ସମୟସୀମା ସ୍ପଷ୍ଟ କରନ୍ତୁ ସରକାର

କଟକ ଅଫିସ,୨୫।୮: କରୋନା ମହାମାରୀ ଯୋଗୁ ଦୀର୍ଘ ୫ ମାସ ଧରି ବନ୍ଦ ପଡ଼ିଥିବା ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ୨ଟି ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟ ଏହାର ଶୁଣାଣି କରି ମନ୍ଦିର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଥିଲେ। କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶର ଦୁଇ ସପ୍ତାହ ପରେ ମଧ୍ୟ ତାହାକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିନାହାନ୍ତି। ତେଣୁ ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ କେବେ ଖୋଲିବ, ତାହାର ସମୟସୀମା ବାବଦରେ ସରକାର ସ୍ପଷ୍ଟ କରିବା ପାଇଁ ହାଇକୋର୍ଟରେ ସୋମବାର ପୁଣି ଏକ ଆବେଦନ ହୋଇଛି। କଟକର ସାମାଜିକ କର୍ମୀ ଜୟନ୍ତ ବଳ ଏହି ମାମଲା କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ମାସ ଲକ୍‌ଡାଉନ ଆରମ୍ଭରୁ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଛି। ପରେ ଧର୍ମାନୁଷ୍ଠାନ ଖୋଲିବା ପାଇଁ କେନ୍ଦ୍ର ସରକାର ଯେଉଁ ନିର୍ଦ୍ଦେଶ ଦେଲେ, ରାଜ୍ୟ ସରକାର ତାହାର ବିପରୀତ ନିର୍ଦ୍ଦେଶ ଜାରିକରି ଧର୍ମାନୁଷ୍ଠାନ ଖୋଲିବା ଉପରେ କଟକଣା ଲଗାଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ପାଖରେ ଦୁଇଟି ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲେ। ପୁରୀର ତ୍ରିଲୋଚନ ରଥ ଓ କଟକର ଜୟନ୍ତ ବଳ ଏହି ମାମଲା କରିଥିଲେ। ଧର୍ମାନୁଷ୍ଠାନ ଖୋଲିବା ନେଇ ସେମାନେ କରିଥିବା ଆବେଦନର ଶୁଣାଣି ଗତ ୧୦ ତାରିଖରେ ହୋଇଥିଲା। କରୋନା ସ୍ଥିତି ଦେଖି ଧର୍ମାନୁଷ୍ଠାନ ଖୋଲିବ କି ନା, ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନିଅନ୍ତୁ ବୋଲି ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍‌ ଓ ଜଷ୍ଟିସ୍‌ ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ୧୪ ଦିନ ବିତିଗଲାଣି। କିନ୍ତୁ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ଏଯାଏ ରାଜ୍ୟ ସରକାର ନେଇନାହାନ୍ତି। କୋର୍ଟ କୌଣସି ସମୟସୀମା ଧାର୍ଯ୍ୟ କରି ନ ଥିବାରୁ ରାଜ୍ୟ ସରକାର ନିଷ୍ପତ୍ତି ନେବାକୁ ପଛଘୁଞ୍ଚା ଦେଉଛନ୍ତି। ତେଣୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ନିଷ୍ପତ୍ତି ନେବା ପାଇଁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟଙ୍କ ପାଖରେ ନିବେଦନ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରିଥିଲେ।