ସରକାରୀ ସଂସ୍ଥା କିଣିବେ ‘ମୋ ଖତ’

ଭୁବନେଶ୍ୱର,୧୮ା୩(ବ୍ୟୁରୋ): ସରକାରଙ୍କ ସମସ୍ତ ବିଭାଗ ପୌର ସଂସ୍ଥା ଦ୍ୱାରା ପ୍ରସ୍ତୁତ ଅର୍ଗାନିକ ‘ମୋ ଖତ’ କିଲୋ ପ୍ରତି ୨୦ ଟଙ୍କା ଦରରେ କିଣିବେ। ଏ ନେଇ ବୁଧବାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭାଥନନ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, କୃଷି, ପଞ୍ଚାୟତିରାଜ, ଏସ୍‌ସି/ଏସ୍‌ଟି ଉନ୍ନୟନ ବିଭାଗ, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ସଚିବଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ କରାଯାଇଛି ଯେ ସହରାଞ୍ଚଳରୁ ବାହାରୁଥିବା କଠିନ ବର୍ଜ୍ୟବସ୍ତୁ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର(ଏମ୍‌ସିସି) ଦ୍ୱାରା ଅର୍ଗାନିକ ଖତ ପରିବେଶ ଅନୁକୂଳ ‘ମୋ ଖତ’ ପ୍ରସ୍ତୁତ କରାଯାଉଛି। ଏଥିରେ ମିଶନ ଶକ୍ତି, କିନ୍ନର ସଂଘ, ସ୍ବଚ୍ଛସାଥୀ, ସୁପରଭାଇଜର, ସ୍ବଚ୍ଛକର୍ମୀଙ୍କୁ ନିୟୋଜିତ କରାଯାଇଛି। ସମସ୍ତ ସରକାରୀ ସଂସ୍ଥା ଓ ଏହାର ଅନୁବନ୍ଧିତ ସଂଗଠନଗୁଡ଼ିକ ‘ମୋ ଖତ’ କିଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରସ୍ତୁତକର୍ତ୍ତାଙ୍କୁ ଆର୍ଥିକ ସହଯୋଗ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।