ଭୁବନେଶ୍ୱର, ୨୪।୫(ସୁନିତ୍ ମିଶ୍ର): ସରକାରଙ୍କ ଅପରିଣାମଦର୍ଶିତା ଓ ଦୂରଦର୍ଶିତା ଅଭାବ ଯୋଗୁ ମେ ମାସର ପ୍ରଚଣ୍ଡ ଗରମରେ ରାଜ୍ୟବାସୀଙ୍କୁ ହଇରାଣ ହେବାକୁ ପଡୁଛି। ଯଦି ସରକାର ପୂର୍ବରୁ ବିଜୁଳି ଉତ୍ପାଦନ ଓ ବଣ୍ଟନର ସମୀକ୍ଷାକରି ଆଗୁଆ ପଦକ୍ଷେପ ନେଇଥାଆନ୍ତେ, ତେବେ ଏଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇ ନ ଥାଆନ୍ତା ବୋଲି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନ୍ଗୋ କହିଛନ୍ତି।
କଂଗ୍ରେସ ଭବନଠାରେ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପଞ୍ଚାନନ କହିଛନ୍ତି, ବିଜୁଳି ବିଭାଗ ଆଇନର ପରିଚ୍ଛେଦ ୧୫୩/୫୪ ଅନୁସାରେ ସ୍ବତନ୍ତ୍ର ବିଜୁଳି କୋର୍ଟ ଗଠନ ପରିଚ୍ଛେଦ ୫୭/୬୨ ଅନୁଯାୟୀ ବିଜୁଳି ବଣ୍ଟନ ସଂସ୍ଥାର କାର୍ଯ୍ୟଦକ୍ଷତା ଏବଂ ଗୁଣବତ୍ତାର ସମୀକ୍ଷା ନିଶ୍ଚିତ କରେ। ପରିଚ୍ଛେଦ ୪୨(ଏସ୍) ଅନୁସାରେ ପ୍ରତ୍ୟେକ ବିଜୁଳି ବଣ୍ଟନ କମ୍ପାନୀ ଗ୍ରାହକ ଅଭିଯୋଗ କେନ୍ଦ୍ର ସ୍ଥାପନ କରିବ। ଫଲ୍ଟି ମିଟର ବିଲିଂ କନ୍ଦଳ, ବିଜୁଳି କାଟ ଆଦି ବିଷୟରେ ଗ୍ରାହକ ଅଭିଯୋଗ କରିପାରିବେ। ପରିଚ୍ଛେଦ-୬୨(୬) ଅନୁସାରେ ଗ୍ରାହକଙ୍କ ଅଧିକାର ଅଛି ସେମାନେ ଗୁଣଯୁକ୍ତ ଓ ଧାରା ପ୍ରବାହ ବିଜୁଳି ସେବା ପାଇପାରିବେ ଏବଂ ଏହାର ଖିଲାପ ପରେ ବିଜୁଳି ସଂସ୍ଥାଙ୍କ ଉପରେ ଆର୍ଥିକ ଦଣ୍ଡ ବ୍ୟବସ୍ଥା ହୋଇପାରିବ ବୋଲି ସେ କହିଛନ୍ତି। କାନୁନ୍ଗୋ ଆହୁରି କହିଛନ୍ତି, ରାଜ୍ୟରେ ମାର୍ଚ୍ଚରେ ୨୪ ଘଣ୍ଟା, ଏପ୍ରିଲରେ ୩୪ ଘଣ୍ଟା ଏବଂ ଚଳିତ ମାସର ୨୦ ତାରିଖ ସୁଦ୍ଧା ୪୨ ଘଣ୍ଟା ବିଦ୍ୟୁତ୍ କାଟ ହୋଇଛି। ପରିସ୍ଥିତି ଏପରି ହେଲାଣି ଲୋକମାନେ ବିଦ୍ୟୁତ୍ କାର୍ଯ୍ୟାଳୟରେ ତାଲା ପକାଇବା ଆରମ୍ଭ କରିଦେଲେଣି ବୋଲି ସେ କହିଛନ୍ତି। ଏହି ଅବସରରେ କଂଗ୍ରେସ ନେତା ଦେବାଶିଷ ନାୟକ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily