ହାଟଡ଼ିହୀ,୧୩।୮(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଅଧୀନ ସଢ଼ା ପଞ୍ଚାୟତରେ ବିଭିନ୍ନ ସରକାରୀ ଉନ୍ନୟନ କାର୍ଯ୍ୟରେ ଅନୁଦାନ ହେରଫେର ହୋଇଥିବା ଅଭିଯୋଗର ଏକମାସ ପରେ ତଦନ୍ତ ହୋଇଥିଲେ ହେଁ ଏହାର କାର୍ଯ୍ୟପ୍ରଣାଳୀକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତଦନ୍ତକାରୀ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ପ୍ରତ୍ୟକ୍ଷ ତଦନ୍ତ କରିବା ପରିବର୍ତ୍ତେ ପଞ୍ଚାୟତ ଅଫିସରେ ବସି ତଦନ୍ତ ସାରିଦେଇଥିବା ଅଭିଯୋଗ ହୋଇଛି। ଏପରିକି ଅଭିଯୋଗକାରୀଙ୍କୁ ତଦନ୍ତ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନ ଥିବା ଏବଂ ତଦନ୍ତ ପ୍ରକ୍ରିୟାରେ ସାମିଲ କରାଯାଇ ନ ଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କୌଣସି ଚାପ କିମ୍ବା ସ୍ୱାର୍ଥରେ ଅଭିଯୋଗର ସତ୍ୟତାକୁ ଚାପି ଦେବା ପାଇଁ ପ୍ରୟାସ କରାଯାଉଥିବା ଅଭିଯୋଗକାରୀମାନେ କ୍ଷୋଭ ପ୍ରକାଶ କରି କହିଛନ୍ତି।
ସୂଚନାଯୋଗ୍ୟ ଯେ, ସଢ଼ା ଗ୍ରାମର ଅନନ୍ତ ଚରଣ ପହି, ନରେନ୍ଦ୍ର ପୁହାଣ, ଅକ୍ଷୟ ପହି, ଜଗନ୍ନାଥ ପୁହାଣ, କୃପାସିନ୍ଧୁ ପୁହାଣ, ହରିହର ପୁହାଣ, ସୁଧାଂଶୁ ଶେଖର ପୁହାଣ ପ୍ରମୁଖ ଗ୍ରାମବାସୀ ପଞ୍ଚାୟତର ବିଭିନ୍ନ ଯୋଜନାରେ ଅନିୟମିତତା ନେଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ, ପଞ୍ଚାୟତରେ ବିନା କାର୍ଯ୍ୟରେ ଲକ୍ଷାଧିକ ଟଙ୍କା ଉଠାଣ ହୋଇ ହେରଫେର କରାଯାଇଛି। ଚଳିତ ବର୍ଷ ପଞ୍ଚାୟତର କୌଣସି ୱାର୍ଡରେ ଜଳଛତ୍ର ଖୋଲାଯାଇନଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯାଇ ପାନୀୟ ଜଳ ଯୋଗାଇ ଦିଆଯାଇଥିବା ଦର୍ଶାଇ ଭାଉଚର ମାଧ୍ୟମରେ ଜୁନ୍ ୧୧, ୨୦୨୬ରେ ୧ ଲକ୍ଷ ୬ ଟଙ୍କା ଉଠାଣ କରାଯାଇଛି ଏବଂ ଏହି ଅର୍ଥ ପିଇଓଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଛି। ସେହିପରି ବର୍ଜ୍ୟବସ୍ତୁ ସଂଗ୍ରହ ନାମରେ ଘରଘର ବୁଲି ଅଳିଆ ଆବର୍ଜନା ସଂଗ୍ରହ କାର୍ଯ୍ୟ ଦର୍ଶାଇ ନଭେମ୍ବର ୨, ୨୦୨୫ରେ ମୋଟ ୧ ଲକ୍ଷ ୨୯ ହଜାର ୬୦୦ ଟଙ୍କା ଉଠାଣ ହୋଇଛି। କିନ୍ତୁ ଏହି ଅର୍ଥ ଏସ୍ଏଚ୍ଜି (ସ୍ୱୟଂ ସହାୟକ ଗୋଷ୍ଠୀ) ମାଧ୍ୟମରେ ଦିଆଯିବା ବଦଳରେ ସିଧାସଳଖ ପିଇଓଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଛି।
ଏହା ବ୍ୟତୀତ ଖଳାଗଡ଼ିଆ ପୋଖରୀ ଚାରିପଟେ ବୃକ୍ଷରୋପଣ କରାଯାଇଥିବା ଦର୍ଶାଇ ଫେବୃଆରୀ ୨୦, ୨୦୨୬ରେ ଭାଉଚର ମାଧ୍ୟମରେ ୪୫ ହଜାର ଟଙ୍କା ଉଠାଣ ହୋଇଥିବାବେଳେ ବାସ୍ତବରେ ସେଠାରେ ଗୋଟିଏ ବି ଗଛ ଲଗାଯାଇନାହିଁ। ସେହିପରି ‘ଏକ ପେଡ ମା କେ ନାମ’ ଯୋଜନାରେ ମଧ୍ୟ ଅନୁଦାନ ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି।
ଅଭିଯୋଗର ମାସାଧିକ ସମୟ ପରେ ଏଭଳି ଏକପାଖିଆ ତଦନ୍ତ କରାଯିବା ଏବଂ ଅଭିଯୋଗକାରୀଙ୍କୁ ସାମିଲ ନ କରାଯିବା ନେଇ ସେମାନେ ଉଚ୍ଚସ୍ତରୀୟ ଓ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଯଦି ପ୍ରଶାସନ ତୁରନ୍ତ ସ୍ୱଚ୍ଛ ତଦନ୍ତ ନ କରେ, ତେବେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଡ଼ିଓ ରଞ୍ଜନ କୁମାର ପରିଡ଼ା କହିଛନ୍ତି ଯେ ଉଚ୍ଚ ଅଧିକାରୀଙ୍କ ଦ୍ୱାରା ତଦନ୍ତ ହୋଇଥିବାରୁ ସେ ଏନେଇ କିଛି ମନ୍ତବ୍ୟ ଦେଇପାରିବେ ନାହିଁ। ଅପରପକ୍ଷେ, କେନ୍ଦୁଝର ଜିଲା ପରିଷଦର ତଦନ୍ତକାରୀ ଅଧିକାରୀ ଶୁଭଦର୍ଶୀ ଯୋଶୀ କହିଛନ୍ତି ଯେ ତଦନ୍ତ ପ୍ରକ୍ରିୟା କିମ୍ବା ଅଭିଯୋଗକାରୀଙ୍କୁ ସାମିଲ କରିବା ସମ୍ପର୍କରେ ସେ କିଛି କହିବେ ନାହିଁ ଏବଂ ତଦନ୍ତ ରିପୋର୍ଟ ସିଧାସଳଖ ଉଚ୍ଚ ଅଧିକାରୀଙ୍କୁ ପ୍ରଦାନ କରାଯିବ।