ଦିଆଯାଇଛି।

Share