ମେଡିକାଲ, ଇଞ୍ଜିନିୟରିଂରେ ସରକାରୀ ସ୍କୁଲ ପିଲାଙ୍କ ନାମଲେଖା ପ୍ରସଙ୍ଗ: ୧୫% ସଂରକ୍ଷଣ ନେଇ ବିଜ୍ଞପ୍ତି

ଭୁବନେଶ୍ୱର, ୧।୩ (ବ୍ୟୁରୋ): ସରକାରୀ ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ସରକାର ୧୫% ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। ଏନେଇ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସରକାରୀ ସ୍କୁଲରେ ପଢ଼ିବା ଲାଗି ଛାତ୍ରୀଛାତ୍ର ଓ ଅଭିଭାବକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। କିଛିମାସ ପୂର୍ବରୁ ଏନେଇ ରାଜ୍ୟ ସରକାର ପ୍ରସ୍ତାବ ଆଣିଥିଲେ। ପ୍ରସ୍ତାବର ସମୀକ୍ଷା ପାଇଁ ହାଇ ପାୱାର କମିଟି ଗଠନ କରାଯାଇଥିଲା। ଓଡ଼ିଶା ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଡ. ଏ.କେ. ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ ହୋଇଥିଲା। ଏହି କମିଟି ବିସ୍ତୃତ ଭାବେ ବିଚାରବିମର୍ଶ କରି ସରକାରୀ ହାଇସ୍କୁଲର ଛାତ୍ରୀଛାତ୍ରଙ୍କ ମେଡିକାଲ୍‌ ଓ ଇଞ୍ଜିିନିୟରିଂରେ ପ୍ରବେଶ କରିବାର ସୁଯୋଗକୁ ବ୍ୟାପକ କରିବା ପାଇଁ ତାଙ୍କ ରିପୋର୍ଟ ପ୍ରଦାନ କରିଥିଲେ। ହାଇ ପାୱାର କମିଟିର ସୁପାରିସ ଅନୁସାରେ ବିଧାନସଭାରେ ସଂକଳ୍ପ ପାରିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ଏହି ସଂକଳ୍ପ ଆଗତ କରିଥିଲେ। ଏହି ସଂରକ୍ଷଣ ପ୍ରତ୍ୟେକ ସଂରକ୍ଷିତ ଏବଂ ଅଣସଂରକ୍ଷିତ ବର୍ଗଙ୍କ ପାଇଁ ସମାନ୍ତରାଳ ଭାବେ ଲାଗୁ କରାଯିବ।