ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ ଜାରି କରିଛନ୍ତି। ଜିଲାର ସମସ୍ତ ବିଭାଗ ଓ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀଙ୍କୁ ପୂର୍ବରୁ ମଞ୍ଜୁର ହୋଇଥିବା ସମସ୍ତ ପ୍ରକାର ଛୁଟି ତତ୍କାଳ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବାତିଲ କରାଯାଇଛି। ଛୁଟିରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ତୁରନ୍ତ ନିଜ ଡ୍ୟୁଟିରେ ଯୋଗଦେଇ ନିଜ ନିଜ ମୁଖ୍ୟାଳୟରେ ଉପଲବ୍ଧ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବ ଅନୁମତି ବିନା କୌଣସି ଅଧିକାରୀ କିମ୍ବା କର୍ମଚାରୀ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ।
ଜିଲାରେ ରିଲିଫ, ଉଦ୍ଧାର, ନିରୀକ୍ଷଣ ଓ ଜରୁରୀ ସେବାକୁ ଅବିରତ ରଖିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ରାଜ୍ୟରେ ପୁଣି ଲଘୁଚାପ ଯୋଗୁ ପ୍ରବଳ ବର୍ଷାର ଚେତାବନୀ ଥିବାରୁ ଜିଲା ପ୍ରଶାସନ ପକ୍ଷରୁ ସତର୍କତା ବଢ଼ାଯାଇଛି।