Categories: ଜାତୀୟ

ସରକାରଙ୍କ ଉଦାସୀନତା ଦାୟୀ

ନୂଆଦିଲ୍ଲୀ,୧୦।୧: ଜୋଷୀମଠ ଓ ଏହାର ଆଖପାଖ ଅଞ୍ଚଳ ବିପଦପୂର୍ଣ୍ଣ ଜୋନ୍‌ରେ ଥିବା ନେଇ ଉତ୍ତରାଖଣ୍ଡ ସରକାରଙ୍କୁ ୨୦୦୧ରେ ରିପୋର୍ଟ ଦିଆଯାଇଥିଲା ବୋଲି ପରିବେଶ ବିଜ୍ଞାନୀ ଚଣ୍ଡି ପ୍ରସାଦ ଭଟ୍ଟ କହିଛନ୍ତି। ରିମୋଟ୍‌ ସେନ୍ସିଂ ଏବଂ ଜିଓଗ୍ରାଫିକ୍‌ ଇନ୍‌ଫର୍ମେଶନ ସିଷ୍ଟମ୍‌ (ଜିଆଇଏସ୍‌) ବ୍ୟବହାର କରାଯାଇ ଏହି ଅଧ୍ୟୟନ ହୋଇଥିଲା। ଏଥିରେ ନ୍ୟାଶନାଲ ରିମୋଟ ସେନ୍ସିଂ ଏଜେନ୍ସି ସମେତ ୧୨ଟି ପ୍ରମୁଖ ବିଜ୍ଞାନ ସଂଗଠନ ସାମିଲ ହୋଇଥିଲେ। ଜୋଷୀମଠର ୧୨୪.୫୪ ବର୍ଗ କିଲୋମିଟର ଅଞ୍ଚଳକୁ ଜୋନ୍‌ ଅନୁଯାୟୀ ମ୍ୟାପିଙ୍ଗ୍‌ କରାଯାଇଥିଲା ଏବଂ ଏହାର ୯୯ ପ୍ରତିଶତ ଅଞ୍ଚଳ ଭୂସ୍ଖଳନ ପ୍ରବଣ ବୋଲି ସତର୍କ କରିଦିଆଯାଇଥିଲା। ସେଥିରୁ ୩୯ ପ୍ରତିଶତ ସବୁଠୁ ବିପଜ୍ଜନକ ଜୋନ୍‌ରେ ଥିବାବେଳେ ୨୮ ପ୍ରତିଶତ ମଧ୍ୟମ ଓ ୨୯ ପ୍ରତିଶତ କମ୍‌ ବିପଦପୂର୍ଣ୍ଣ ବୋଲି ଦର୍ଶାଯାଇଥିଲା। ତେବେ ସରକାରୀ ଉଦାସୀନତା ଯୋଗୁ ଉକ୍ତ ଅଞ୍ଚଳର ସୁରକ୍ଷା ଲାଗି କୌଣସି ପଦକ୍ଷେପ ନିଆଯାଇପାରି ନ ଥିଲା। ୨୦୧୩ରେ କେଦାରନାଥରେ ପ୍ରଳୟଙ୍କର ବର୍ଷାରେ ବହୁ ଲୋକଙ୍କ ଜୀବନ ଯିବା ପରେ ସରକାର ସମାଲୋଚିତ ହୋଇଥିଲେ। ସରକାର ଯଦି କାର୍ଯ୍ୟ ନ କରନ୍ତି, ତେବେ ଅଧ୍ୟୟନ ପରେ ଅଧ୍ୟୟନ କରାଗଲେ ମଧ୍ୟ କିଛି ଫଳ ହେବ ନାହିଁ ବୋଲି ଭଟ୍ଟ କହିଛନ୍ତି।
ବୃହତ୍‌ ଉନ୍ନୟନମୂଳକ ପ୍ରକଳ୍ପ ଯୋଗୁ ଉତ୍ତରାଖଣ୍ଡ ଜୋଷୀମଠ ଭୂମି ଦବୁଥିବା କୁହାଯାଉଛି। ତେବେ ସରକାର ପୂର୍ବ ରିପୋର୍ଟଗୁଡ଼ିକୁ ଅଣଦେଖା କରିଥିଲେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ହିମାଳୟ ଅଞ୍ଚଳରେ ଅବସ୍ଥିତ ଏହି ସହରର ବିଭିନ୍ନ ଘରେ ଓ ରାସ୍ତାରେ ବିଶାଳ ଫାଟ ସୃଷ୍ଟି ହେବା ପରେ ବିଶେଷଜ୍ଞମାନେ ଏହାର କାରଣ ଖୋଜିବାରେ ଲାଗିପଡ଼ିଛନ୍ତି। ଜୋଷୀମଠ ଦବିବା ନେଇ ବହୁ ଦଶନ୍ଧି ପୂର୍ବରୁ ସତର୍କ କରାଯାଇଥିଲା। ଜଳରସାୟନ ଅଧ୍ୟୟନରୁ ସହର ଦବିବା ସମ୍ପର୍କରେ ମୂଳ ତଥ୍ୟ ଜାଣିବାରେ ସହାୟକ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଗତବର୍ଷଠାରୁ ଜୋଷୀମଠରେ ଫାଟ ଦେଖାଦେଲାଣି। ଡେରାଡୁନ୍‌ର ଓ୍ବାଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହିମାଳୟାନ ଜିଓଲୋଜିର ଭୂତତ୍ତ୍ୱବିଜ୍ଞାନୀ ଡ. ମନୀଷ ମେହେଟ୍ଟାଙ୍କ କହିବା ଅନୁଯାୟୀ ୧୯୭୬ରେ ପ୍ରକାଶିତ ଜୋଷୀମଠ ରିପୋର୍ଟରେ କୁହାଯାଇଥିଲା ପର୍ବତ ଉପରୁ ଖସିଥିବା ମାଟି ଓ ଶିଳାଖଣ୍ଡରେ ଜୋଷୀମଠ ଗଠିତ ହୋଇଛି। ସେହି ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ନ କରିବାକୁ ମିଶ୍ର କମିଟି ରିପୋର୍ଟରେ କୁହାଯାଇଥିଲା। ଏକାଦଶ ଏବଂ ଦ୍ୱାଦଶ ଶତାବ୍ଦୀରେ ଜୋଷୀମଠ ପ୍ରତିଷ୍ଠା ହୋଇଥିଲା। ଏହା ଦୁଇଟି ଡ୍ରେନେଜ୍‌ ଏଟି କମ୍ପାନୀ ନାଲା ଏବଂ ସିଙ୍ଗଧର ନାଲା ମଧ୍ୟଭାଗରେ ଅବସ୍ଥିତ। ଏହା ତଳେ ଧୂଳି ଓ ଭଗ୍ନାବଶେଷ ରହିଛି। ଏଥିସହିତ ସେଠାରେ କାଦୁଅ ଥିବାରୁ ବହୁବର୍ଷ ପୂର୍ବେ ଏହାର ମାଟି ତଳେ ଗ୍ଲାସିୟର ଥିତ୍ଲା ବୋଲି ବିଶେଷଜ୍ଞମାନେ କହିଛନ୍ତି। ଜୋଷୀମଠ ସହର ଉପଯୁକ୍ତ ଯୋଜନାରେ ନିର୍ମାଣ ହୋଇ ନ ଥିବାରୁ ସେଠାରେ ଡ୍ରେନେଜ୍‌ ବ୍ୟବସ୍ଥା ନାହିଁ। ଏନ୍‌ଟିପିସି ସୁଡଙ୍ଗ ମାଟି ଦବିବାର କାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଥିବାବେଳେ ଜିଏସ୍‌ଆଇ, ଆଇଆଇଟି ରୁର୍‌କୀ, ଡବ୍ଲ୍ୟୁଆଇଏଚ୍‌ଜିର ବିଶେଷଜ୍ଞମାନେ ଏନେଇ କୌଣସି ମନ୍ତବ୍ୟ ଦେଇନାହାନ୍ତି।

Share